Odiapua.com

ଦୁର୍ଘଟଣାରୁ ବର୍ତ୍ତିଲେ ଭଦ୍ରକ ଏସ.ପି. ମୀନା

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପୁଲିସ ଅଧିକ୍ଷକ ଚରଣ ସିଂ ମୀନା ଆଜି ଦିନ ପ୍ରାୟ ୧୦ ଟା ସମୟରେ ସଡକ ଦୁର୍ଘଟଣାର ଶିକାର ହୋଇ ବର୍ତ୍ତିଯାଇଛନ୍ତି । ଏସ.ପି.ଶ୍ରୀ ମୀନା ପାଣିକୋଇଲିରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଭଣ୍ଡାରିପୋଖରୀ ବଜାର ସମବାୟ ଓ ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଓଡି ୧୭ ଏମ ୮୧୭୮ ନଂ ୧୪ ଚକିଆ ସିମେଣ୍ଟ ବୋଝେଇ ଟ୍ରକ ଏସ.ପି.ଙ୍କ କାରକୁ ଧକ୍କା ଲଗାଇଥିଲା । ୧୬ ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ କରୁଥିବା ଠିକାଦାର ସଂସ୍ଥା ଏଠାରେ ଜାତୀୟ ରାଜପଥର ଗୋଟିଏ ପଟେ ଯାନବହାନ ଚଳାଚଳ କରୁଥିବାରୁ ହମ୍ପସ୍ ନିର୍ମାଣ କରିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ହମ୍ପସ ନିକଟରେ ଏସ.ପି.ଙ୍କ ଗାଡି ବ୍ରେକ ମାରି ଗତି ଧିର କରିଦେବାରୁ ପଛପଟୁ ଦ୍ରୁତ ଗତିରେ ଆସୁଥିବା ୧୪ ଚକିଆ ଟ୍ରକଟି ନିୟନ୍ତ୍ରଣ ରଖିନପାରି ଡାହାଣ ପଟେ ଅତିକ୍ରମ କରିବାକୁ ଚେଷ୍ଟା କରି ଏସ.ପି.ଙ୍କ ଗାଡିର ଡାହାଣ ପାଖରେ ଧକ୍କା ଦେଇଥିଲା । ଏଥିରେ ଏସ.ପି.ଙ୍କ କାରର ଡାହାଣ ପାଖରେ କ୍ଷତି ଘଟିଥିବା ବେଳେ ଏସ.ପି. ଶ୍ରୀ ମୀନା ଓ ଚାଳକ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ଘଟାଇ ଟ୍ରକଟି ପଳାଇଯାଉଥିବା ବେଳେ ପୁଲିସ ହନୁମାନ ମନ୍ଦିର ନିକଟରୁ ଟ୍ରକଟିକୁ ଧରିଥିଲା । ଉଭୟ ଟ୍ରକ ଜବତ କରିବା ସହ ଚାଳକକୁ ପୁଲିସ ଅଟକ ରଖିଥିବା ବେଳେ ଖବର ଲେଖାଯିବା ଯାଏ ମାମଲା ଋଜୁ ହୋଇନଥିବା ଜଣାଯାଇଛି ।