ହାଟଡିହି-୧୬ / ୩, (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ହଦଗଡ ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଦଲକି, ପିତାନାଉ ଅଞ୍ଚଳକୁ ଯାଇ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି ବିଡିଓ ବିନିତା ବିଜୟିନୀ। ହଦଗଡ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏହି ଗାଁ ଗୁଡିକୁ ଯିବାକୁ ହେଲେ କାଂକଟା ଦେଇ ୩୦ରୁ ୪୦କିଲୋମିଟର ଗାଡିରେ ଯିବାକୁ ପଡେ। ନଚେତ ଜଳପଥରେ ୭କିଲୋମିଟର ହଦଗଡ ଡ୍ୟାମ ଭିତର ଦେଇ ଏହି ଗାଁକୁ ଯିବାକୁ ହୁଏ। ଦଲକି ସ୍କୁଲରେ ଓମବାଡସି ଅନୁଦାନରେ ଏକ ଘର ଆସିଥିବାରୁ ଏହି ଘର ନିର୍ମାଣପାଇଁ ସ୍ଥାନ ନିରୁପଣ କରିବା ସହିତ ଲୋକଙ୍କ ସମସ୍ୟା ବୁଝିବାପାଇଁ ବିଡିଓ ବିନିତା ବିଜୟିନୀ, ସିଡିପିଓ ସରସ୍ୱତୀ ସେଠୀ, ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ହଦଗଡ ରେଞ୍ଜର ସୁମିତ ମହାନ୍ତି, ସହକାରୀଯନ୍ତ୍ରୀ ତପନ ପଲେଇ, ଯନ୍ତ୍ରୀ ସଂଯୁକ୍ତା ବେଉରିଆ, ଶ୍ରଦ୍ଧାଞ୍ଜଳୀ ସାହୁ, ପିଇଓ ଜିତେନ୍ଦ୍ର ଜେନା ପ୍ରମୁଖ ବୋଟରେ ଯାଇ ଏହି ଗାଁର ଲୋକମାନଙ୍କ ଦୁଃଖ ବୁଝିଛନ୍ତି। ବିଡିଓ ସେଠାରେ ପହଞ୍ଚି ସ୍କୁଲରେ କିପରି ଶିକ୍ଷାଦାନ ଚାଲିଛି ସେ ସମ୍ପର୍କରେ ପିଲାମାନଙ୍କୁ ପଚାରି ବୁଝିବା ସହିତ, ଘର ନିର୍ମାଣ ପାଇଁ ଯାଗା ନିରୁପଣ କରିଥିଲେ। ପରେ ଗାଁ ଲୋକଙ୍କ ସହିତ ବିଭିନ୍ନ ସରକାରୀ ଯୋଜନା ସଫଳ ରୁପାୟନ ସମ୍ପର୍କରେ ଆଲୋଚନା କରିଥିଲେ। କାଠକଟା ବାଟଦେଇ ଆସିବାବେଳେ ରାସ୍ତାରେ କେତୋଟି ସ୍ଥାନରେ ନାଳ ପଡୁଥିବାରୁ ଓ ବର୍ଷା ହେଲେ ହଠାତ ବୁଡିଯାଉଥିବାରୁ ଯାତାୟତରେ ନାନା ଅସୁବିଧା ଭୋଗ କରୁଛନ୍ତି ବୋଲି ଗ୍ରାମବାସୀମାନେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରି ସେହି ସବୁ ନାଳ ଉପରେ ପୋଲ ନିର୍ମାଣ କରିବାକୁ ବିଡିଓଙ୍କୁ ନିବେଦନ କରିଥିଲେ। ଦୁର୍ଗମ ଅଞ୍ଚଳରେ ଗୋଟିଏ ଦିନରେ ସମସ୍ତ ଅଧିକାରୀ ମାନଙ୍କୁ ପାଖରେ ପାଇ ଗାଁ ଲୋକେ ଖୁବ ଖୁସି ଅନୁଭବ କରିଥିଲେ।
ଦୁର୍ଗମ ଅଞ୍ଚଳକୁ ଯାଇ ଲୋକଙ୍କ ସମସ୍ୟା ବୁଝିଲେ ବିଡ଼ିଓ
