Odiapua.com

ଦୁର୍ନୀତି-ଠକେଇର ଚରମ ସୀମାରେ ଶାସକଦଳ : ନିର୍ବାଚନରେ ଉଚିତ ଜବାବ ଦେବାକୁ ଅପରାଜିତାଙ୍କ ଆହ୍ୱାନ

ବାଲେଶ୍ୱର, ୨୨ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ଉପ-ନିର୍ବାଚନରେ ଭୋଟରଙ୍କ ସମର୍ଥନ ପାଇଁ ବିଭିନ୍ନ ଦଳର ନେତା ଓ ପ୍ରାର୍ଥୀ ପକ୍ଷରୁ ଏବେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି। ବିଜେଡି ପକ୍ଷରୁ ରାଜ୍ୟସ୍ତରୀୟ ନେତାମାନେ ଗ୍ରାମ ପଞ୍ଚାୟତ ଏବଂ ପୌରାଞ୍ଚଳରେ ୱାର୍ଡ଼ୱାରୀ ଦଳୀୟ ସଂଗଠନକୁ ଆଗକୁ ନେବା ସହ କର୍ମୀଙ୍କ ଗତିବିଧି ଉପରେ ନଜର ରଖିଥିବା ବେଳେ ବିଜେପିର ରାଜ୍ୟସ୍ତରୀୟ ନେତାମାନେ ପ୍ରଚାର ସାଙ୍ଗକୁ ସାମ୍ବାଦିକଙ୍କୁ ବ୍ୟବହାର କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ପୂର୍ବରୁ ବିଜେପି ରାଜ୍ୟ ସଭାପତି, କେନ୍ଦ୍ରମନ୍ତ୍ରୀ ଓ ବରଗଡ଼ ସାଂସଦଙ୍କ ପରେ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବାଲେଶ୍ୱର ବିକାଶକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛନ୍ତ। ଜିଲ୍ଲାର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ, ବାଲେଶ୍ୱର ସହରରେ କାର୍ଯ୍ୟକାରୀ ଅମୃତ ଯୋଜନାରେ ଘୋଟାଲା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଭୃତିରେ ହୋଇଥିବା ଘୋଟାଲା ସମ୍ପର୍କରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଅଭିଯୋଗ ଉଠାଇଛନ୍ତି। ସବୁଥର ପରି ଚଳିତ ନିର୍ବାଚନରେ ବି ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକି ଭୋଟ ନେବାକୁ ଶାସକଦଳ ଉଦ୍ୟମ କରିଥିବା ସେ କହିଛନ୍ତି। ରାଜ୍ୟ ସରକାର ପ୍ରତିଟି କ୍ଷେତ୍ରରେ ଲୋକଙ୍କୁ ଠକେଇ ଚାଲିଥିବା ବେଳେ ନିର୍ବାଚନରେ ଶାସନକଳୁ କାର୍ଯ୍ୟରେ ଲାଗାଇବାକୁ ପଛାଇ ନାହାନ୍ତି। ଏମିତିକି ମହାମାରୀ କରୋନାକୁ ନେଇ ବି ଏଇ ସରକାର ମାର୍କେଟିଂ କରିପାରୁଛି। ସାମାଜିକ ଦୂରତା ରକ୍ଷାରେ ଅବହେଳା ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସରକାର ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ବେଳକୁ ଚୁପ ରହିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି। ଉପ-ନିର୍ବାଚନରେ ବିଜେଡିରୁ ଶ୍ରୀ ଜେନାଙ୍କୁ ଟଇକେଟ୍ ନମିଳିବା ଓ ଏହାକୁ ବିରୋଧ କରି ହଜାର ହଜାର ସମର୍ଥକ ଓ କର୍ମୀ ତାଙ୍କ ଅଫିସ ଆଗରେ ବିକ୍ଷୋଭ କରିବା ବେଳେ ସାମାଜିକ ଦୂରତା ମଧ୍ୟ ରହିନଥିଲା। ଏହି ବିକ୍ଷୋଭ ଓ କର୍ମୀ ଅସନ୍ତୋଷ ସ୍ଥଳରେ ଶ୍ରୀ ଜେନାଙ୍କ ସମେତ ଆଇନମନ୍ତ୍ରୀ ଓ ଅନ୍ୟାନ୍ୟ ରାଜ୍ୟସ୍ତରୀୟ ବିଜେଡି ନେତା ମଧ୍ୟ ଉପସ୍ଥିତ ଥିଲେ। ମାତ୍ର ସରକାରଙ୍କୁ ଏହା ଦେଖାଗଲା ନାହିଁ କେମିତି ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି। ଅତଏବେ ଭଣ୍ଡ ସରକାର କେବଳ ବିକାଶ ନାମରେ ଲୋକଙ୍କୁ କେବଳ ଠକେଇ ଚାଲିଛନ୍ତି। ଏନେଇ ସମସ୍ତେ ସଚେତନ ହେବା ସହିତ ଏହି ନିର୍ବାଚନରେ ଉଚିତ ଜବାବ ଦେବାକୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି। ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଦଳୀୟ ମୁଖପାତ୍ର ବିରଞ୍ôଚ ନାରାୟଣ ତ୍ରିପାଠୀଙ୍କ ସମେତ ଜିଲ୍ଲା ମିଡିଆ ପ୍ରଭାରୀ ଶ୍ରୀନିବାସ ପ୍ରଧାନ ଉପସ୍ଥିତ ଥିଲେ।