Odiapua.com

ଦିବଂଗତ ବିଧାୟକଙ୍କ ପ୍ରତି କଟୁ ମନ୍ତବ୍ୟରେ ଜୁଏଲଙ୍କ କ୍ଷୋଭ

ବାଲେଶ୍ୱର, ୩୦ା୧୦(ଓଡ଼ିଆ ପୁଅୟ/ଅଭୟ ଦାସ): ମଙ୍ଗୁଭାଇଙ୍କ ଭଳି ଜଣେ ଲୋକପ୍ରିୟ ଦିବଂଗତ ବିଧାୟକଙ୍କ ପ୍ରତି ବିଜେଡି ନେତା ଓ ମନ୍ତ୍ରୀଙ୍କ କଟୁ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ସମର୍ଥନ କରିବା ମାନବିକତାର ପରିପନ୍ଥୀ ବୋଲି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ପ୍ରକାଶ କରିଛନ୍ତି। ଗତ ସାଧାରଣ ନିର୍ବାଚନରେ ଲୋକପ୍ରିୟ ନେତା ଭାବେ ସଦର ନିର୍ବାଚନମଣ୍ଡଳୀର ଲୋକେ ମଦନ ମୋହନ ଦତ୍ତଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେଇ ନିର୍ବାଚିତ କରିଥିଲେ। ମାତ୍ର ତାଙ୍କର ଅକାଳ ବିୟୋଗରେ ପରିବାର ସମେତ ଏହି ନିର୍ବାଚନମଣ୍ଡଳୀବାସୀ ଅତ୍ୟନ୍ତ ମ୍ରିୟମାଣ ହୋଇପଡ଼ିଥିଲେ। ମାତ୍ର ନବୀନ ପଟ୍ଟନାୟକଙ୍କ ସରକାରର ମନ୍ତ୍ରୀ ଓ ନେତା ସ୍ୱର୍ଗତ ଦତ୍ତଙ୍କ ସମ୍ପର୍କରେ ନାନାଦି ଅପମାନବୋଧକ ଶବ୍ଦ ଉଚ୍ଚାରଣ ଆଦୌ ଗ୍ରହଣୀୟ ନୁହେଁ। ପୂର୍ବରୁ ତାଙ୍କର ମୃତ୍ୟୁ ବିଜେଡି ପାଇଁ ସୁଯୋଗ ଓ ଏବେ ତାଙ୍କୁ ପୋଡ଼ା ବିଦ୍ୟୁତ୍ ଟ୍ରାନ୍ସଫର୍ମାର ବୋଲି ସମ୍ବୋଧନ କରିବା ଅମାନବିକତାର ସୀମା ଟପିଛି। ସବୁଠାରୁ ବଡ଼କଥା ହେଲା ଖୋଦ୍ ମୁଖ୍ୟମନ୍ତ୍ରୀ ଏ ସବୁ ଜାଣି ମଧ୍ୟ ଚୁପ୍ ରହିବା। ସେ ଇଚ୍ଛା କରିଥିଲେ ଗତକାଲିର ଭର୍ଚୁଆଲ ର‌୍ୟାଲିରେ ଦିବଂଗତ ବିଧାୟକଙ୍କ ପରିବାରକୁ ସମବେଦନା ଜଣାଇ ପାରିଥାନ୍ତେ କିମ୍ବା ବିବାଦୀୟ ନେତା ଓ ମନ୍ତ୍ରୀଙ୍କୁ ତାଗିଦ୍ କରିପାରି ଥାନ୍ତେ। ମାତ୍ର ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ପଦୁଟିଏ ବି କିଛି ନ କହିବା ବାଲେଶ୍ୱରବାସୀଙ୍କ ଭାବନାକୁ ଘୋର ଉପେକ୍ଷା ବୋଲି ସାଂସଦ ଶ୍ରୀ ଓରାମ ଆରୋପ କରିଛନ୍ତି। ଆଗାମୀ ଦିନରେ ଏହାର ଫଳ ବିଜେଡିକୁ ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି। ରାଜନୀତି ପାଇଁ ମାନବିକତା ଓ ସମ୍ବେଦନଶୀଳତା ଭୁଲି ଯାଉଥିବା ଦଳର ନେତା ଓ ମନ୍ତ୍ରୀଙ୍କୁ ବାଲେଶ୍ୱରବାସୀ କେବେ କ୍ଷମା କରିବେ ନାହିଁ ବୋଲି ସାଂସଦ ଶ୍ରୀ ଦତ୍ତ ଚେତାବନୀ ଦେଇଛନ୍ତି।