Odiapua.com

ଦୁର୍ବିସହ ହୋଇପଡ଼ିଛି ଛପୁଲିଆ ବସ୍ତିବାସିନ୍ଦାଙ୍କ ଜୀବନ

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୩ପୁରୁଷ ଧରି ମଠସାହି ଛପୁଲିଆ ରାସ୍ତା ପାଶ୍ୱର୍ରେ ବାସ କରି ଆସୁଥିବା ବସ୍ତି ବାସିନ୍ଦାଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡ଼ିଛି। ଭଦ୍ରକ ମହତାବ ପ୍ରତିମୂର୍ତ୍ତୀ ଠାରୁ ଡାହାଣିଗଡ଼ିଆ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ପ୍ରଶସ୍ତିକରଣ ଯୋଗୁଁ ସେମାନେ ଏକପ୍ରକାର ବାସହୀନ ହୋଇ ପଡ଼ିଛନ୍ତି। ବିଶେଷକରି ବାଇପାସ ଛକ ଠାରୁ ଡାହାଣିଗଡ଼ିଆ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ପରିବାର ଦୀର୍ଘ ୩ପୁରୁଷ ଧରି ବାସ କରି ଆସୁଥିଲେ। ରାସ୍ତା କାର୍ଯ୍ୟ ପାଇଁ ସେମାନେ ବାସହରା ହୋଇ ନୟନଯୋରୀକୁ ଲାଗି ପଲିଥିନ ଟାଣି ଏବେ ପରିବାର ସହ ରହୁଛନ୍ତି। ବର୍ଷା ଋତୁରେ ସେମାନଙ୍କ ଗିବନ ଜିବୀକା ସଂକଟରେ ପଡ଼ିଛି। ଭୂମିହୀନ ହୋଇଥିବା କାରଣରୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରୁ ସେମାନେ ବଞ୍ଚିତ ହୋଇ ଆସିଛନ୍ତି। ପ୍ରତ୍ୟେକ ନାଗରିକ ପରି ସେମାନଙ୍କର ମଧ୍ୟ ବଞ୍ଚିବାର ଅଧିକାର ରହିଛି ବୋଲି ଉକ୍ତ ବସ୍ତିର ଟିକନ ମୁଣ୍ଡା, କୁନା ମୁଣ୍ଡା, ବୁନା ମୁଣ୍ଡା, ବିକି ବିନ୍ଧାଣୀ ପ୍ରମୁଖ କହିଛନ୍ତି। ତେଣୁ ସଂପୃକ୍ତ ବାସହରା ପରିବାରଙ୍କୁ ଜମିପଟ୍ଟା ସହ ପ୍‌କ୍‌କା ଘର ଓ ଶୌଚାଳୟ ଯୋଗାଇ ଦେବା, ସମସ୍ତ ବସ୍ତି ବାସନ୍ଦାଙ୍କୁ ରେସନ କାର୍ଡ଼, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ, ବସ୍ତିକୁ ପାନୀୟ ଜଳ, ବିଦ୍ୟୁତ ଯୋଗାଣ ସହିତ ପକ୍କା ସଡ଼କ ନିର୍ମାଣ ପାଇଁ ସେମାନେ ଦାବି କରିଛନ୍ତି। ଚାଷୀ ମୂଲିଆ ସଂଘର ମୁଖ୍ୟ ସୁଶାନ୍ତ ଜେନାଙ୍କ ନେତୃତ୍ୱରେ ଆଜି ଶତାଧିକ ବସ୍ତିବାସିନ୍ଦା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।