Odiapua.com

ଦୀର୍ଘବର୍ଷ ହେଲା ଅବହେଳିତ ହାଟଡିହି କଲେଜ ରାସ୍ତା, ଛାତ୍ରଛାତ୍ରୀ ହିନସ୍ଥା

ହାଟଡିହି-୧୬/୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବାଦ୍ୱାରା ହାଟଡିହି କଲେଜ ରାସ୍ତାଟି ସମ୍ପୁର୍ଣ୍ଣ ବୁଡି ଯାଇଛି । ଆନନ୍ଦପୁର-ଭଦ୍ରକ ମୁଖ୍ୟ ରାସ୍ତାରୁ କଲେଜ ଭିତରକୁ ଯାଇଥିବା ଚାରିଶହ କିମ୍ବା ପାଞ୍ଚଶହ ମିଟର ଲମ୍ବର ଏହି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । କଲେଜରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ୧୪୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଶିକ୍ଷାଦାନ କରୁଥିବାବେଳେ ରାସ୍ତାର ଏପରି ଅବସ୍ଥା ଯୋଗୁଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏପରିକି ଛାତ୍ରଛାତ୍ରୀମାନେ ସୁରକ୍ଷିତ ଭାବେ କଲେଜକୁ ଯାଇ ପାରୁ ନାହାନ୍ତି । କଲେଜର ଏ ସମସ୍ୟାଟି ଦୀର୍ଘବର୍ଷର ସମସ୍ୟା ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ରାସ୍ତାଟି କୌଣସି ବିଭାଗକୁ ହସ୍ତାନ୍ତର କରାଯାଉ ନଥିବାରୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରୁନି । ପୁର୍ବରୁ ଥରେ ଦୁଇଥର ବ୍ଲକ ଓ ପଞ୍ଚାୟତ ଅନୁଦାନରେ ରାସ୍ତା ନିର୍ମାଣ ହୋଇଥିବାବେଳେ ତାହା ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଖାଲଖମା ଯୋଗୁଁ ଛାତ୍ରଛାତ୍ରୀମାନେ ଅସୁବିଧା ଭୋଗ କରିବାରୁ ଗତ କିଛିଦିନ ତଳେ କଲେଜ କର୍ତ୍ତୁପକ୍ଷ ୨୦ହଜାର ଟଙ୍କା ଖର୍ଚ୍ଚକରି ରାସ୍ତାରେ ମେଣ୍ଟଲ ଓ ଡଷ୍ଟ ପକାଇ ରାସ୍ତାଟିକୁ ମରାମତି କରିଥିଲେ । ମାତ୍ର ତାହା ଲଗାଣ ବର୍ଷାରେ ଧୋଇଯିବାପରେ ଏବେ ଦୁଇଫୁଟ ଉଚ୍ଚର ପାଣି ଚାଲୁଛି । ବର୍ଷାଜଳ ନିସ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଏପରି ସମସ୍ୟା ଦେଖାଦେଇଥିବା ଛାତ୍ରଛାତ୍ରୀମାନେ କହିଛନ୍ତି ।ଏ ନେଇ କଲେଜ ଅଧ୍ୟକ୍ଷଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ଏନେଇ ବିଡିଓ, ଉପଜିଲ୍ଲାପାଳ, ବିଧାୟକ ପ୍ରମୁଖଙ୍କୁ ବାରମ୍ବାର ଅବଗତ କରାଇଥିଲେବି କେହି ଏଥିପ୍ରତି ଗୁରୁତ୍ୱ ଦେଉ ନଥିବା ସେ କହିଛନ୍ତି । ବ୍ଲକର ସର୍ବପୁରାତନ ଏହି କଲେଜ ପ୍ରତି ପ୍ରଶାସନିକ ଅଧିକାରୀ ମାନେ ଗୁରୁତ୍ୱ ନଦେବା ପରିତାପର ବିଷୟ ପାଲଟିଛି । ତୁରନ୍ତ ଏହି ରାସ୍ତାଟିକୁ ଗ୍ରାମ୍ୟ ଉନ୍ନୟନ ବିଭାଗ କିମ୍ବା ପୁର୍ତ୍ତ ବିଭାଗକୁ ହସ୍ତାନ୍ତର କରି ରାସ୍ତା ନିର୍ମାଣ କରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଦାବି ହେଉଛି ।