Odiapua.com

ଦୁର୍ନିତୀ ନିବାରଣ ବିଭାଗ ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି, ନାଲି ଫିତା ତଳେ ଚାପି ହୋଇ ଯାଉଛି ଶହଶହ ଅଭିଯୋଗ

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ଦୁର୍ନିତୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠା ଗ୍ରହଣ କରୁଛନ୍ତି । ବିକାଶରେ ବାଧକ ସାଜୁଥିବା ଏପରି ପ୍ରସଙ୍ଗରେ ସରକାର ଜିରୋ ଟଲେରେନ୍ସ ନିତୀ ଆପଣେଇଛନ୍ତି । ବହୁ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଉଛନ୍ତି ସରକାର । ତଥାପି ଦୁର୍ନିତୀ ଥମିବାର ନାମ ନେଉ ନାହିଁ । ଏହା ପ୍ରତ୍ୟେକ ସ୍ତରରେ କାୟା ବିସ୍ତାର କରିଛି । ଏପରିକି ଅସ୍ଥି ମଜ୍ଜାଗତ ହୋଇ ସାରିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ପଇସା ନଦେଲେ କୌଣସି କାମ ହେଉ ନାହିଁ । ଏକଥାକୁ ସ୍ୱୀକାର କରୁଛନ୍ତି ସମସ୍ତେ । ଦୁର୍ନିତୀ ନିବାରଣ ସପ୍ତାହ ପାଳନ ଅବସରରେ ଏଥିରୁ ଦୂରେଇ ରହିବାକୁ ଓ ଦୁର୍ନତୀଗସ୍ତ ଅଧିକାରୀଙ୍କୁ ଧରାଇ ଦେବାକୁ ମଧ୍ୟ ଆହ୍ୱାନ ଦିଆଯାଉଛି । କିନ୍ତୁ ଫଳ ଶୂନ । ଦୁର୍ନତୀ ନିବାରଣ ବିଭାଗ ଉପରେ ପୂର୍ବରୁ ଲୋକମାନଙ୍କର ଯେଉଁ ଆଶା ଓ ବିଶ୍ୱାସ ଥିଲା, ତାହା କ୍ରମେ ବିଭିନ୍ନ କାରଣରୁ ତୁଟିବାରେ ଲାଗିଛି । ଏକ ସାମାଜିକ ସଂଠନର ସର୍ଭେ ଅନୁଯାୟୀ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ନଦେଲେ କାମ ହେଉ ନାହିଁ । ପ୍ରତ୍ରେକ କାର୍ଯ୍ୟରେ ସରକାରଙ୍କ ନିର୍ଦ୍ଧାରିତ ମାପଦଣ୍ଡକୁ ଯେତେବେଳେ ଜଣେ ପୂରଣ କରିବାରେ ବ୍ୟର୍ଥ ହେଉଛି, ସେତେବେଳେ ସେ ଲାଞ୍ଚ ଦେବାକୁ ବାଧ୍ୟ ହେଉଛି । ଏହିପରି ଏକ ସମୟକୁ ମଧ୍ୟ ଆପେକ୍ଷା କରି ରହୁଛନ୍ତି ସଂପୃକ୍ତ ବିଭାଗର କର୍ମଚାରୀଙ୍କ ଠାରୁ ଅଧିକାରୀ । ତେଣୁ ଲାଞ୍ଚ ନଦେଲେ କାମ ହେବନି ଓ ଏଥି ନେଇ ଅଭିଯୋଗ କଲେ କୌଣସି ଫଳ ମିଳିବ ନାହିଁ ଭାବି ଜଣେ ସାଧାରଣ ଲୋକ ନିରବ ରହୁଛି । ଚୁପଚାପ ଲାଞ୍ଚ ଦେଇ ନିଜ କାମ କରାଇ ନେଉଛି ବ୍ୟକ୍ତିଗତସ୍ତରରେ । କିନ୍ତୁଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳରେ କେତେକ ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ଅନିୟମିତତାକୁ ନେଇ ଅଭିଯୋଗ ହେଉଛି । ସେମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ ଦେବା ସହ ବିଭାଗୀୟ ଅଧିକାରୀ ଓ ଦୁର୍ନିତୀ ନିବାରଣ ବିଭାଗକୁ ଏସମ୍ପର୍କରେ ଅବଗତ କରୁଛନ୍ତି । ଏପରି ସାମୁହିକ କାର୍ଯ୍ୟରେ ଅନିୟମିତତା କିମ୍ବା ଦୁର୍ନିତୀର ତଦନ୍ତ ବହୁ ସମୟରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ହେଉଛି । କିନ୍ତୁ ଦୁର୍ନିତୀ ନିବାରଣ ବିଭାଗ ଧ୍ୱାରା ଏପରି ଅଭିଯୋଗର ତଦନ୍ତ ଆଦୌ ହେଉ ନାହିଁ କହିଲେ ଚଳେ ।

