Odiapua.com

ଦୁର୍ଘଟଣା ରୋକିବା ପାଇଁ ସଡକ ସୁରକ୍ଷା ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଦଳା : ୧୯/୦୮ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ ) ପ୍ରତିଦିନ ବଢିବାରେ ଲାଗିଛି ସଡ଼କ ଦୁର୍ଘଟଣା। ଏନେଇ ସଚେତନତା ଅଭାବ ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଉଛି। ଦୁର୍ଘଟଣା ରୋକିବା ନିମିତ୍ତ ବହୁ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ସୋମବାର ବେଗୁନିଆପଡ଼ା କଲ୍ଯାଣ ମଣ୍ଡପ ଠାରେ ସଡକ ସୁରକ୍ଷା ଓ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଦଳା ଥାନା ଓ ବେଗୁନିଆପଡ଼ା ଫାଣ୍ଡି ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବେଗୁନିଆପଡ଼ା ଜନତା ନୋଡାଲ ମାଧ୍ୟମିକ ବିଦ୍ୟାଳୟ ଓ ଜନତା ବିଜ୍ଞାନ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏଥି ସହିତ କୋଦଳା, ବେଗୁନିଆପଡ଼ା, ସୁମଣ୍ଡଳର ସମସ୍ତ ଅଟୋ ଆସୋସିଏସନ୍ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏନେଇ ଏକ ବିଶାଳକାୟ ସଚେତନତା ଶୋଭାଯାତ୍ରା ବ୍ଲକ ସମ୍ମୁଖରୁ ବାହାରି ବେଗୁନିଆପଡ଼ା ବଜାର ପରିକ୍ରମା କରିଥିଲା। ପୁରୁଷୋତ୍ତମପୁର ଏସ୍ ଡି ପିଓ ନିମାଇଁ ଚରଣ ସେଠୀ ଓ କୋଦଳା ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ନୀଳ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।

ଦିନକୁ ଦିନ ଗାଡି ମୋଟର ଓ ଯାନବାହାନ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାସ୍ତାରେ ଯାତାୟାତ କରୁଥିବା ବେଳେ ସଚେତନତା ଅଭାବରୁ ଅଜାଣତରେ ଅନେକ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି ଏବଂ ଏହା ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି। ଟ୍ରାଫିକ୍ ନିୟମକୁ କଡାକଡି ଭାବେ ପାଳନ କରିବା ସହ ହେଲମେଟ୍ ବ୍ଯବହାର, ମଦପିଇ ଗାଡି ନ ଚଳାଇବା, ଗାଡି ଚାଳନା ବେଳେ ମୋବାଇଲ୍ ଫୋନ୍ ରେ କଥା ନହେବା ଭଳି ଗୁରୁତ୍ବପୂର୍ଣ୍ଣ ବିଷୟକୁ ଧ୍ୟାନ ଦେଲେ ଅନେକ ଦୁର୍ଘଟଣାକୁ ରୋକିବା ସହିତ ଅମୂଲ୍ୟ ଜୀବନ ରକ୍ଷା ହୋଇ ପାରିବ ବୋଲି ଆୟୋଜିତ ସଭାରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ।