Odiapua.com

ଦୀର୍ଘ ୧୦ମାସ ପରେ ଭକ୍ତଙ୍କୁ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି , କୋଭିଡ କଟକଣା ମଧ୍ୟରେ ସକାଳ ୭ରୁ ସଂଧ୍ୟା ୫ଟା ଯାଏଁ ଚାଲିଲା ଦର୍ଶନ

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କରୋନା ପାଇଁ ଦୀର୍ଘ ୧୦ମାସ ହେବ ବନ୍ଦ ରହିଥିଲା ରାଜ୍ୟର ଅନ୍ୟତମ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଲମଣିଙ୍କ ମନ୍ଦିର । ହେଲେ ଆଜି ମଣିବାବାଙ୍କ ପହଡ ଖୋଲିବା ପରେ ଭକ୍ତ ଓ ଭଗବାନଙ୍କର ହୋଇଥିଲା ମହାମିଳନ । ମନ୍ଦିରର ଦୈନନ୍ଦିନ ନୀତନିର୍ଘଣ୍ଟ ଅନୁ୍‌ଯାୟୀ ଭୋର ୫ଟାରେ ପହଡ ଖୋଲିବା ପରେ ଅନୁଷ୍ଠିତ ହୋଇଥିଲା ମଣିବାବାଙ୍କର ସମସ୍ତ ନୀତିକାନ୍ତି । ହେଲେ ଶ୍ରଦ୍ଧାଳୁଭକ୍ତମାନଙ୍କର ଦର୍ଶନ ନିମନ୍ତେ ପ୍ରଶାସନିକ ପୂର୍ବ ପ୍ରସ୍ତତି ଅନୁଯାୟୀ କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରେ ପ୍ରବେଶ ଦ୍ୱାର ଖୋଲା ଯାଇଥିଲା । ଅନ୍ୟପଟେ ବହୁ ଆତୁର ହୋଇଥିବା ଶ୍ରଦ୍ଧାଳୁଭକ୍ତମାନେ ହରିବୋଲ ହୁଳହୁଳି ଦେଇ ମନ୍ଦିର ଭିତରକୁ ଯାଇ ମଣିବାବାଙ୍କୁ ଦର୍ଶନ କରିବା ସହ ନିଜର ଦୁଃଖ ଜଣାଇଥିବା ଭକ୍ତ ଅଭୟ କୁମାର ଦାସ ଓ ତାଙ୍କ ପରିବାର କହିଥିଲେ । ସେହିପରି ଶହଶହ ଭକ୍ତ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ବ୍ୟାରିକେଡ ମଧ୍ୟରେ ସାମାଜିକ ଦୂରତା ସହ ଆସି ମଣିବାବାଙ୍କୁ ଦର୍ଶନ କରିଥିଲେ । ହେଲେ ପୂର୍ବପରି ମନ୍ଦିର ମଧ୍ୟକୁ ଭୋଗ, ଦୀପ, ଓ ଅନ୍ୟାନ ପୂଜା ସାମଗ୍ରୀ ପ୍ରବେଶ ଉପରେ ହୋଇଥିବା କଟକଣା ବଳବତ୍ତର ରହିଥିଲା ।

ସେହିପରି ମନ୍ଦିର ବେଢାରେ ପୂଜାର୍ଚ୍ଚନା କର୍ମକାଣ୍ଡ, ମାର୍ଜନା, ପ୍ରସାଦ ସେବନ ଉପରେ ମଧ୍ୟ କଟକଣା ପୂର୍ବ ପରି ବଳବତ୍ତର ରହିଥିବା ମନ୍ଦିର ଟଷ୍ଟି ତଥା ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲ ପ୍ରକାଶ କରିଛନ୍ତି । ଭକ୍ତମାନଙ୍କ ଦର୍ଶନ ପୂର୍ବରୁ ସର୍ବପ୍ରଥମେ ମନ୍ଦିରର ସେବାୟତ ପରିବାର ଓ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ଯାଇଥିବା ବେଳେ ଆଜି ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲାଯାଇ ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଚାଲିଥିଲା ଦର୍ଶନ । ଦୀର୍ଘମାସ ପରେ ମନ୍ଦିର ଖୋଲୁଥିବାରୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ ନିର୍ମାଣ କରାଯାଇଥିବା ବେଳେ ଥର୍ମାଲ ସ୍କାନିଂ ଓ ସାନିଟାଇଜ ନିମନ୍ତେ ବ୍ୟବସ୍ଥା କରାଯାଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି । ସେହିପରି ଦର୍ଶନାର୍ଥୀଙ୍କ ମଧ୍ୟରେ ଯଦି କୋଣସି ବ୍ୟକ୍ତିଙ୍କର କରୋନା ଲକ୍ଷଣ ଦେଖାଯାଏ ତାହାଲେ କୋଭିଡ ଟେଷ୍ଟ ପାଇଁ ମନ୍ଦିର ପରିସରରେ ଅସ୍ଥାୟୀ କୋଭିଡ ପରୀକ୍ଷଣ କେନ୍ଦ୍ର ଖୋଲାଯାଇଛି । ଅନ୍ୟପଟେ ମନ୍ଦିର ପରିସରରେ ଯେପରି ଭିଡ ନହେବ ସେଥିପାଇଁ ମନ୍ଦିର ଭିତର ଓ ବାହାର ବେଢାରେ ଜିଲା ପୁଲିସ ପ୍ରଶାସନ ପକ୍ଷରୁ ୩ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ଚାନ୍ଦବାଲି ଅତିରିକ୍ତ ତହସିଲିଦାର ମାଜିଷ୍ଟ୍ରେଟଙ୍କ ସହ ଧୁଷୁରୀ ଥାନା ଅଧିକାରୀ ପ୍ରଫୁଲ ସିଂ, ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ, ହାବିଲିଦାର ରମେଶ ମଲିଙ୍କ ସହ ବହୁ ପୁଲିସ ମୁତୟନ ରହିଥିଲେ ।