Odiapua.com

ଦୁର୍ଘଟଣାରେ ଯୁବକ ମୃତ, ମୃତକଙ୍କ କ୍ଷତିପୂରଣ ନେଇ ଧାମରା-ବାସୁଦେବପୁର ରାସ୍ତାରୋକ, ଦୀର୍ଘ ୫ଘଂଟା ପରେ ପ୍ରଶାସନର ମଧ୍ୟସ୍ଥିତା ପରେ ଉଠିଲା ରାସ୍ତାରୋକ

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କରଞ୍ଜମାଳ ପଂଚାୟତର ଜଣେ ଯୁବକ ପ୍ରାଣ ହରାଇଥିଲା । ଏହି ଯୁବକର ପରିବାରକୁ ପ୍ରଶାସନର କ୍ଷତିପୂରଣକୁ ନେଇ ଆଜି ସକାଳ ୮ଟା ଠାରୁ ଧାମରା- ବାସୁଦେବପୁର ମୁଖ୍ୟ ରାସ୍ତାକୁ କରଞ୍ଜମାଳ ଠାରେ ସାଧାରଣ ଜନତା ରାସ୍ତା ରୋକ କରିଥିଲେ । ପରେ ପ୍ରଶାସନର ମଧ୍ୟସ୍ଥିତା ପରେ ଏହି ରାସ୍ତା ରୋକ ଉଠିଥିଲା । ଘଟଣାରୁ ପ୍ରକାଶ କରଞ୍ଜମାଳ ଠାରେ ଏକ ଅଜଣା ବାଇକ ଆରୋହୀ ସାଇକେଲରେ ନିଜ ଘରକୁ ଫେରୁଥିବା ହୃଦୟପ୍ରସାଦ ଗ୍ରାମର ରାମ ପ୍ରସାଦ ମାଇତିଙ୍କୁ ସାମନା ପଟୁ ପିଟିଥିଲା ଫଳରେ ରାମପ୍ରସାଦ ଗୁରୁତ୍ୱର ଅବସ୍ଥାରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀ ସାମନ୍ୟ ଆହତ ହୋଇ ସେହି ସ୍ଥାନରୁ ପଳାଇଯାଇଥିଲେ ବୋଲି ସୂଚନା ମିଳିଛି । ଆଜି ମୃତକଙ୍କ ପରିବାର ତଥା କରଞମାଳ ପଂଚାୟତବାସୀ କରଞ୍ଜମାଳ ଠାରେ ନିର୍ମାଣଧୀନ କଲଭର୍ଟ ଠାରେ ସକାଳ ୮ଟା ଠାରୁ ରାସ୍ତା ରୋକ କରି ବସିଥିଲେ ।

ଧାମରା-ଜାନୁଝାଡି ରାସ୍ତା ନିର୍ମାଣ କରୁଥିବା ୟୁଏମଏସଏଲ କମ୍ପାନୀର ବେଫିକର ମନୋଭାବ ଯୋଗୁ ଏହି ଦୁର୍ଘଟଣା ଘଟିଥିଲା ବୋଲି ସାଧାରଣ ଜନତା ଦାବୀ କରିଛନ୍ତି । ଫଳରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ନ ମିଳିଲେ ସେମାନେ ରାସ୍ତା ରୋକରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଥିଲ । କରଞ୍ଜମାଳ ଫାଣ୍ଡି ଅଧିକାରୀ ଆସି ରାସ୍ତା ରୋକ କରିଥିବା ସାଧାରଣ ଜନତାଙ୍କୁ ଆଜି ନୂଆ ବର୍ଷରେ ରାସ୍ତା ନିର୍ମାଣ କରୁଥିବା ସଂସ୍ଥାର ପରିଚାଳକ କିମ୍ବା ସାଇଟ ଇନଚାର୍ଯ୍ୟ ନଥିବାରୁ ଆସନ୍ତା କାଲି (ରବିବାର) ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ସେମାନଙ୍କୁ ଡକାଇ ଆଲୋଚନା କରାଯିବ ବୋଲି କହିଥିଲେ ମଧ୍ୟ ଏହି କଥାକୁ ସାଧାରଣ ଜନତା ଗ୍ରହଣ କରି ନଥିଲେ । ଅପରାହ୍ଣ ୧ଟା ସମୟରେ ବାଂଶଡା ଥାନାଧିକାରୀ ଆସି ନିଶ୍ଚୟ ଆସନ୍ତା କାଲି ଏହାର ତୂରିତ ସମାଧାନ କରାଯିବ ବୋଲି କହିବା ସହ ସେମାନଙ୍କୁ ଏହି ରାସ୍ତା ରୋକରୁ ହଟିବା ପାଇଁ ଅନୁରୋଧ କରିଥିଲେ । ଫଳରେ ମୃତକଙ୍କ ପରିବାର ଏବଂ ପଂଚାୟତବାସୀ ରାସ୍ତା ରୋକରୁ ହଟିଥିଲେ । ସକାଳ ୮ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ କରଞ୍ଜମାଳ ଠାରେ ରାସ୍ତା ରୋକ ଯୋଗୁ ସମସ୍ତ ଯାନବାହାନ ରାସ୍ତାର ୨ପାଶ୍ୱର୍ରେ ଅଟକି ରହିଥିବା ବେଳେ ଅପରାହ୍ଣରେ ଏହି ରାସ୍ତା ଯାତପୋଯୋଗୀ ହୋଇ ପରିଥିଲା । ଦୁର୍ଘଟଣା ସ୍ଥଳରେ କଲଭର୍ଟ ନିର୍ମାଣର କୌଣସି ବୋର୍ଡ କିମ୍ବା ସାଇନବୋର୍ଡ ଲଗାଯାଇ ନଥିବାରୁ ଏଠାରେ ଦିନକୁ ଦିନ ଦୁର୍ଘଟଣା ଘଟି ଚାଲିଛି ,ତୁରନ୍ତ ଏହି ସ୍ଥାନରେ କଲଭର୍ଟ ଶୀଘ୍ରନିର୍ମାଣ କରାଯିବା ସହ ନିର୍ମାଣ ଶେଷ ପର୍ଯ୍ୟନ୍ତ ସାଇନବୋର୍ଡ ଲଗାଇବାକୁ ସାଧାରଣ ଜନତା ଦାବୀ ଜଣାଇଛନ୍ତି ।