Odiapua.com

ଦୀପାବଳି ପାଇଁ ତତ୍ପର ଗାଁ’ଠୁ ସହର କୋଭିଡ୍ ନିୟମ ଭୁଲିଗଲେ ଲୋକେ

ବାଲେଶ୍ୱର, ୧୩ା୧୧(ଓଡ଼ିଆ ପୁଅ/ଅଭୟ ଦାସ) : ଦୀପାବଳି ପାଇଁ ଗାଁ’ଠାରୁ ସହର ପର୍ଯ୍ୟନ୍ତ ତତ୍ପରତା ପ୍ରକାଶ ପାଇଛି। କରୋନା ସତ୍ତ୍ୱେ ଲୋକ ବିଧିରକ୍ଷା ପାଇଁ ସାମାଜିକ ଦୂରତା ସହ ଉତ୍ସବ ପାଳନ ଉଦ୍ଦେଶ୍ୟରେ ଆବଶ୍ୟକ ସାମଗ୍ରୀ ସଂଗ୍ରହ କରିବାରେ ଲାଗିଛନ୍ତି। ଏନେଇ ସହରର ବିଭିନ୍ନ ମାର୍କେଟରେ ଭିଡ଼ ପରିଲକ୍ଷିତ ହୋଇଛି। ବିଶେଷ କରି ଆଜି ଧନତେରାସ ଥିବା ବେଳେ ଗହଣା ଦୋକାନରେ ଲୋକଙ୍କର ଅଧିକ ଭିଡ଼ ଥିବା ଦେଖିବାକୁ ମିଳିଥିଲା। ଧନତେରାସରେ ସୁନା କିଣିଲେ ଗୃହକୁ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହି ଆସିଛି। ଏହି କ୍ରମରେ ବିଭିନ୍ନ ବର୍ଗର ଲୋକେ କ୍ଷମତା ମୁତାବକ ନିଜ ପରିବାର ପାଇଁ ଆଜି ସୁନା କିଣୁଛନ୍ତି। ଏନେଇ ବାଲେଶ୍ୱର ସହରର ପ୍ରାୟ ସମସ୍ତ ଜୁଏଲାରୀ ଦୋକାନରେ ଲୋକଙ୍କ ଭିଡ଼ ଲାଗିରହିଛି। ଅନ୍ୟପକ୍ଷରେ ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି ଥିବା କାରଣରୁ ପ୍ରତ୍ୟେକ ପରିବାର ପକ୍ଷରୁ ଦୀପ, ରୋଷଣୀ, ମହମବତୀ, କପାକାଠୀ ଓ ଅନ୍ୟାନ୍ୟ ପୂଜାସାମଗ୍ରୀ ସାଙ୍ଗକୁ ଫଳମୂଳ ମିଠା ପ୍ରଭୃତି ଲୋକ କିଣୁଛନ୍ତି। ତେବେ କରୋନା ପାଇଁ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟାଇବା ଉପରେ ଅଙ୍କୁଶ ଲାଗିଥିବା ବେଳେ ସମସ୍ତେ ମାଟିଦୀପ, ଝରରାବତୀ, ମହମବତୀ ଆଦି କୁଣୁଛନ୍ତି। ଦୀପାବଳିରେ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ଦିଆଯିବାର ପରମ୍ପରା ରହିଥିବା ବେଳେ ସେନେଇ ମଧ୍ୟ ଲୋକେ ଆବଶ୍ୟକ ସାମଗ୍ରୀ ସଂଗ୍ରହ କରୁଛନ୍ତି। କୋଭିଡ୍ ନିୟମ ପାଳନ ସହ ସାମାଜିକ ଦୂରତା ବଜାୟ ରଖିବାକୁ ସରକାର ବାରମ୍ବାର ସତର୍କ କରାଉଥିଲେ ବି ସାଧାରଣ ଲୋକେ ସେଥିପ୍ରତି ସଚେତନ ହେବା ପରିବର୍ତ୍ତେ ସବୁଠି ଭିଡ଼ କରୁଥିବା ଲକ୍ଷ୍ୟ କରାଯାଇଛି।