ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ), ଓଡ଼ିଶାଙ୍କ ନିର୍ଦ୍ଦେଶ ମୁତାବକ ନୂଆଦିଲ୍ଲୀସ୍ଥିତ ଭାରତୀୟ ଆନ୍ତର୍ଜାତିକ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ଅନୁଷ୍ଠାନ (ଆଇଆଇଆଇଡିଇଏମ୍, ନ୍ୟୁ ଦିଲ୍ଲୀ) ରେ ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ବୁଥ୍ ସ୍ତରୀୟ ଅଧିକାରୀ ଓ ବୁଥ୍ ସ୍ତରୀୟ ପର୍ଯ୍ୟବେକ୍ଷକଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଭଦ୍ରକ ଜିଲାରୁ ମତଦାତା ପଞ୍ଜୀକରଣ ଅଧିକାରୀ (ଇଆରଓ) ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ଭଦ୍ରକ, ଶ୍ରୀ ଶାନ୍ତନୁ କୁମାର ମହାନ୍ତିଙ୍କ ସମେତ ଦୁଇ ଜଣ ବୁଥ୍ ସ୍ତରୀୟ ପର୍ଯ୍ୟବେକ୍ଷକ (ବିଏଲ୍ଓ ସୁପରଭାଇଜର) ଏବଂ ତିନି ଜଣ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ) ଯଥାବିଧି ମନୋନୀତ ହୋଇ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ସୁପ୍ରଶିକ୍ଷିତ ଅଧିକାରୀ ମାନେ ଭୋଟର ପଞ୍ଜୀକରଣ ପ୍ରକ୍ରିୟାକୁ ସୂଚାରୁ ରୂପେ ତୁଲାଇ ପାରିବା ସହ ଭବିଷ୍ୟତରେ କିପରି ନିଜ ନିଜ ନିର୍ବାଚନ ମଣ୍ଡଳୀରେ ମୁଖ୍ୟ ପ୍ରଶିକ୍ଷକ ହୋଇ ଅନ୍ୟ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କୁ ତାଲିମ ଦେଇପାରିବେ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି । ଏହି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ଭାରତର ଜନପ୍ରତିନିଧି ଆଇନ- ୧୯୫୦, ମତଦାତା ପଞ୍ଜୀକରଣ ନିୟମ- ୧୯୬୦ ଏବଂ ସମୟ ସମୟରେ ଜାରି ହୋଇଥିବା ନିର୍ବାଚନ ଅଧିକାରୀଙ୍କର ନିର୍ଦ୍ଦେଶାବଳୀ ଅନୁଯାୟୀ ସେମାନଙ୍କର ଭୂମିକା ଏବଂ ଦାୟିତ୍ୱ ସହିତ ପରିଚିତ କରାଇବା ।