Odiapua.com

ଦୁଗ୍ଧ ଉଦ୍ୟୋଗ ବିକାଶ ଯୋଜନା ସଂକ୍ରାନ୍ତୀୟ ଜିଲ୍ଲାସ୍ତରୀୟ କର୍ମଶାଳା

ଜଗତସିଂହପୁର-୨୩/୮ (ଓଡିଆ ପୁଅ / ନୃସିଂହ ଚରଣ ବାରିକ) – ଜିଲ୍ଲାପାଳଙ୍କ ସଦ୍ ଦ୍ଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲ୍ଲାରେ ଦୁଗ୍ଧ ଉଦ୍ୟୋଗ ବିକାଶ ଯୋଜନା ସଂକ୍ରାନ୍ତୀୟ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ନାବାର୍ଡ ବ୍ୟାଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଜଗତସିଂହପୁର ଜିଲ୍ଲା ଦୁଗ୍ଧ ଉତ୍ପାଦନରେ ରାଜ୍ୟରେ ଏକ ଅଗ୍ରଣୀ ଜିଲ୍ଲା। ଜିଲ୍ଲାବାସୀ ଗୋ ପାଳନକୁ ଭଲ ପାଆନ୍ତି। ବ୍ୟାଙ୍କର ମାନେ ଜିଲ୍ଲାର ଦୁଗ୍ଧ ଚାଷୀଙ୍କୁ ଋଣ ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ ନକରିବା ପାଇଁ ପରାମର୍ଶ ଦେଇଥିଲେ। ଦୁଗ୍ଧ ଚାଷୀ ଦୁଗ୍ଧ ପ୍ରକ୍ରିୟା କରଣ ୟୁନିଟ୍, ମୂଲ୍ୟଯୁକ୍ତ ଦୁଗ୍ଧ ଉତ୍ପାଦ ପ୍ରସ୍ତୁତି କଲେ ଅଧିକ ଲାଭବାନ୍ ହୋଇପାରିବେ। ୨୦୧୮-୧୯ ଆର୍ଥିକ ବର୍ଷ ଠାରୁ ୨୦୧୯-୨୦ ଆର୍ଥିକ ବର୍ଷରେ ଅଧିକ ଚାଷୀଙ୍କୁ ଋଣ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବ୍ଲକ ପ୍ରାଣୀ ଚିକିତ୍ସକ ଓ ବ୍ୟାଙ୍କର ମାନେ ଦୁଗ୍ଧ ଚାଷୀଙ୍କୁ ଠିକ୍ ସମୟରେ ଆବଶ୍ୟକୀୟ ଋଣ ପ୍ରଦାନ କରିବା ସହିତ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସବ୍ ସିଡ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଋଣ ପ୍ରଦାନ ପ୍ରକ୍ରିୟାକୁ ସଠିକ୍ ପରିଚାଳନା ନିମନ୍ତେ ପ୍ରାଣୀ ଚିକିତ୍ସକ ଓ ବ୍ୟାଙ୍କର ମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଏହି କର୍ମଶାଳାକୁ ପରିଚାଳନା କରିବା ସହିତ ନାବାର୍ଡର ଜିଲ୍ଲା ଉନ୍ନୟନ ପରିଚାଳକ ଶ୍ରୀ ବିଶ୍ୱ ଭୁଷଣ ମହାନ୍ତି କହିଲେ ଭାରତ ପୃଥିବୀରେ ଦୁଗ୍ଧ ଉତ୍ପାଦନରେ ଏକ ନମ୍ବର ଦେଶ ଅଟେ। ଶତକଡା ୨୦ ପ୍ରତିଶତ ଦୁଗ୍ଧ ଜାତ ଦ୍ରବ୍ୟ ବିଦେଶକୁ ରତ୍ପାନୀ ହୁଏ। ଜଗତସିଂହପୁର ଦୁଗ୍ଧ ଚାଷ ପାଇଁ ଉପଯୁକ୍ତ ସ୍ଥାନ ଅଟେ। ବାଲିକୁଦା ବ୍ଲ୍ଲକରେ ଦୁଗ୍ଧ ଉଦ୍ୟୋଗ ବିକାଶ ପାଇଁ ପ୍ରକୃଷ୍ଟ ସୁବିଧା ସୁଯୋଗ ରହିଛି। ବ୍ୟକ୍ତିଗତ ଚାଷୀ, ଗୋଷ୍ଠୀ ଆକାରରେ, ଡାଇରୀ ସମବାୟ ସମିତୀ କିମ୍ବା ମିଲ୍ କ ୟୁନିୟନ ସଦସ୍ୟ ଭାବରେ ଦୁଗ୍ଧ ଉଦ୍ୟୋଗ ପାଇଁ ବ୍ୟାଙ୍କ ଋଣ ପ୍ରଦାନ କରାଯାଉଛି। ସାଧାରଣ ବର୍ଗର ଚାଷୀଙ୍କ ପାଇଁ ୨୫ପ୍ରତିଶତ ଓ ଅନୁସୂଚିତ ଜାତି ଓ ଜନଜାତି ଚାଷୀଙ୍କ ପାଇଁ ୩୩.୩୩ ପ୍ରତିଶତ ସବ୍ ସିଡ୍ ପ୍ରଦାନ କରାଯାଉଛି। ଏତଦ୍ ବ୍ୟତୀତ ଦୁଧିଆଳି ଗାଈ ଓ ଭର୍ମି କମ୍ପୋଷ୍ଟ ୟୁନିଟ୍, ଦୁଗ୍ଧ ପ୍ରକ୍ରିୟା କରଣ ୟୁନିଟ୍ ଯନ୍ତ୍ରାଂଶ ଓ ଦୁଗ୍ଧ ଜାତ ଦ୍ରବ୍ୟ ପରିବହନ, ଦୁଗ୍ଧ ଜାତ ଦ୍ରବ୍ୟ ସଂରକ୍ଷଣ ନିମନ୍ତେ ଶୀତଳ ଭଣ୍ଡାର, ଗୁହାଳ ନିର୍ମାଣ ନିମନ୍ତେ ଋଣ ଓ ସବ୍ ସିଡ୍ ପ୍ରଦାନ କରାଯାଉଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କହିଲେ ୨୦୧୮-୧୯ ବର୍ଷରେ ୬୩ଟି ଧାର୍ଯ୍ୟ ଲକ୍ଷ୍ୟ ଥିବାବେଳେ ଜିଲ୍ଲାରେ ୧୪୬ ଜଣ ଚାଷୀଙ୍କୁ ଋଣ ପ୍ରଦାନ କରାଯାଇ ସବ୍ ସିଡ୍ ମିଳିଛି। ପ୍ରତିଦିନ ଜିଲ୍ଲାରୁ ୨ଲକ୍ଷ ଲିଟର କ୍ଷୀର ବାହାରକୁ ଯାଉଛି। ବ୍ୟାଙ୍କ ମାଧ୍ୟମରେ ୧୪୬ ଚାଷୀଙ୍କୁ ୮୩ କୋଟି ୪୦ ଲକ୍ଷ ଋଣ ପ୍ରଦାନ କରାଯାଇଛି। ଏହାଦ୍ୱାରା ସାଧାରଣ ଲୋକଙ୍କର ଜୀବନ ଜୀବିକାରେ ଉନ୍ନତି, ଅର୍ଥନୈତିକ ଅଭିବୃଦ୍ଧି ଓ ଆମ ନିଯୁକ୍ତି ପାଇ ପାରିଛନ୍ତି। ଆପିକଲ୍ ର ଜଗତସିଂହପୁର ନୋଡାଲ ଅଫିସର ଶ୍ରୀ ରବିନ୍ଦ୍ର ନାଥ ଦାସ ଯୋଗଦେଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବ୍ୟବସାୟିକ ଗାଈ ଓ ମଇଁଷି ପାଳନ ଉପରେ ସୂଚନା ପ୍ରଦାନ କରିଥିଲେ। ଏହି ଯୋଜନାରେ ଚାଷୀଙ୍କୁ ଅଧିକ ସବ୍ ସିଡ୍ ପ୍ରଦାନ କରାଯାଏ। ଏଲ୍ .ଡି.ଏମ୍ ଶ୍ରୀ ସତୀଶ କୁମାର ପାତ୍ର ଯୋଗଦେଇ କହିଲେ ଦୁଗ୍ଧ ଚାଷ ନିମନ୍ତେ କେନ୍ଦ୍ର ସରକାରଙ୍କ ନାବାର୍ଡ ମାଧ୍ୟମରେ ଋଣ ପ୍ରଦାନ କରାଯାଉଛି। ବ୍ୟକ୍ତିଗତ ଅପେକ୍ଷା ଗୋଷ୍ଠୀ ମାଧ୍ୟମର ଅଧିକ ଋଣ ପ୍ରଦାନ କରାଯାଉଛି। ଗୋପାଳନ ଦ୍ୱାରା ଅତିରିକ୍ତ ଆୟ ହୋଇପାରୁଛି।