Odiapua.com

ଦୁଇବର୍ଷର ଶିଶୁ କିଡନୀ ପିଡିତ ଚିକିତ୍ସାପାଇଁ ଅର୍ଥ ବାଧକ

ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସବୁକିଛି ଠିକ୍‌ଠାକ୍ ଥିଲା । ହେଲେ ଶିଶୁର ପ୍ରତିଶେଧକ ଟୀକାକରଣ ହେବା ପରେ ସବୁକିଛି ବିଗିଡିଗଲା । ଟୀକାକରଣ ହେବାର ଦିନ କେଇଟା ନଯାଉଣୁ ଶିଶୁଟିର ଗୋଡହାତ ଫୁଲିଯିବା ସହିତ ପ୍ରବଳ ବାନ୍ତି ଆରମ୍ଭ ହୋଇ ଯାଇଥିଲା । ଶିଶୁର ମା-ବାପା ଶିଶୁଟିକୁ ଆରଡି ଡାକ୍ତରଖାନାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ନେଇ ଚିକିତ୍ସା କରାଇଥିଲେ । ହେଲେ ଆଳୁ ଖୋଜୁ ଖୋଜୁ ମହାଦେବ ବାହାରିବା ଭଳି କଟକ ଡାକ୍ତର କହିଲେ ଶିଶୁଟିର କିଡନୀ କାମ କରୁ ନାହିଁ । ଭଲ କରିବାକୁ କେବଳ ସମୟ ନୁହେଁ ପରନ୍ତୁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି । ହେଲେ ମୂଲ ଲାଗିଲେ ଚୂଲି ଜଳୁଥିବା ଏକି ଦରିଦ୍ର ପରିବାର ସକାସେ ସଂପୁର୍ଣ୍ଣ ଅସମ୍ଭବ ସାବ୍ୟସ୍ତ ହୋଇଥିଲା । ଅଗତ୍ୟା ଅସୁସ୍ଥ ଶିଶୁଟିକୁ ଧରି ଘରକୁ ଫେରିଆସିଥଲେ ପରିବାର । ଏବେ ଦିନ ଯେତିକି ଗଡି ଚାଲିଛି ଝିଅର ରୋଗ ସେତିକି ବଢି ଚାଲିଛି । ତଥାପି ଆଶା ହରାଇ ନାହାନ୍ତି ପରିବାର । ସରକାରୀ ସାହାର୍ଯ୍ୟ ନଚେତ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ତାଙ୍କ ଝିଅର ରୋଗ ଭଲ ହୋଇଯିବ ଆଉ ପୁଣି ତାଙ୍କ ସଂସାର ହସିଉଠିବ ଏଇ ପରିକଳ୍ପନା ନେଇ ଏବେ ଦୀନ କାଟୁଛନ୍ତି ଗରୀବ ପ୍ରେମାନନ୍ଦ ପରିବାର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଂଚାୟତ ବାଙ୍କମୁହାଁ ଗ୍ରାମର ଭିନ୍ନକ୍ଷମ ପ୍ରେମାନନ୍ଦ ନାୟକ । ପରିବାର କହିଲେ ନିଜର ପତ୍ନୀ ପ୍ରିୟତମା,ବଡଝିଅ ପ୍ରଜ୍ଞା(୭ବର୍ଷ),ପୁଅ ପ୍ରତ୍ୟୁଷ(୬ ବର୍ଷ),ସାନଝିଅ ପ୍ରିୟଙ୍କା(୨ବର୍ଷ)ଭିନ୍ନକ୍ଷମ ଭଉଣୀ ଏବଂ ବୃଦ୍ଧା ଶାଶୁ-ଶଶୁର ।

ଆଠପ୍ରାଣୀ କୁଟୁମ୍ଭ ଙ୍କୁ ନେଇ ଭିନ୍ନକ୍ଷମ ପ୍ରେମାନନ୍ଦଙ୍କ ସଂସାର । ନିଜର ବୋଲି ସେମିତି କିଛି ଯାଗାଜମି ନାହିଁ । ପରଘରେ ମୂଲମଜୁରୀ ଲାଗି ସେମାନେ ଚଳନ୍ତି । ଗତ ୩ ମାସ ତଳେ ସାନଝିଅ ପ୍ରୟଙ୍କାଙ୍କୁ ଶିଶୁ ପ୍ରତିଶେଧକ ଟୀକାରଣ କରାଯାଇଥିଲା । ପରିବାରଙ୍କ କହିବା ଅନୁଯାଇ ଶିଶୁଟିକୁ ଟୀକାରଣର ବୁଷ୍ଟର ଡୋଜ ଦିଆଯିବାର ଦୁଇତିନିଦିନ ପରେ ଝିଅଟି ହଠାତ ଅସୁସ୍ଥ ହୋଇ ପଡିଥିଲା । ଗୋଡହାତ ‘ୁଲିଯିବା ସହିତ ପ୍ରବଳ ବାନ୍ତି ଆରମ୍ଭ ହୋଇ ଯାଇଥିଲା । ତେବେ ଡାକ୍ତରମାନେ ଏହାକୁ ଥଣ୍ଡାଜ୍ୱର ଆଖ୍ୟାଦେଇ ଅଣଦେଖା କରିବାରୁ ରୋଗ ଅଧିକ ଜଟିଳ ହେବାରେ ଲାଗିଥିଲା । ପାଖରେ ଯାହାକିଛି ସମ୍ଭଳଥିଲା ତାକୁ ବିକିଭାଙ୍ଗି ଝିଅର ଚିକିତ୍ସା କରାଇଥିଲେ । ହେଲେ ରୋଗ କମି ନଥିଲା । ଅଗତ୍ୟା ଝିଅକୁ କଟକନେଇ ତାର ଚିକତ୍ସା କରାଯାଇଥିଲା । ଶେଷରେ ଡାକ୍ତର ଝିଅ କିଡନୀ ରୋଗରେ ପିଡିତ କହି ଝିଅକୁ ଫେରାଇ ଦେଇଥିଲେ । ଏବେ ଘରେ ବିନା ଚିକିତ୍ସାରେ ଝିଅଟିର ରୋଗ ବଢି ଚାଲିଥିବା ବେଳେ ଝିଅର ବିକଳ ଦେଖି କେବଳ ଆଖିରୁ ଲୁହ ଗଡାଉଛନ୍ତି ପରିବାର । ସାହି ପଡିଶା ଲୋକେ ଝିଅଟିର ଚିକିତ୍ସା ସକାସେ ଜିଲ୍ଲାପାଳ ଙ୍କ ସହିତ ଓଡିଶା ମୋ ସରକାର,୫-ଟିସଚିବ,ଡବ୍ଲୁସିଡିି ଡିପାର୍ଟମେଂଟ ଓଡିଶା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟି କରି ନିବେଦନ କରିଛନ୍ତି । ହେଲେ ସହାୟତା ଯେତିକି ବିଳମ୍ଭିତ ହେଉଛି ପରିବାରଙ୍କ ଉଦ୍‌ବେଗ ସେତିକି ବଢିବାରେ ଲାଗିଛି ।