ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବହୁଚର୍ଚିତ ଦେବରାଜ ମୃତ୍ୟୁ ମାମଲାରେ ଟାଉନ ପୁଲିସ କଥିତ ପ୍ରେମିକା ଇପସିତା ବେହୁରାକୁ ଗିରଫ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ସୂଚନାଥାଉକି; ଗତ ସେପ୍ଟେମ୍ବର ୩ ତାରିଖରେ ଭଣ୍ଡାରିପୋଖରୀ ଜଳହରି ଗ୍ରାମର ଦେବରାଜ ସାମଲ ଚରମ୍ପାର ଏକ ଗେଷ୍ଟ ହାଉସରେ ପ୍ରେମିକା ଇପସିତା ସହ ରାତ୍ରୀ ଯାପନ କରିଥିଲେ । ସେହି ରାତିରେ ଦେବରାଜଙ୍କ ମୃତ୍ୟୁ ହୋଇଥିଲା । ଦେବରାଜଙ୍କ ପରିବାରର ଏତଲା କ୍ରମେ ଥାନାରେ ହତ୍ୟା ମାମଲା ରୁଜୁ କରି ପୁଲିସ ପ୍ରେମିକା ବନ୍ତ ବ୍ଲକର ଟିଲୋ ଗ୍ରାମର ଇପ୍ସିତା ବେହୁରାଙ୍କୁ ପଚରା ଉଚୁରା କରି ଛାଡି ଦେଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ସୂଚନା ଦେଇଥିଲା । ଇତମିଧ୍ୟରେ ପୁଲିସକୁ ମିଳିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେବା ପରେ ଆଜି ଇପ୍ସିତା କୁ ପୁଲିସ କୋର୍ଟ ଚାଲାଣ କରିଛି ।