Odiapua.com

ଦୀର୍ଘଦିନ ପରେ ହିତାଧିକାରୀଙ୍କ ଆଧାର ସଂଯୋଗ କଲା ଯୋଗାଣ ବିଭାଗ

ହାଟଡିହି-୨୭/୫, ହାଟଡିହି ବ୍ଲକ ହଦଗଡ ପଞ୍ଚାୟତରେ ୧୩୦୦ରୁ ଉର୍ଦ୍ଧ ରେସନକାର୍ଡ ହିତାଧିକାରୀ ଥିବାବେଳେ ଶହଶହ ହିତାଧିକାରୀଙ୍କ ନାମ କଟିଯାଇଥିବା କୁହାଯାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାଗଣା ଚାଉଳ ଦିଆଯାଉ ନଥିବା ଓ ଏନେଇ ହିତାଧିକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବାପରେ ଆଜି ଯୋଗାଣ ବିଭାଗ ପକ୍ଷରୁ ରେସନକାର୍ଡରେ ଆଧାରଲିଙ୍କ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମଝୀ, ପିଇଓ ଜିତେନ୍ଦ୍ର କୁମାର ଜେନା, ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ, ସପ୍ଲାୟର ଯୋଗେନ୍ଦ୍ର ବେହେରା ପ୍ରମୁଖ ହଦଗଡ ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ହଦଗଡ ପଞ୍ଚାୟର ଶତାଧିକ ଲୋକଙ୍କ ଆଧାର ସଂଗ୍ରହ କରି ଆଧାର ସଂଯୋଗ କରିଛନ୍ତି । ସେମାନଙ୍କୁ ଅଳ୍ପଦିନ ଭିତରେ ଚାଉଳ ଯୋଗାଇ ଦିଆଯିବାର ବ୍ୟବସ୍ଥା କରୁଛୁ ବୋଲି ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ସୁଚନା ଦେଇଛନ୍ତି ।
ଏଠାରେ ସୁଚନାଯୋଗ୍ୟ ଯେ ଏହି ପଞ୍ଚାୟତର ଦଲକି, ପିତାନାଉ, ରତ୍ନମରା ଆଦି ଗ୍ରାମର ଶତାଧିକ ଲୋକ ଗତ ୮/୯ମାସ ହେଲା ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ହୋଇଥିଲେ । ସେମାନେ ଚାଉଳ ପାଇଁ ପଞ୍ଚାୟତକୁ ଆସୁଥିଲେ ମଧ୍ୟ ପଞ୍ଚାୟତ କର୍ତ୍ତୁପକ୍ଷ ତୁମ ନାମ କଟିଯାଇଛି କହି ଫେରାଇ ଦେଉଥିଲେ । ଏପରିକି ଗୋଟିଏ ଗୋଟିଏ ପରିବାର ଆଦୌ ସରକାରଙ୍କ ଏହି ଯୋଜନାରେ ମଧ୍ୟ ସାମିଲ ହୋଇ ନଥିଲେ । ବିଶେଷକରି ଦଲକି, ରତ୍ନମରା, ପିତାନାଉ ଗ୍ରାମ ଗୁଡିକ ଆଦିବାସୀ ବହୁଳ ଓ ଏହି ଗ୍ରାମକୁ ଯିବାକୁ ରାସ୍ତାଘାଟ ନଥିବାବେଳେ ସେ ଗ୍ରାମର ଲୋକମାନେ ହୁଲି ଡଙ୍ଗାରେ ଚାଉଳ ପାଇଁ ଆସି ଦିନମାନ ବସିବସି ନିରାଶରେ ଫେରୁଛନ୍ତି । ରତ୍ନମରା ଗ୍ରାମର ସବିତା ବେହେରାଙ୍କ ପରିବରାରରେ ୬ଜଣ ସଦସ୍ୟ ଥିବାବେଳେ ସେ ଗତ ୯ମାସ ହେଲା ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେହିପରି ଦଲକି ଗ୍ରାମର ଲେମ୍ବୁ ହୋଙ୍କ ପରିବାରରେ ୬ଜଣ ଥିବାବେଳେ ସେ ଗତ ୮ମାସ ହେଲା ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେହିପରି ମିଞ୍ଜାରୀ ହୋଙ୍କ ୮ଜଣ ପରିବାର ସଦସ୍ୟ ଥିବାବେଳେ ୯ମାସ ହେଲା ଚାଉଳ ପାଇବାରି ନାହାନ୍ତି । ସାବିତ୍ରୀ ହୋଙ୍କର ୬ଜଣ ପରିବାର ଥିବାବେଳେ ୫ଜଣଙ୍କର ଏବେ କଟି ଯାଇଛି । ସେହିପରି ଜିତେନ୍ଦ୍ର ପୁର୍ତ୍ତିଙ୍କ କାର୍ଡରେ ୭ଜଣ ପରିବାର ସଦସ୍ୟ ଥିବାବେଳେ ୪ଜଣଙ୍କର ଚାଉଳ କଟିଯାଇଛି । ସେହିପରି ସୁମିତ୍ରା ହୋଙ୍କ ପରିବାରରେ ୫ଜଣ ସଦସ୍ୟ ଥିବାବେଳେ ୨ଜଣଙ୍କର କଟି ଯାଇଛି । ଗଣର ହୋଙ୍କ କାର୍ଡରେ ୭ଜଣ ସଦସ୍ୟ ଥିବାବେଳେ ୫ଜଣଙ୍କର ନାମ କଟିଯାଇଛି । ଜାନ ହୋଙ୍କର ୬ଜଣ ସଦସ୍ୟ ଥିବାବେଳେ ୬ଜଣଙ୍କ ନାମ କଟିଯାଇଛି । ମାଧେ ହୋଙ୍କ ୬ସଦସ୍ୟଙ୍କ ମଧ୍ୟରୁ ୬ଜଣଙ୍କ ନାମ କଟିଯାଇଛି । ନାନସି ହୋଙ୍କ କାର୍ଡରେ ୯ଜଣ ସଦସ୍ୟ ଥିବାବେଳେ ୮ଜଣଙ୍କର ନାମ କଟିଯାଇଥିବାବେଳେ ମୁକ୍ତା ମହାକୁଡଙ୍କ୯ଜଣଙ୍କ ମଧ୍ୟରୁ ୨ଜଣଙ୍କର ନାମ କଟିଯାଇଛି । ଖାଲି ଏହି କିଛି ଲୋକ ନୁହଁନ୍ତି ଗ୍ରାମ ଗୁଡିକର ଶହଶହ ଲୋକଙ୍କର ଏପରି ହୋଇଥିଲା । ଏମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ଓ ମୁଲ ମଜୁରୀ ଲାଗି ପରିବାର ଚଳାଉଥିଲେ ମଧ୍ୟ ସେମାନଙ୍କ ପାଇଁ ଏହି ଯୋଜନା ସାତ ସପନ ହୋଇଯାଇଥିଲା । ରାସ୍ତାଘାଟର ସୁବିଧା ନଥିବାରୁ ସେମାନେ ବାରମ୍ବାର ପଞ୍ଚାୟତ କି ବ୍ଲକକୁ ଆସି ରେସନକାର୍ଡ ହାସଲ କରିବା କିମ୍ବା ଆଧାର ଲିଙ୍କେଜ କରିବା ଆଦି ବାବଦରେ ଜାଣି ପାରୁ ନଥିଲେ । ଲକଡାଉନ ପାଇଁ କାମଧନ୍ଦାକୁ ଯାଇ ନପାରି ଭୋକ ଉପାସରେ ଦିନ କାଟୁଥିଲେ । ବର୍ତ୍ତମାନ ଲକଡାଉନ ସମୟରେ କେନ୍ଦ୍ର ସରକାର ରେସନକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଯୋଗାଇ ଦେଇଥିଲେ ମଧ୍ୟ ଏହି ପଞ୍ଚାୟତର ଶହଶହ ହିତାଧିକାରୀ ଚାଉଳ ପାଇପାରି ନଥିଲେ । ଏହାକୁନେଇ ଗତକାଲି ଶହଶହ ହିତାଧିକାରୀ କାର୍ଯ୍ୟାଳୟ ଘେରାଉ କରିବା ସହିତ ଏହାର ଦୃଢ଼ ପ୍ରତିବାଦ କରିଥିଲେ । ଆଜି ଯୋଗାଣ ବିଭାଗ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟରେ କ୍ୟାମ୍ପ କରାଯାଇ ଲୋକଙ୍କ ଆଧାର ସଂଯୋଗ କରାଯାଇଥିଲା । ଯାହା ଦୀର୍ଘଦିନ ହେଲା ହୋଇ ପାରୁନଥିଲା ଆଜି ଗୋଟିଏ ଦିନରେ ହୋଇପାରିଥିବାରୁ ଶ୍ରୀରାଙ୍ଗ ହେମ୍ରମ, ନାନସିଂ ହୋ, ଜିତେନ୍ଦ୍ର ପୁର୍ତ୍ତି, ଜାମ୍ବି ମହାକୁଡ, ଦଶମା ହୋ, ମିଞ୍ଜାରୀ ହୋ, ସୁନାମଣୀ ବିରୁଆ, ମୁକ୍ତା ମହାକୁଡ, କବିତା ମୁଣ୍ଡିଆଣୀ, ଝୁମ୍ପୁରୀ ନାଇକ, ବନି ନାଏକ ପ୍ରମୁଖ ଗ୍ରାମବାସୀମାନେ ଖୁସି ବ୍ୟକ୍ତ କରିବା ସହିତ ତୁରନ୍ତ କିପରି ସେମାନଙ୍କୁ ଚାଉଳ ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରିବାକୁ ଯୋଗାଣ ଅଧିକାରୀଙ୍କୁ ନିବେଦନ କରିଛନ୍ତି ।