ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦୁଆପଦା ଫାଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କୁ ଗତ ୪ତାରିଖ ରାତିରେ ସେହି ଫାଣ୍ଡି ଅଞ୍ଚଳର ଜଣେ ଯୁବକ ଅପହରଣ କରିନେଇ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିବା ପରେ ଫେରାର୍ ହୋଇଯାଇଥିଲେ । ମୁଖ୍ୟ ଅଭିଯୁକ୍ତକୁ କେନ୍ଦୁଆପଦା ଫାଣ୍ଡି ପୁଲିସ ଗତ ଗୁରୁବାର ଦିନ ଗିରଫ୍ କରିଥିବା ଜଣାଯାଇଛି । ପୀଡ଼ିତା ଯୁବତୀ କେନ୍ଦୁଆପଦା ଫାଣ୍ଡିରେ କରିଥିବା ଲିଖିତ ଅଭିଯୋଗରୁ ଜଣାଯାଇଛି ଯେ ଅଭିଯୋଗକାରିଣୀ ଜଣେ ଦଳିତ ବର୍ଗର ଯୁବତୀ ହୋଇଥିଲା ବେଳେ ଉକ୍ତ ଫାଣ୍ଡି ଅନ୍ତର୍ଗତ ଗଣ୍ଡଗରା ଗ୍ରାମର ଜଣେ ଯୁବକ ଗତ ୪ତାରିଖ ସନ୍ଧ୍ୟା ସମୟରେ ପୀଡ଼ିତାଙ୍କ ଅନିଚ୍ଛାସତ୍ୱେ ଏକ ବାଇକ୍ ଯୋଗେ ଅପହରଣ କରିନେଇ ଯାଜପୁର ରୋଡ୍ ଠାରେ ଏକ ଘରେ ରଖିଥିଲେ । ପରେ ଧମକ ଚମକ ଦେଇ ଜୋର୍ଜବରଦସ୍ତ ତାଙ୍କୁ ଦୁଷ୍କର୍ମ କରିଥିଲେ । ମାତ୍ର ସେଠାରେ ପୀଡ଼ିତା ଜଣକ ଏକୁଟିଆ ଥିବା ଯୋଗୁଁ ପ୍ରତିରୋଧ କରିଥିଲେ ମଧ୍ୟ ନିଜକୁ ରକ୍ଷା କରିପାରିନଥିଲେ । ୪ତାରିଖ ରାତିରୁ ୫ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବାରମ୍ବାର ସେ ଦୁଷ୍କର୍ମର ଶିକାର ହୋଇଥିଲା ବେଳେ ୫ତାରିଖ ସନ୍ଧ୍ୟାରେ ମୁହଁରେ ଗାମୁଛା ଗୁଡ଼ାଇଥିବା ୬ଜଣ ଯୁବକ ସେଠାରେ ପହଞ୍ଚି ତାଙ୍କୁ ଧମକ ଚମକ ଦେଇ ଉଭୟ ଅପହର୍ତ୍ତା ଓ ପୀଡିତାଙ୍କୁ ନେଇ ଆସିବା ସହ ଭଣ୍ଡାରିପୋଖରୀ ଥାନା ପାଟୁଳି ଗ୍ରାମ ନିକଟରେ ଛାଡ଼ି ଘରକୁ ପଳାଇଯିବାକୁ ଧମକ ଦେଇଥିଲେ ।
ମାତ୍ର ପୀଡ଼ିତା ଯୁବତୀ ସେମାନଙ୍କ ଧମକରେ ରାଜି ନହେବାରୁ ଜୀବନରୁ ମାରିଦେବା ଉଦେଶ୍ୟରେ ପାଖରେ ଥିବା ରେବନଦୀକୁ ପେଲିଦେଇଥିଲେ । ତେଣୁ ପୀଡ଼ିତା ଜଣକ ଭୟରେ ଚିତ୍କାର କରୁଥିଲା ବେଳେ ପାଖରେ ଥିବା କେତେକ ବ୍ୟକ୍ତି ସେଠାକୁ ଦୌଡ଼ି ଆସିବାରୁ ଯୁବକମାନେ ଭୟଭୀତ ହୋଇ ବ୍ୟବହାର କରିଥିବା ଏକ ବାଇକ୍କୁ ସେଠାରେ ଛାଡ଼ି ପଳାଇଯାଇଥିଲେ । ସ୍ଥାନୀୟ ଲୋକମାନେ ଉଭୟ ବାଇକ୍ ଓ ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ପୀଡ଼ିତାଙ୍କ ପାଖରୁ ସମସ୍ତ ବୁଝିବା ପରେ ତାଙ୍କ ପରିବାରକୁ ଜଣାଇଥିଲେ । ଖବରପାଇ ପରିବାର ପକ୍ଷରୁ କେନ୍ଦୁଆପଦା ଫାଣ୍ଡି ପୁଲିସକୁ ଜଣାଇବା ପରେ ଫାଣ୍ଡି ଅଧିକାରୀ ଅମୂଲ୍ୟ କୁମାର ଗିରି ଘଟଣାସ୍ଥଳରେ ପହଞ୍ଚି ଉଭୟ ପୀଡ଼ିତା ଓ ବାଇକ୍କୁ ଫାଣ୍ଡିକୁ ଆଣିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲା ବେଳେ ଅପହରଣକାରୀ ଯୁବକକୁ କେନ୍ଦୁଆପଦା ଫାଣ୍ଡି ଅଧିକାରୀ ଅମୂଲ୍ୟ କୁମାର ଗିରି ଗତ ଗୁରୁବାର ଦିନ ଗିରଫ୍ କରିଥିଲେ । ଆଜି ଉଭୟ ଯୁବକ ଯୁବତୀଙ୍କୁ ଡାକ୍ତରୀମଇନା କରାଯିବା ପରେ ପୀଡ଼ିତାଙ୍କୁ ସ୍ୱେଚ୍ଛାସେବୀ ସଂଗଠନ ଆସିୟାନାରେ ଛାଡ଼ିବା ସହ ଯୁବକକୁ କୋର୍ଟଚାଲାଣ କରିଛି ।