Odiapua.com

ଦିଲୀ ବଜରଙ୍ଗ ଦଳ କର୍ମୀ ହତ୍ୟାର ପ୍ରତିବାଦ : କାର୍ଯ୍ୟାନୁଷ୍ଠାନ ଦାବିରେ ବିଶ୍ୱହିନ୍ଦୁ ପରିଷଦର ସ୍ମାରକପତ୍ର

ବାଲେଶ୍ୱର, ୧୫୨ା୨(ଓଡ଼ିଆ ପୁଅ/ଅଭୟ ଦାସ): ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପାଇଁ ଚାଲିଥିବା ନିଧି ସଂଗ୍ରହ ଅଭିଯାନରେ ସାମିଲ ହୋଇଥିବା ଦିଲ୍ଲୀର ମଙ୍ଗଲପୁର ନିବାସୀ ରିଙ୍କୁ ଶର୍ମାଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ଦେଶ ବ୍ୟାପୀ ପ୍ରତିବାଦର ସ୍ୱର ଉଠିଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିକ୍ରିୟା ପରିଲକ୍ଷିତ ହୋଇଛି। ହତ୍ୟାକାଣ୍ଡରେ ଜଡିତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବିଶ୍ୱ ହିନ୍ଦୁ ପରିଷଦ ଜିଲା ଶାଖା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆଜି ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜଣେ ରାମ ଭକ୍ତ ଭାବେ ରିଙ୍କୁ ଶର୍ମା ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ କରୁଥିଲେ, ଯାହାକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର କିଛି ବ୍ୟକ୍ତି ତାଙ୍କୁ ବିରୋଧ କରୁଥିଲେ। ସମ୍ପୃକ୍ତ ବ୍ୟକ୍ତିମାନେ ଅତର୍କିତ ଭାବେ ରିଙ୍କୁଙ୍କ ଘର ଉପରେ ଆକ୍ରମଣ ସହ ତାଙ୍କୁ ହତ୍ୟା କରିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରମାଣିତ ହୋଇଥିବା ସତ୍ୱେ ଦୋଷୀଙ୍କ ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ଅଭିଯୋଗ କରିଥିଲେ। ବିଗତ କିଛି ବର୍ଷ ଧରି ଦିଲ୍ଲୀରେ ହିନ୍ଦୁମାନଙ୍କ ଉପରେ ଅନୁରୁପ ଭାବେ ବର୍ବରୋଚିତ କାଣ୍ଡ ଘଟୁଥିଲେ ବି କାର୍ଯ୍ୟାନୁଷ୍ଠାନ ଅଭାବରୁ ଆତଙ୍କବାଦୀଙ୍କ ଭଳି କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କ ଦୌରାତ୍ମ୍ୟ ଦିନ କୁ ଦିନ ବଢି ଚାଲିଛି। ସମଗ୍ର ହିନ୍ଦୁ ସମାଜ ଏହି ହତ୍ୟାକାଣ୍ଡ ଘଟଣାକୁ ନେଇ ବ୍ୟଥିତ ଅଛନ୍ତି ବୋଲି ପରିଷଦ କର୍ମକର୍ତାମାନେ କହିଥିଲେ। ଫାଷ୍ଟ ଟ୍ରାକ୍ କୋର୍ଟରେ ରିଙ୍କୁ ଶର୍ମା ହତ୍ୟାକାରୀଙ୍କ ମାମଲା ପରିଚାଳନା ସହ ତୁରନ୍ତ ଦୋଷଙ୍କୁ କଠୋର ଦଣ୍ଡାଦେଶ ପାଇଁ ସେମାନେ ଦାବି କରିଥିଲେ। ଏହା ସହିତ ରିଙ୍କୁ ଶର୍ମାଙ୍କ ପରିବାରରୁ ଜଣକୁ ସରକାରୀ ଚାକିରୀ ପ୍ରଦାନ ସହ ହିନ୍ଦୁ ସମାଜ ଉପରେ ଆକ୍ରମଣ ପାଇଁ ପୁଲିସକୁ ଉତରଦାୟୀ ରଖିବା ପାଇଁ କର୍ମକର୍ତ୍ତାମାନେ ଦାବି କରିଥିଲେ। ସ୍ମାରକ ପତ୍ର ପ୍ରଦାନ ବେଳେ ଗୌରୀ ପ୍ରସାଦ ରଥ, ସଞ୍ଜୟ କୁମାର ମହାପାତ୍ର, ପ୍ରଶାନ୍ତ କୁମାର ନାୟକ, ଆଲୋକ କୁମାର ପଣ୍ଡା, ସୁଧାକର ପାଢୀ, ଅନନ୍ତ କୁମାର ଚାନ୍ଦ, ଜିତେନ୍ଦ୍ର କୁମାର ମହାରଣା, ଯୋଗେନ ଚନ୍ଦ୍ର ରଣା, ଜୟଦେବ ଜେନା, ଦିଲ୍ଲୀପ କୁମାର ଜେନା, ହେମଲତା ସାହୁ, ଋକ୍ମଣୀ ପାତ୍ର, ସନ୍ଧ୍ୟାରାଣୀ ଦାସ, ଅନ୍ନପୂର୍ଣ୍ଣା ଦାସ, ଉର୍ମିଳା ଦାସ, ସବିତା କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