Odiapua.com

ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀରଙ୍କ ଘରେ ଆୟା ଭାବେ କାମ କରୁଥିବା ଓଡ଼ିଆଙ୍କର ମୃତ୍ୟୁ – ଅନ୍ତିମ ସଂସ୍କାର କଲେ ଗୌତମ ଗମ୍ଭୀର

ନୂଆ ଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) : ପୂର୍ବତନ କ୍ରିକେଟ ତାରକା ଏବଂ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଘରେ ଆୟା ଭାବରେ କାମ କରୁଥିବା ଯାଜପୁରର ସରସ୍ୱତୀ ପାତ୍ରଙ୍କର ମୃତ୍ୟୁ ହୋଇଛି। ସରସ୍ୱତୀ ଡାଇବେଟିସ ଏବଂ ଉଚ୍ଚରକ୍ତ ଚାପ ରୋଗରେ ଆକ୍ରାନ୍ତ ଥିଲେ। ତେବେ ତାଙ୍କର ମୃତ୍ୟୁ ଘଟିଛି। ଲକଡାଉନ ସମୟରେ ମୃତ ଶରୀର ଯାଜପୁର ନଆସିପାରିବାରୁ ଗୌତମ ଗମ୍ଭୀର ଅନ୍ତିମ ସଂସ୍କାର କରିଥିବା ସେ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।

ମୃତ ସରସ୍ୱତୀଙ୍କର ଘର ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ କୁସୁନପୁର ଗାଁର ବୋଲି ଜଣାପଡ଼ିଛି। ସରସ୍ୱତୀ ଅସୁସ୍ଥ ହୋଇ ପଡ଼ିବା ପରେ ଗମ୍ଭୀରଙ୍କ ପରିବାର ଲୋକେ ତାଙ୍କୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଗତ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା। ସରସ୍ୱତୀଙ୍କ ପରିବାର ସହ ଗମ୍ଭୀର ଯୋଗାଯୋଗ କରିଥିଲେ ମଧ୍ୟ ଲକଡାଉନ ଯୋଗୁ ସେମାନେ ଦିଲ୍ଲୀ ଯିବା କିମ୍ବା ମୃତଦେହକୁ ନିଜ ଗାଁକୁ ପଠାଇବା ସମ୍ଭପର ହୋଇନଥିଲା। ଏହାପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଗମ୍ଭୀର ଯୋଗାଯୋଗ କରିଥିଲେ। ତେବେ କେନ୍ଦ୍ର ମନ୍ତ୍ରୀ ସରସ୍ୱତୀଙ୍କ ପରିବାର ସହ ଆଲୋଚନା କରିବା ପରେ ଦିଲ୍ଲୀରେ ଗୌତମ ଗମ୍ଭୀର ସରସ୍ୱତୀଙ୍କ ଅନ୍ତିମ ସଂସ୍କାର କରିଥିଲେ।

ଗୌତମ ଗମ୍ଭୀର ଟ୍ୱିଟ କରି ପ୍ରକାଶ କରିଛନ୍ତିଯେ, ମୋର ଛୋଟ ପିଲାଟିର ଯତ୍ନ ନେଉଥିବା ବ୍ୟକ୍ତିକୁ ଡୋମେଷ୍ଟିକ ହେଲ୍ପ କେବେ ହୋଇପାରିବେ ନାହିଁ। ସେ ପରିବାର ସଦସ୍ୟ ଥିଲେ। ତାଙ୍କର ଅନ୍ତିମ ସଂସ୍କାର କରିବା ମୋର କର୍ତ୍ତବ୍ୟ ଥିଲା। ଜାତି, ଧର୍ମ, କିମ୍ବା ସାମାଜିକ ସ୍ଥିତି ନିର୍ବିଶେଷରେ ସର୍ବଦା ସମ୍ମାନକୁ ବିଶ୍ୱାସ କରିବା ଏକ ଉନ୍ନତ ସମାଜ ଗଠନ ପାଇଁ ଆବଶ୍ୟକ। ତାହା ହେଉଛି ଭାରତ ବିଷୟରେ ମୋର ଧାରଣା! ଓମ୍ ଶାନ୍ତି