Odiapua.com

ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର, ଲୋକକଳା ଜରିଆରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ନେଇ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ମତେ ଓଡ଼ିଶା ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗଯୋଗ ନେଇ ହେବାକୁଥିବା ସଚେତନତା କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସଂସ୍କୃତି ଭବନରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡୁ ଉଦ୍‌ଘାଟନ କରି ଏହି ଅଭିଯାନର ଆଭିମୁଖ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ସୂଚନା ଯୋଗ୍ୟ କି ଏହି ଅଭିଯାନ ଜରିଆରେ ଲୋକକଳାର ସୁରକ୍ଷା, ପ୍ରଚାର, ପ୍ରସାର ଲୋକ କଳାକାର ମାନଙ୍କ ଜୀବନ ଜୀବିକା ପାଇଁ ରୋଜଗାର ସାଙ୍ଗକୁ ସର୍ବାଧିକ ଲୋକ ଉପକୃତ ହେଉଥିବା କେତୋଟି ସରକାରୀ ଯୋଜନା ସମ୍ବନ୍ଧରେ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ସଚେତନ କରାଯାଇପାରିବ । ବିଶେଷ କରି ପାଲା, ଦାସକାଠିଆ, ଘୋଡ଼ାନାଚ ଓ ବିଭିନ୍ନ ଲୋକନୃତ୍ୟ ଓ ଲୋକ ସଂଗୀତ ଜରିଆରେ ଏହି କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ପରିଚାଳିତ ଏହି ଶିବିରରେ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା କାର୍ଯ୍ୟକ୍ରମର ରୂପରେଖ ସମ୍ବନ୍ଧରେ ଉପସ୍ଥାପନ ରଖିଥିଲେ ।

ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ସ୍ତରରୁ ଆସିଥିବା ପ୍ରଶିକ୍ଷକ ପ୍ରଫୁଲ୍ଲ ସାମନ୍ତରାୟଙ୍କ ସହ ରାଜ୍ୟସ୍ତରୀୟ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିବା ଏହି ଶିବିର ପାଇଁ ପ୍ରଶିକ୍ଷକ ଭାବେ ବିଶିଷ୍ଟ କଳାକାର ବାଦଲ ସିକ୍‌ଦାର, ବନ୍ତ ବ୍ଲକ୍ କଳା ସଂସ୍କୃତି ସଂଘର ଉପସଭାପତି ନବ କୁମାର ଲେଙ୍କା ଏହି ଶିବିରରେ ଯୋଗଦେଇ ଏହି କାର୍ଯ୍ୟକ୍ରମର ସଫଳ ରୂପରେଖ ଓ ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରି ପ୍ରଶିକ୍ଷାର୍ଥୀ ମାନଙ୍କର ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ । ସରକାରଙ୍କ ଜନ ହିତାଧିକାରୀ ଯୋଜନା ମମତା ଯୋଜନା, ଆମ ହସ୍‌ପିଟାଲ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ମଧୁବାବୁ ପେନ୍‌ସନ୍‌, ମିଶନ୍ ଶକ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା ଯୋଜନା, ଫସଲ ଋଣ ସୁଧରିହାତି, କ୍ରୀଡ଼ା, ଆମ ଓଡ଼ିଶା ନବୀନ ଓଡ଼ିଶା, ୫-ଟି ସ୍କୁଲ ରୂପାନ୍ତରୀକରଣ ସମ୍ବନ୍ଧରେ ବିଭାଗୀୟ ଅଧିକାରୀମାନେ ବିଶେଷଜ୍ଞ ଭାବେ ତଥ୍ୟ ପ୍ରଦାନ କରିଥିଲେ । ସେମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପଲତା ପାତ୍ର, ଜିଲ୍ଲା କ୍ରୀଡ଼ାଧିକାରୀ ପଦ୍ମନ ରାୟ, ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଅନୀତା ରାଣୀ ରାଉତ, ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ୍ ପ୍ରମୁଖ ଥିଲେ । ପ୍ରଶିକ୍ଷାର୍ଥୀ ଭାବେ ଜିଲ୍ଲା ୭ଟି ବ୍ଲକ୍‌ର ବ୍ଲକ୍ କଳାକାର ସଂଘର ଉପସଭାପତି, ପ୍ରତି ବ୍ଲକ୍‌ରୁ ଦୁଇଜଣ ଲେଖାଏଁ ବିଶିଷ୍ଟ କଳାକାର, ବ୍ଲକ୍ କଳାକାର ସଂଘର ଦାୟିତ୍ୱରେ ଥିବା ବି.ଏସ୍‌.ଏସ୍‌.ଓ. ଅଧିକାରୀ ମାନେ ଏହି ଶିବିରରେ ଯୋଗଦେଇ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ପାଇଁ ତାଲିମ ଗ୍ରହଣ କରିଥିଲେ ।