Odiapua.com

ଦୁଇ ଅପହରଣକାରୀ ପୁଲିସ ହାତରେ ଧରାପଡିଲେ

କୋରେଇ ୧୭/୮ (ଓଡ଼ିଆ ପୁଅ/ଭାସ୍କର ସାହୁ) ଭୁବନେଶ୍ୱର କମିସନରେଟ ପୁଲିସ ଆଖିରେ ଧୁଳିଦେଇ ଖସିଯାଉଥିବା ଦୁଇ ଅପହରଣକାରୀଙ୍କୁ କାବୁ କରିଛି ପାଣିକୋଇଲି ପୁଲିସ। ଭୁବନେଶ୍ୱରରୁ ଜୈନିକ ଗ୍ୟାରେଜ ମିସ୍ତ୍ରୀକୁ ଅପହରଣକରି ମଙ୍ଗୁଳି ଟୋଲଗେଟ ଭାଙ୍ଗି ଖସି ଆସିଥିବା ଦୁଇ ଅପହରଣକାରୀଙ୍କୁ ଗାଡି ସହ ପାଣିକୋଇଲି ଟୋଲ ଗେଟ ନିକଟରୁ ଧରିଛି ପୁଲିସ। ସୂଚନାମୁତାବକ ଝାଡଖଣ୍ଡ ରାଜ୍ୟ ସିଂହଭୁମି ଜିଲ୍ଲା ମଙ୍ଗୋଲଡିହ ଗ୍ରାମର ରାକେଶ କୁମାର ଝା (୨୪) ଓ ରଜନୀକାନ୍ତ ଝା(୨୦) ନିଜ ୪ ଚକିଆ ଗାଡି ନେଇ େକୌଣସି କାମରେ ଭୁବନେଶ୍ୱର ଆସିଥିବା ବେଳେ ଗାଡି ଖରାପ ହେବାରୁ ଭୁବନେଶ୍ୱର ସହିଦନଗରସ୍ଥିତ ଏକ ଗ୍ୟାରେଜରେ ମରାମତି କରିଥିଲେ। ମରାମତି ପରେ ଗାଡିର ବିଲ୍ ବା ଖର୍ଚ ଟଙ୍କାକୁ ନେଇ ଉଭୟେ ଗ୍ୟାରେଜ ମାଲିକଙ୍କ ସହିତ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଗ୍ୟାରେଜରେ କାମ କରୁଥିବା ଜଣେ ମିସ୍ତ୍ରୀକୁ ଜୋର ଜବରଦସ୍ତ ଗାଡିରେ ଭର୍ତିକରି କଟକ ଆଡେ ପଳାଇଆସିଥିଲେ। ଏ ସଂପର୍କରେ ଗ୍ୟାରେଜର ଅନ୍ୟ କର୍ମଚାରୀ ପୁଲିସକୁ ସୂଚନା ଦେବାପରେ କମିସନରେଟ ପୁଲିସ ରାଜପଥ କଡର ସମସ୍ତ ଥାନାକୁ ଖବର ଦେଇଥିଲେ। ପୁଲିସ ଗାଡି ତାଙ୍କୁ ପିଛା କରୁଥିବା ଜାଣି ଗାଡିଟି ଗାଡିଟି ଦ୍ରୁତ ଗତିରେ ଆଣି ବାଟରେ ଗ୍ୟାରେଜ ପିଲାକୁ ପ୍ରବଳ ମାଡ ମାରିବା ସହିତ ଗାଡିରୁ ଠେଲିଦେଇ ଖସି ଆସିଥିଲେ।ପୁଲିସ ଭୟରେ ଦ୍ରୁତଗତିରେ ଗାଡି ଆଣି ମଙ୍ଗୁଳି ଟୋଲ ଗେଟକୁ ମଧ୍ୟ ଭାଙ୍ଗି ଦେଇଥିଲେ।ଏନଏଚ୧୬ରେ ପାଟ୍ରୋଲିଂ କରୁଥିବା ଧର୍ମଶାଳା ପୁଲିସ ପିଛା କରିବାରୁ ପାଣିକୋଇଲି ପର୍ଯ୍ୟନ୍ତ ପଳାଇ ଆସିଥିଲେ। ଧର୍ମଶାଳା ପୁଲିସ ମଧ୍ୟ ଗାଡିର ପିଛା କରି ପାଣିକୋଇଲି ଟୋଲ ଗେଟରେ ପହଂଚିଥିଲା। ପାଣିକୋଇଲି ଟୋଲଗେଟ ଜାମ ଥିବାରୁ ନିରୁପାୟ ହୋଇ ଗାଡି ଛାଡି ଧାନ ବିଲରେ ଦୌଡିଥିଲେ। ଖବରପାଇ ପୁର୍ବରୁ ଜଗି ରହିଥିବା ପାଣିକୋଇଲି ପୁଲିସ ତାଙ୍କୁ ବିଲ ମଝିରେ କାବୁ କରି ଥାନାକୁ ଆଣିଥିଲା। ଉଭୟଙ୍କ ବାପା ଅବସରପ୍ରାପ୍ତ ମିଲିଟାରୀ କର୍ମଚାରି ବୋଲି ଜଣାପଡିଛି। କମିସନରେଟ ପୁଲିସ ପାଣିକୋଇଲି ଥାନାରେ ପହଂଚି ଦୁଇ ଅଭିଯୁକ୍ତଙ୍କୁ ଗାଡି ସହ ନେଇ ତଦନ୍ତ ଜାରି ରଖିଛି ବୋଲି ପାଣିକୋଇଲି ଥାନାଧିକାରୀ ସସ୍ମିତା ସାହୁ ସୂଚନା ଦେଇଛନ୍ତି।