ଯେତେବେଳେ କେତେକ ଅଧିକାରୀଙ୍କ କାରବାରରେ ଅତିଷ୍ଠ ହୋଇ ଜଣେ ହିତାଧିକାରୀ ଦୁର୍ନିତୀ ନିବାରଣ ବିଭାଗର ଦ୍ୱାରସ୍ଥ ହେଉଛି, ସେତିକିବେଳେ, କିଛିଟା କାର୍ଯ୍ୟାନୁଷ୍ଠାନ ହେଉଛି । ନହେଲେ ବିଭାଗ ଚୁପ ବସୁଛି । ତେବେ ସାମଗ୍ରୀକ ଭାବରେ ଦେଖିଲେ ଦୁର୍ନିତୀ ନିବାରଣ ବିଭାଗ ଉପରୁ ଲୋକମାନେ କ୍ରମେ ଆସ୍ଥା ହରାଇବାରେ ଲାଗିଛନ୍ତି । ନିଜ ଅଞ୍ଚଳର ସମସ୍ୟାକୁ ନେଇ ଏହି ବିଭାଗକୁ ପଠାଯାଉଥିବା ଅଭିଯୋଗଗୁଡ଼ିକ ଡେସପାଚ ବିଭାଗରେ ଗ୍ରହଣ କରାଯିବା ପରେ ଫାଇଲରେ ସାଇତା ହୋଇ ରହୁଛି । ଏପରି ସାମୁହିକ ଅଭିଯୋଗ ଉପରେ ପ୍ରାୟତଃ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉ ନାର୍ହି । ଯାହାର ଚିତ୍ର ଗତ ୨ବର୍ଷର ବିଭାଗୀୟ କାର୍ଯ୍ୟାନୁଷ୍ଠାନର ପରିସଂଖ୍ୟାନରୁ ସ୍ପଷ୍ଟ । ଉକ୍ତ ପରିସଂଖ୍ୟାନ ଅନୁଯାୟୀ ଗତ ୨ବର୍ଷ ମଧ୍ୟରେ ଦୁର୍ନିତୀ ନିବାରଣ ବିଭାଗ ପକ୍ଷରୁ ମାତ୍ର ୧୯ଟି ମାମଲା ରୁଜ୍ଜୁ ହୋଇଛି । ସେଥି ମଧ୍ୟରେୁ ୨୦୧୯ ମସିହାରେ ୧୧ଟି ଓ ୨୦୨୦ରେ ମାତ୍ର ୮ଟି ମାମଲା ହୋଇଛି । ୨୦୧୯ ମସିହାରେ ୫ଟି ମାମଲା ଆୟ ବର୍ହିଭୂତ ସମ୍ପତ୍ତି ଠୁଳ, ୫ଟି ଅର୍ଥ ଅର୍ଥ ଆତ୍ମସାତ ଓ ଗୋଟିଏ ଲାଞ୍ଚଜନିତ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ଅନୁରୂପ ୨୦୨୦ରେ କରୋନା ଲକ୍ ଡାଉନ ପାଇଁ ମାମଲା କମିି ବୋଲି ବିଭାଗୀୟ ସୂତ୍ରରୁ ଗଣମାଧ୍ୟମକୁ କୁହାଯାଉଥିବାବେଳେ, ଏହି ବର୍ଷ ୩ଟି ଆୟ ବର୍ହିଭୂତ ଠୁଳ ମାମଲା ଓ ୫ଟି ଲାଞ୍ଚ ଜନୀତ ବୋଲି ମିଳିଥିବା ସୂଚନାରୁ ପ୍ରକାଶ । ତେବେ ଆଖି ଆଗରେ ଗଢ଼ି ଉଠୁଥିବା ରାଜପ୍ରସାଦ ପରି ମାହୋଲ, ନିମ୍ନମାନର କାର୍ଯ୍ୟ କ’ଣ ଦୁର୍ବିତୀ ନିବାରଣ ବିଭାଗ ଦୃଷ୍ଟିକୁ ଆସୁ ନାହିଁ ନା ଅନ୍ୟ କୌଣସି କାରଣରୁ ବିଭାଗୀୟ ପଦାଧିକାରୀ ନିରବ ବସୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।