Odiapua.com

ଦୁଃଖଦ: ବାହୁନି ବାହୁନି କାନ୍ଦୁଛି ବିଧବା ମା’ ପୁଅକୁ କ’ଣ ହୋଇଥିଲାଯେ …

କେନ୍ଦୁଝର, ୧୯ ଅଗଷ୍ଟ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି କରୋନା ମହାମାରୀର ଦୁଃଖଦ ହୃଦୟ ବିଦାରକ କରୁଣ ଚିତ୍ର। ବିଳମ୍ବରେ ମିଳିଥିବା ଏଭଳି ଏକ ଘଟଣା କ୍ରମର ଚିତ୍ର ଥିଲା ଅତୀବ ଦୁଃଖଦ। କରୋନା ନାମରେ ନିଜର ଆଦରର ଜନ୍ମ କଲା ପୁଅର ମୃତ୍ୟୁ ଦେହକୁ ଛୁଇଁବା ତ ଦୂରର କଥା, ପାଖରୁ ଥରେ ମାତ୍ର ଆଖି ପୁରାଇ ମନ ଭରି ଦେଖି ମଧ୍ୟ ପାରିଲା ନାହିଁ ମା’। କେବଳ ଦୂରରେ ଥାଇ ପୁଅ ମୃତ୍ୟୁରେ ବାହୁନି ବାହୁନି କାନ୍ଦୁଥିଲା ଏବଂ ଭୁଇଁରେ କାନ୍ଦି କାନ୍ଦି ଲୋଟି ଯାଉଥିଲା ବିଚାରା ଅସହାୟ ବିଧବା ଶୋକାତୁର ମା’। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ସଦର ବ୍ଳକର ମହାଦେଇଯୋଡା ପଞ୍ଚାୟତ ଅନ୍ତର୍ଗତ ମଦରଙ୍ଗାଯୋଡା ଗ୍ରାମରେ। ଗ୍ରାମର ୨୨ ବର୍ଷର ଜଣେ ଯୁବକ ପେଟର ଭୋକ ଦାଉରୁ ବଞ୍ଚିବା ପାଇଁ ଘରେ ବିଧବା ବୃଦ୍ଧା ମା’ କୁ ଏକୁଟିଆ ଛାଡି ଦାଦନ ଖଟିବାକୁ ବାଲେଶ୍ୱର ଯାଇଥିଲେ। ମଝିରେ ମଝିରେ ଅବଶ୍ୟ ଘରକୁ ଆସି ବୁଢି ମା’ ର କଥା ବୁଝା ବୁଝି କରି ଯାଉଥିଲେ। ଗତ କିଛି ଦିନ ପୂର୍ବେ ବାଲେଶ୍ୱରରେ ଥିବା ବେଳେ ପୁଅର ଦେହ ଖରାପ ହେଲା। ତା’ ଦେହରେ ଜ୍ୱର ରହିବା ସହ ଦେହ ହାତ ସବୁ ଫୁଲିଗଲା। ବାଲେଶ୍ୱରରେ ପ୍ରାଥମିକ ଚିକିତ୍ସା ପରେ ସେ କେନ୍ଦୁଝର ନିଜ ଘରକୁ ଚାଲି ଆସିଥିଲେ। ଏବଂ ଗତ ଚଉଦ ତାରିଖ ଦିନ ନିଜର ଚିକିତ୍ସା ପାଇଁ ସେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ଚିକିତ୍ସା ପରେ ମଧ୍ୟ ତାଙ୍କ ସ୍ୱାସ୍ଥବସ୍ଥା କୁଆଡେ ଅଧିକ ବିଗିଡିବାରୁ ଡାକ୍ତର ତାଙ୍କୁ କଟକ ନେଇ ଯିବାକୁ ପରାମର୍ଶ ଦେଇଥିଲେ। କଟକ ନେବା ପରେ ତାଙ୍କୁ ଶାନ୍ତି ନାମକ ଏକ ଘରୋଇ ହସ୍‌ପିଟାଲ କୁ ନିଆଯାଇଥିଲା। କିନ୍ତୁ ସେଠାରେ ପ୍ରଥମେ ତାଙ୍କର କୋଭିଡ ଟେଷ୍ଟ ହେବା ପରେ ଚିକିତ୍ସା ଆରମ୍ଭ କରାଯିବ ବୋଲି କର୍ତ୍ତୃପକ୍ଷ କହିଲେ ଏବଂ ତାଙ୍କୁ ଏକ ନିସଙ୍ଗ କୋଠରୀ(Isolation Room)ରେ ରଖାଗଲା। କିନ୍ତୁ ହୁଏତ ସମୟୋପେଯାଗୀ ଉପଯୁକ୍ତ ଚିକିତ୍ସାର ଅଭାବରୁ ସେହି ଦିନ ରାତ୍ରୀରେ ତାଙ୍କର ମୃତ୍ୟୁ ହେଲା। ସେଠାରେ ତାଙ୍କ ସହ ଥିବା ଜଣେ ଭାଇ ବହୁ କଷ୍ଟରେ ଏକ ଘରୋଇ ଆମ୍ବୁଲାନ୍ସ ଯୋଗାଡ କରି ତାଙ୍କୁ ଘରକୁ ନେଇ ଆସିଲେ। କିନ୍ତୁ ତାଙ୍କୁ କରୋନା ହୋଇଥାଇପାରେ, ସେହି ଭୟରେ ଗ୍ରାମ ଲୋକମାନେ ଆମ୍ବୁଲାନ୍ସକୁ ଗ୍ରାମରେ ପୁରାଇ ଦେଲେ ନାହିଁ। ଅବଶ୍ୟ ସେହି ସମୟରେ ଦେବଦୂତ ସାଜିଥିଲେ ଗ୍ରାମର କିଛି ଯୁବକ ଏବଂ ମାନବକତା ଦେଖାଇ ସେମାନେ ରାସ୍ତା ଖରାପ ସତ୍ୱେ ବହୁ କଷ୍ଟ କରି ଆମ୍ବୁଲାନ୍ସକୁ ସିଧା ଶ୍ମଶାନକୁ ନେଇଯାଇଥିଲେ। ଏହି ଖବର ପାଇବା ପରେ ମା’ ବିଚାରା ସେଠାକୁ ଦୌଡି ଆସିଥିଲା ତାର ଗେହ୍ଲା ପୁଅକୁ କୋଲେଇ ନେଇ ଶେଷଥର ପାଇଁ ମନଭରି ଦେଖି ନେବାକୁ। କିନ୍ତୁ ସେଠାରେ ଉପସ୍ଥିତ ଯୁବକମାନେ ତାଙ୍କୁ ପୁଅ ନିକଟକୁ ନ ଯିବାକୁ ବୁଝାଇଥିଲେ ଏବଂ ଯିବାକୁ ଦେଇ ନଥିଲେ। ଉପାୟ ଶୂନ୍ୟ ହୋଇ ଦୂରରେ ରହି ପୁଅ ମୃତ୍ୟର ଶୋକରେ ଏକାକୀ ବାହୁନୀ ବାହୁନୀ ମା’ ର କାନ୍ଦୁଥିବାର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ଯୁବକମାନେ ଏକ ଜେସିବି ଯୋଗାଡ କରି ସେଠାରେ ଏକ ଗାତ ଖୋଳି ମୃତ ଶରୀରକୁ ପୋତି ଦେଇଥିଲେ। ଏପଟେ ଟିକିଏ ସହାନଭୁତି ଜଣାଇବା ବଦଳରେ ମୃତ ଯୁବକଙ୍କ ପରିବାରଙ୍କୁ ଗ୍ରାମରେ କାହା ସହ ମିଶିବାକୁ ବାରଣ କରାଯାଇଥିବା ଖବର ମିଳିଛି। ଏହା ହେଉଛି କରୋନା ନାମରେ ସୃଷ୍ଟି ଭୟର ଏକ ଭୟଙ୍କର ସତ୍ୟର ଜ୍ୱଳନ୍ତ ଉଦାହରଣ। ଯେଉଁଠାରେ ମା’ ମଧ୍ୟ ପୁଅର ଶେଷ ଦର୍ଶନ କରିପାରୁନାହିଁ।