Odiapua.com

ଦୁଇଟି ସ୍ଥାନରେ ପୋଖରୀରେ ପଡ଼ି ୨ ମୃତ

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଂଚାୟତ ଅଧୀନ ତଳଦୁମୁକା ଗ୍ରାମର ଧନେଶ୍ୱର ଖିଲାର (୩୯) ନାମକ ଜଣେ ଦିବ୍ୟାଙ୍ଗ ଓ ହରସିଂହପୁର ପଂଚାୟତ ତଳସାହି ଗ୍ରାମର ରବିନ୍ଦ୍ର ଦାସ (୫୮) ନାମକ ଜଣେ ବୃଦ୍ଧ ପୋଖରୀରେ ପଡ଼ି ମୃତ୍ୟୁବରଣ କରିଥିବା ଜଣାଯାଇଛି। ପ୍ରକାଶ ଯେ ତଳଦୁମୁକା ଗ୍ରାମର ଦିବ୍ୟାଙ୍ଗ ଧନେଶ୍ୱର ଖିଲାର ମଙ୍ଗଳବାର ଅପରାହ୍ଣରେ ବିଲରୁ ଫେରି ଗ୍ରାମରେ ଥିବା ଏକ ଦଳଭର୍ତି ପୋଖରୀରେ ଧୁଆଧୋଇ ହେଉଥିବା ସମୟରେ କୌଣସି କାରଣରୁ ତାଙ୍କର ଗୋଡ଼ ଖସି ଯାଇଥିଲା। ଫଳରେ ସେ ପୋଖରୀରେ ପଡ଼ି ଯାଇଥିଲେ। ଖୋଜାଖୋଜି କରିବା ପରେ ପୋଖରୀ କୂଳରେ ତାଙ୍କ ଗାମୁଛାଟି ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ପରେ ପୋଖରୀରେ ଖୋଜାଖୋଜି କରିବା ସହିତ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ବୁଧବାର ସକାଳେ ଗ୍ରାମବାସୀ ଏବଂ ଦମକଳ ବାହିନୀ ପୋଖରୀରୁ ଧନେଶ୍ୱରଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ। ଏ ସମ୍ପର୍କରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇ ପଠାଇଥିବା ଜଣାଯାଇଛି। ସେହିପରି ହରସିହପୁର ତଳସାହି ଗ୍ରାମର ରବିନ୍ଦ୍ର ଦାସ ନାମକ ଜଣେ ବୃଦ୍ଧ ବିଲରୁ କାମ କରି ବୁଧବାର ମଧ୍ୟାହ୍ନ ସମୟରେ ଫେରି ଗ୍ରାମରେ ଥିବା ଯତି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଗୋଡ଼ ଖସି ଯିବାରୁ ସେ ପୋଖରୀରେ ପଡ଼ି ଯାଇଥିଲେ। ଗ୍ରାମବାସୀ ଖୋଜା ଖୋଜି କରି ପୋଖରୀରୁ ରବିନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତିହିଡ଼ି ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପାଠାଇଥିବା ଜଣାଯାଇଛି।