Odiapua.com

ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ : ଆପ୍ ସରକାର ଭ୍ରଷ୍ଟାଚାରର ସବୁ ରେକର୍ଡ ଭାଙ୍ଗିଛି- ଧର୍ମେନ୍ଦ୍ର ପ୍ରଧାନ

– ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଲୋକମାନେ ଆପକୁ ଆଇନା ଦେଖାଇବେ
– ସମସ୍ତଙ୍କୁ ଠକିବାରେ ଆପ୍ ସରକାର ଧୂରନ୍ଧର
– କୁମ୍ଭୀର କାନ୍ଦଣା କାନ୍ଦୁଥିବା ଆପ୍ ନେତା ବଞ୍ଚିତ ବର୍ଗଙ୍କ ସହ କେବଳ ଧୋକା କରିଛନ୍ତି
– ଶିକ୍ଷକଙ୍କ ଆକାଂକ୍ଷାକୁ ପୂରଣ କରିବା ମୋଦି ସରକାରଙ୍କ ସବୁଠୁ ବଡ ଦାୟିତ୍ୱ

ନୂଆଦିଲ୍ଲୀ/ଭୁବନେଶ୍ୱର, ନଭେମ୍ବର ୨୩ (ଓଡ଼ିଆ ପୁଅ) – ଦିଲ୍ଲୀରେ ଆମ ଆଦମି ପାର୍ଟି ଭ୍ରଷ୍ଟାଚାରର ସବୁ ରେକର୍ଡ ଭାଙ୍ଗିଛି। ଆପ୍ ସରକାର ପ୍ରାଧ୍ୟାପକ ମାନଙ୍କୁ ଦରମା ଦେଇପାରୁନାହାନ୍ତି। ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଲୋକମାନେ ଆପକୁ ଆଇନା ଦେଖାଇବେ ବୋଲି ବୁଧବାର ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଦୂଷଣ ମୁକାବିଲା ନକରିବା, ଅବକାରୀ ନୀତି, ପିଡବ୍ଲୁଡିରେ ଅବ୍ୟବସ୍ଥା, ସ୍କୁଲକୁ ଆସୁଥିବା ଅନୁଦାନ ଅର୍ଥକୁ ଅନ୍ୟ କାମରେ ଲଗାଇବା ତଥା ନିଜର କାର୍ଯ୍ୟକର୍ତ୍ତାଙ୍କୁ ଠକିବାରେ ଆପ୍ ସରକାର ଧୂରନ୍ଧର। ଅନ୍ୟପଟେ ଏସସି, ଏସଟି, ଓବିସିଙ୍କ ବ୍ୟତିତ ଗରିବଙ୍କୁ ଏକ ସାମାଜିକ ବର୍ଗ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଚାକିରି ଏବଂ ଶିକ୍ଷାରେ ବଞ୍ଚିତ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଯେଉଁମାନେ ଲମ୍ବା ସମୟ ଧରି ଶାସନ କରିଛନ୍ତି ଏବଂ ଆଜି ଯେଉଁମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେମାନେ ବଞ୍ଚିତ ବର୍ଗଙ୍କ ସହ କେବଳ ଧୋକା କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୦ ଲକ୍ଷ ସରକାରୀ ପଦବୀରେ ଯୁବବର୍ଗଙ୍କୁ ରୋଜଗାର ଦେବା ପାଇଁ ମୋଦି ସରକାର ମିଶନ ମୋଡରେ କାମ କରୁଛନ୍ତି। ସେହିପରି ଶିକ୍ଷକ ସମୁଦାୟ, ପ୍ରାଧ୍ୟାପକଙ୍କ ଆକାଂକ୍ଷାକୁ ପୂରଣ କରିବା ମୋଦି ସରକାରଙ୍କ ପ୍ରାଥମିକତା। ମୋଦି ସରକାର ସମସ୍ତଙ୍କୁ ନେଇ ସାଙ୍ଗରେ ଚାଲୁଥିବା ସରକାର। ଏହାବ୍ୟତିତ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ନୂଆ ବେଞ୍ଚମାର୍କ ସ୍ଥାପନ କରିବା ସହ ସମସ୍ତଙ୍କ ପାଇଁ ନୂଆ ସୁଯୋଗ ପ୍ରଦାନ କରୁଛି।

ଏକ ଶିକ୍ଷକ ସମୁଦାୟକୁ ସମ୍ବୋଧନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ଭ୍ରଷ୍ଟାଚାର ଏବଂ ଖରାପ ବ୍ୟବସ୍ଥାକୁ ସୁଧାରିବାରେ ଶିକ୍ଷକ ସମୁଦାୟକୁ ଦାୟିତ୍ୱ ନେବାକୁ ନେବ। ଏହାବ୍ୟତିତ ଦେଶକୁ ଆଗକୁ ନେବାର ଦାୟିତ୍ୱ ଆମ ସମସ୍ତଙ୍କର। କିନ୍ତୁ ଏଥିରେ ଶିକ୍ଷକ ମାନଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଶିକ୍ଷକଙ୍କ ଆକାଂକ୍ଷାକୁ ପୂରଣ କରିବା ମୋଦି ସରକାରଙ୍କ ସବୁଠୁ ବଡ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।