ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା, ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ, ରାମେଶ୍ୱରପୁର ର ଦିବ୍ୟାଙ୍ଗ ହ୍ୱିଲ୍ ଚେୟାର ଅସିଚାଳନା ଖେଳାଳୀ ମଧୁସ୍ମିତା ସାହୁଙ୍କୁ ଅନ୍ୟ ଜଣେ ଦିବ୍ୟାଙ୍ଗ ଙ୍କ ପରିବାର ତରଫରୁ ୩ଲକ୍ଷ ୫୦ ହଜାର ଟଙ୍କାର କ୍ରୀଡ଼ା ଉପକରଣ ପ୍ରଦାନ କରାଯାଇଛି । ଏଥିପାଇଁ ଜିଲ୍ଲାପାଳ, ଭଦ୍ରକଙ୍କ କାର୍ଯ୍ୟାଳୟର ସାଳନ୍ଦୀ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଦୁଇ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ରାମଦାସ ଟୁଡ଼ୁ ଯୋଗଦେଇ ମଧୁସ୍ମିତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଆନ୍ତର୍ଜାତୀୟସ୍ତରରେ ଖେଳିିବା ପାଇଁ ଆବଶ୍ୟକ କ୍ରୀଡ଼ା ଉପକରଣ ପ୍ରଦାନ କରୁଥିବା ପ୍ରାଇଭେଟ୍ ସେକ୍ଟରରୁ ଅବସରପ୍ରାପ୍ତ ଭୁବନେଶ୍ୱରର ଗୁରୁପ୍ରସାଦ ଚୌଧୁରୀ ଏବଂ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କୁ ଏ ନିଆରା ପ୍ରୋତ୍ସାହନ ପ୍ରଦାନ ପାଇଁ ସାଧୁବାଦ ଜଣାଇଥିଲେ । ସୂଚନାଯୋଗ୍ୟକି ମଧୁସ୍ମିତା ହ୍ୱିଲଚେୟାର ଅସିଚାଳନା କ୍ରୀଡ଼ାରେ ରାଜ୍ୟସ୍ତରରେ ଖେଳି ଜାତୀୟସ୍ତରରେ ଚମ୍ପିଆନ୍ ହୋଇଛନ୍ତି । ୨୦୨୧ ରୁ ଖେଳ ଆରମ୍ଭ କରି ୨୦୨୨ରେ ହରିଆନାର କର୍ଣ୍ଣଲ ଠାରେ ଆୟୋଜିତ ଜାତୀୟସ୍ତରର ପ୍ରତିଯୋଗିତାରେ ଚମ୍ପିୟନ ହୋଇଥିଲେ ।
ପୋର୍ଟାଲ ଜରିଆରେ ଏ ଖବର ଜାଣି ଶ୍ରୀଯୁକ୍ତ ଚୌଧୁରୀ ଜଣେ ଦିବ୍ୟାଙ୍ଗ ଝିଅର ବାପା ହିସାବରେ ଅନ୍ୟ ଜଣେ ଦିବ୍ୟାଙ୍ଗ ଝିଅ ମଧୁସ୍ମିତାର ଅସିଚାଳନା ଭଳି ଦୁଃସାହସିକ ଖେଳ ଓ ଦୃଢ଼ ଇଚ୍ଛାଶକ୍ତିରେ ପ୍ରଭାବିତ ହୋଇ ତାଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ତାଙ୍କ ପରିବାର ପକ୍ଷରୁ ନିଷ୍ପତ୍ତି ନେଇଥିଲେ । ପତ୍ନୀ ଜୋସ୍ମା ଚୌଧୁରୀ, ଦିବ୍ୟାଙ୍ଗ କନ୍ୟା ତାନିଆ ଚୌଧୁରୀ ଓ ଅନ୍ୟ କନ୍ୟା ଦୀକ୍ଷା ଚୌଧୁରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ । ତାଙ୍କ କୋଚ୍ ରାଖାଲ କୁମାର ସେଠୀଙ୍କ ପରାମର୍ଶ କ୍ରମେ ଆନ୍ତର୍ଜାତୀୟ ସ୍ତରରେ ଉକ୍ତ କ୍ରୀଡ଼ା ପାଇଁ ଆବଶ୍ୟକ ବାହାରୁ ଆମଦାନୀ ହୋଇଥିବା ଉଚ୍ଚମାନର ତଲୱାର, ଗ୍ଲୋଭ୍, ବଡ଼ି ଓୟାର, ବିଭିନ୍ନ ଜ୍ୟାକେଟ୍, ଫେନସିଂ ଜୋତା, ସକସ୍, ଫେନସିଂକିଟ୍ ଆନୁସଙ୍ଗିକ ୧୩ଟି ଉପକରଣ ସେ ଏହି କାର୍ଯ୍ୟକ୍ରମରେ ମଧୁସ୍ମିତାଙ୍କୁ ପ୍ରଦାନ କରିଥିଲେ । ଏ ପ୍ରକାର ସହାୟତା ପାଇଁ ମଧୁସ୍ମିତା ଶ୍ରୀଯୁକ୍ତ ଚୌଧୁରୀଙ୍କ ପରିବାରଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିବା ସହିତ ସେ ସବୁର ସଦୁପଯୋଗ କରି ଆର୍ନ୍ତଜାତୀୟ ସ୍ତରରେ ଖେଳି ନିଜ ଜିଲ୍ଲା, ରାଜ୍ୟ ଓ ଦେଶର ସୁନାମ ବଢ଼ାଇବା ପାଇଁ ଉଦ୍ୟମ କରିବେ ବୋଲି ପ୍ରକାଶ କରିଥିଲେ । ସୂଚନାଯୋଗ୍ୟକି ମଧୁସ୍ମିତାଙ୍କୁ ପୂର୍ବରୁ ଜିଲ୍ଲା ପ୍ରଶାସନ ତରଫରୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।