Odiapua.com

ଦେବଗଡ଼ ଜିଲ୍ଲାରେ ଅଜଣା ଜନ୍ତୁ ଭୟ – ୧୨ଟି ଛେଳି ମୃତ, ଜଙ୍ଗଲି କୁକୁର କିମ୍ବା ହେଟା ସନ୍ଦେହ

ଦେବଗଡ଼ ୪-୧ (ଓଡ଼ିଆ ପୁଅ) : ଦେବଗଡ଼ରେ ଅଜଣା ଜନ୍ତୁ ଆତଙ୍କ ଦେଖାଯାଇଛି। ଜିଲ୍ଲାର ବାରକୋଟ ଵ୍ଲକ ବରତଇଲା ସଂରକ୍ଷିତ ଜଙ୍ଗଲରେ ଅଜଣା ଜନ୍ତୁ ଆକ୍ରମଣରେ ଚକଡିହି ଗାଁର ଗୋଟିଏ ଗାଈ ଓ ୧୨ଟି ଛେଳିଙ୍କ ମୃତ୍ୟୁ ହୋଇଥିବା ଖବରରୁ ପ୍ରକାଶ। ଖବର ଅନୁଯାୟୀ, ଏହି ଅଜଣା ଜନ୍ତୁ ଛେଳିମାନଙ୍କର ତଣ୍ଟିକୁ କଣା କରି ମାରୁଥିବାର ଜଣାପଡ଼ିଛି। ତେବେ ଅଜଣା ଜନ୍ତୁ ଜଙ୍ଗଲି କୁକୁର କିମ୍ବା ହେଟା ହୋଇପାରେ ବୋଲି ସନ୍ଦେହ କରାଯାଉଛି। ଅଜଣା ଜନ୍ତୁଙ୍କୁ ଠାବ କରିବା ପାଇଁ ଦେବଗଡ଼ ବନ ବିଭାଗର ଉଦ୍ୟମ ଜାରି ରହିଛି। ତେବେ ଉକ୍ତ ଗ୍ରାମର ୨୫ରୁ ଊର୍ଦ୍ଧ୍ୱ ଛେଳି ନିଖୋଜ ଥିବା ଜଣାପଡିଛି।

ଖବର ଅନୁଯାୟୀ, ଶନିବାର ଅପରାହ୍ନରେ ଚକଡିହି ଗ୍ରାମର ଛେଳିଚରାଳି ଜଙ୍ଗଲରୁ ଛେଳି ଚରାଇ ଫେରୁଥିଲେ। କୌଣସି କାରଣରୁ ବହୁ ଛେଳି ଇତସ୍ତତଃ ହୋଇ ପୁଣି ଥରେ ଜଙ୍ଗଲ ମଧ୍ୟକୁ ଧାଇଁଯାଇଥିଲେ। ମାତ୍ର ଛେଳିମାନେ କାହିଁକି ଓ କେଉଁ ଆଡେ ଗଲେ ତାହା ଜାଣି ନ ପାରି ଛେଳି ଚରାଳିମାନେ ଫେରି ଆସିଥିଲେ। ଗତକାଲି ସକାଳେ ପୁଣି ଥରେ ଜଙ୍ଗଲକୁ ଯାଇ ନିଖୋଜ ଛେଳି ଖୋଜିବାରୁ ସେଠାରେ ୧୨ଟି ଛେଳି ମରି ପଡିଥିବା ଦେଖିଥିଲେ। ଏହାବ୍ୟତୀତ ଅନ୍ୟ ୩ଟି ଛେଳି ଗୁରୁତର ଆହତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇ ସେମାନଙ୍କୁ ଉଦ୍ଧାର କରିଥିଲେ। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ ୨୫ରୁ ଉର୍ଦ୍ଧ୍ୱ ଛେଳିଙ୍କର ସନ୍ଧାନ ମିଳିନାହିଁ।