ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳରେ ଏବେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ଦିନକୁ ଦିନ ଚୋରି, ଲୁଟପାଟ୍ ବୃଦ୍ଧି ପାଉଥିବାବେଳେ ପୋଲିସ ପ୍ରଶାସନ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି।୧୮ ତାରିଖ ରାତିରେ ଝାଟିଆସାହି ରାସ୍ତା ରେ ରାତି ୧୦ ଟା ବେଳେ ୫ ଜଣ ବାଇକି ରେ ଆସି ଜଣେ ସୁନା ଦୋକାନୀ କୁ ଅଟକାଇ ମାଡ଼ ମାରି ୫ ଲକ୍ଷ ଟଙ୍କା ଲୁଟ୍ କରି ଫେରାର ହୋଇ ଥିଲେ ।ପୋଲିସ କିନ୍ତୁ ସେମାନଙ୍କୁ ଠାବ କରିପାରିନଥିବା ବେଳେ ପୁଣି ୧୯ ତାରିଖ ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ଧାମନଗର ବ୍ଲକ ଛକ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଏକ କଲୋନୀରୁ ଦିନ ଦ୍ୱିପ୍ରହରରେ ଘରେ କେହି ନଥିବାବେଳେ ଚୋର ମାନେ କବାଟ ତାଲା କାଟି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟିନେବା ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି। ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ, ସବୁଠାରୁ ଜନଗହଳିପୂର୍ଣ୍ଣ ରାସ୍ତା କଡ଼ରେ ଚୋରମାନେ ଏଭଳି କାଣ୍ଡ ଭିଆଇବାକୁ ସାହସ ପାଉଛନ୍ତି କେମିତି। ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା ଓ ସୁରକ୍ଷା ଦାୟିତ୍ୱ ସୀମିତ ରହୁଛି ବୋଲି ସାଧାରଣରେ ଆଲୋଚନା ହେଉଛି। ସୁଚନା ଥାଉକି ଧାମନଗର ବ୍ଲକ କଲୋନୀ ର ରହୁ ଥିବା ଶିକ୍ଷକ ନିରାକାର ରାଉତଙ୍କ ପରିବାର ୧୯ ତାରିଖ ପୂର୍ବାହ୍ନ ପ୍ରାୟ ୯ ଟା ୪୫ ମିନିଟ ରେ ଘର ଗେଟ ରେ ତାଲା ପକାଇ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଭଗବାନପୁର ଯାଇଥିଲେ। ଏହି ସୁଯୋଗ ରେ ଦିନ ପ୍ରାୟ ୧୦ ଟା ରୁ ୧୧ ଟା ସମୟ ମଧ୍ୟରେ ପୂର୍ବରୁ ସୁଯୋଗ ଅପେକ୍ଷାରେ ଥିବା ଦୁର୍ବୁତମାନେ ମୁଖ୍ୟ ରାସ୍ତା କଡ଼ରେ ଥିବା ଏହି ଘରର ଗେଟ ତାଲା କାଟି ଭିତରକୁ ପଶିଥିଲେ। କବାଟ ତାଲା ଭାଙ୍ଗି ନିରାକାରଙ୍କ ଘରୁ ୨ ଟି ସୁନା ଚେନ ଓ ନଗଦ ୫ ହଜାର ଟଙ୍କା ଲୁଟି ନେଇଥିଲେ। ଚୋରଙ୍କ ଦୁଃସାହସ ଏତିକିରେ ସରି ନଥିଲା ସେହି ଘରେ ଭଡ଼ା ରହୁଥିବା ଧାମନଗର ଅଗ୍ନିଶମ ବାହିନୀର କର୍ମଚାରୀ ଶ୍ୟାମସୁନ୍ଦର ସେଠୀଙ୍କ ଘର ତାଲା ମଧ୍ୟ କାଟି ଦୁଇଟି ସୁନା ମୁଦି, ଦୁଇ ହଳ ରୁପା ପାଉଁଜି ଏବଂ ନଗଦ ୧୦ ହଜାର ଟଙ୍କା ଚୋରି କରିନେଇଥିଲେ।ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ସେହି ଘରେ ଭଡ଼ା ରହୁଥିବା ସ୍ଥାନୀୟ ଶିଶୁମନ୍ଦିରର ଜଣେ ଗୁରୁମା ଘରକୁ ଫେରିବା ପରେ ଏହି ଚୋରି ସମ୍ପର୍କରେ ଜଣାପଡ଼ିଥିଲା।ଘଟଣା ସମ୍ପର୍କରେ ନିରାକାର ରାଉତ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତତ୍ପରତା ପ୍ରକାଶ କରି ସାଇଂଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ସହାୟତାରେ ଘଟଣାସ୍ଥଳରେ ତଦନ୍ତ କରିଛି। ମାତ୍ର ପ୍ରଶ୍ନ ଉଠୁଛି, ଅପରାଧ ଘଟିବା ପରେ କେବଳ ଡଗ୍ ସ୍କ୍ୱାଡ୍ ବୁଲାଇ କାର୍ଯ୍ୟାନୁଷ୍ଠାନର ପ୍ରହସନ ଦେଖାଇଲେ ଅଂଚଳବାସୀଙ୍କ ମନରୁ ଭୟ ଦୂର ହେବ କି । ଧାମନଗର ପୋଲିସର ଦୁର୍ବଳ ପାଟ୍ରୋଲିଂ ଏବଂ ଖାମଖିଆଲି ମନୋଭାବ ଯୋଗୁଁ ଆଜି ଅପରାଧୀଙ୍କ ସାହସ ଏତେ ବଢ଼ିଯାଇଛି ଯେ ସେମାନେ ଦିବାଲୋକରେ ମୁଖ୍ୟ ରାସ୍ତା କଡ଼ରୁ ଲୁଟ୍ କରିବାକୁ ସାହସ କରୁଛନ୍ତି। ତେବେ ଦୁଇଦିନ ଦୁଇଟି ବଡ ଚୋରୀ ହୋଇଥିବା ବେଳେ ଚୋର ମାନଙ୍କ ଟେର ଏଯାଏ ପାଇପାରୁନି। ତେବେ ବିଭିନ୍ନ ସ୍ଥାନ ରେ ସି ସି କ୍ୟାମେରା କୁ ଦେଖା ଯାଉଛି ଅଭିଯୁକ୍ତ ଙ୍କୁ ଠାବ କରାଯିବା କୁ ଉଦ୍ୟମ ଚାଲିଛି ବୋଲି ଥାନା ଅଧିକାରୀ ସୁବ୍ରଜିତି ଦାସ ସୂଚନା ଦେଇଛନ୍ତି।