Odiapua.com

ଦୁର୍ଘଟଣା ପ୍ରବଣ ପାଗନଈଠାରେ ବ୍ୟାରିକେଟ ନିର୍ମାଣ ଦାବି

ବାଲେଶ୍ୱର, ୨୨ା୨(ଓଡ଼ିଆ ପୁଅ/ଅଭୟ ଦାସ) : ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବା ବାଲେଶ୍ୱର-ଧାମରା ସଲ୍ଟରୋଡ଼ର ପାଗନଈ ପୋଲଠାରେ ବ୍ୟାରିକେଟ ଦାବିରେ ସଲ୍ଟରୋଡ଼ ସୁରକ୍ଷାମଞ୍ଚ ଜିଲାପାଳଙ୍କଠାରେ ଦାବି କରିଛି। ପାଗନଈ ପୋଲ ପୂର୍ବରୁ ରାସ୍ତା ସାମାନ୍ୟ ବଙ୍କା ହେବା ଯୋଗୁଁ ବାଲେଶ୍ୱରରୁ ଆସୁଥିବା ନୂଆ ଲୋକେ ହଠାତ ଜାଣି ନପାରି ସିଧା ଯାଇ ତଳକୁ ଖସି ମୃତ୍ୟୁବରଣ କରୁଛନ୍ତି। ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଥିବାରୁ ପୋଲ ଓ ରାସ୍ତା ପାର୍ଶ୍ୱ ବ୍ୟାରିକେଟ ନିର୍ମାଣ ପାଇଁ ସଲ୍ଟ ରୋଡ ସୁରକ୍ଷା ମଂଚ ପକ୍ଷରୁ ଦାବି ହୋଇଛି। ଏନେଇ ମଞ୍ଚର ଏକ ପ୍ରତିନିଧି ଦଳ ସୋମବାର ଜିଲାପାଳଙ୍କୁ ସାକ୍ଷାତ ସହ ସଲ୍ଟ ରୋଡରେ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବାରମ୍ବାର ଆପତ୍ତି କରିବା ପରେ ବି ବିଭାଗ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ମଞ୍ଚର କର୍ମକର୍ତ୍ତାମାନେ କହିଛନ୍ତି। ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ଗ୍ରହଣ କରା ନଗଲେ ଆଗାମୀ ଦିନରେ ସଲ୍ଟ ରୋଡ଼ ସୁରକ୍ଷା ମଞ୍ଚ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଦାବିପତ୍ର ପ୍ରଦାନ ବେଳେ ରମାନାଥ ବେହେରା, ଯୁଗଳ କିଶୋର ମହାପାତ୍ର, ବିକାଶ କୁମାର ଦାସ, ଚନ୍ଦନ ମଲ୍ଲିକ, ସୌମେନ୍ଦ୍ର ନାରାୟଣ ମହାପାତ୍ର ପ୍ରମୁଖ ସଲ୍ଟ ରୋଡ ସୁରକ୍ଷା ମଂଚର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।