Odiapua.com

ଦିବଂଗତ ବିଧାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର, ୨୩ା୬(ଓଡ଼ିଆ ପୁଅ/ଅଭୟ ଦାସ): ବିଜେପି ପକ୍ଷରୁ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକସଭା ଆୟୋଜନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ଏି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲାସ୍କୁଲ ନିକଟ ଦଳୀୟ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି। ବିଜେପିର ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତା ଏଥିରେ ଯୋଗଦେଇ ସ୍ୱର୍ଗତ ଦତ୍ତଙ୍କ ଜୀବନାଦର୍ଶ ଓ ସମାଜେସେବା ଧାରା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ଜଣେ ସୁସଂଗଠକ ଭାବେ ସ୍ୱର୍ଗତ ଦତ୍ତଙ୍କ ପ୍ରଚେଷ୍ଟାରୁ କେବଳ ସଦର ମହକୁମାରେ ନୁହେଁ ବରଂ ଜିଲ୍ଲାରେ ବିଜେପିର ସ୍ଥିତି ଆଜି ସୁଦୃଢ଼ ହୋଇପାରିଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ରାଜନୀତି କରିବା ପରିବର୍ତ୍ତେ ଜନସାଧାରଣଙ୍କୁ ସେବା ପ୍ରଦାନ ଓ ସମସ୍ୟା ସମାଧାନ ନେଇ ତାଙ୍କର ଆଭିମୁଖ୍ୟ ତଥା କାର୍ଯ୍ୟଧାରା ଦଳୀୟ ସଂଗଠନକୁ ଆଗକୁ ନେଇପାରିଥିଲା ବୋଲି ଉପସ୍ଥିତ ବକ୍ତାମାନେ ମତ ଦେଇଥିଲେ। ଆଗାମୀ ଦିନରେ କିପରି ତାଙ୍କର ଅଧୂରା କାର୍ଯ୍ୟ ଓ ସ୍ୱପ୍ନକୁ ସାକାର କରାଯିବା ସେନେଇ ସମସ୍ତେ ଏକମନ ଓ ଏକ ପ୍ରାଣ ହୋଇ କାର୍ଯ୍ୟ କରିବାକୁ ସେମାନେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ସ୍ୱର୍ଗତ ଦତ୍ତଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ନିରବ ପ୍ରାର୍ଥନା ମାଧ୍ୟମରେ ଦିବଂଗତ ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ସେହିପରି ପୁରୁଣାବାଲେଶ୍ୱର ଅଞ୍ଚଳବାସିନ୍ଦାଙ୍କ ପକ୍ଷରୁ ସ୍ଥାନୀୟ ବାଣେଶ୍ୱର ମନ୍ଦିର ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀଙ୍କ ସମେତ ବିଜେପି କର୍ମକର୍ତ୍ତାମାନେ ଏଥିରେ ଯୋଗଦେଇ ସ୍ୱର୍ଗତ ଦତ୍ତଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ସମସ୍ତେ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ।