Odiapua.com

ଦିନିକିଆ ଓଡିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା

– ଶ୍ରୀ ଶାହା ରାଜ୍ୟ କାର୍ଯ୍ୟାଳୟରେ ୫ଟି ସାଙ୍ଗଠନିକ ବୈଠକ କରିବେ
– ଅପରାହ୍ନରେ ୩ଟି ସଂସଦୀୟ କ୍ଷେତ୍ରର ୨୧ଟି ବିଧାନସଭା ନିର୍ବାଚନ କ୍ଷେତ୍ର ଅନ୍ତର୍ଗତ ସମସ୍ତ ପଂଚାୟତର ପ୍ରମୁଖ ନେତାଙ୍କ ସହ ଶ୍ରୀ ଶାହା କରିବେ ଆଲୋଚନା

ଭୁବନେଶ୍ୱର, ତା ୩୦/୦୬ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା। ଶ୍ରୀ ଶାହା ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିଥିଲେ। ବିମାନବନ୍ଦରଠାରେ ଶ୍ରୀ ଶାହାଙ୍କୁ ରାଜ୍ୟ ବିଜେପି ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହା ପରେ ଶ୍ରୀ ଶାହା ରାଜ୍ୟ କାର୍ଯ୍ୟାଳୟରେ ପହଂଚି ବିଗତ ଦିନରେ ସେ ଦେଇଥିବା ସମସ୍ତ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

ଏହି ଦିନିକିଆ ଗସ୍ତ ଅବସରରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଅନୁଦାନ ଅର୍ଥ ସଠିକ୍ ଭାବରେ ପ୍ରକୃତ ହିତାଧିକାରୀଙ୍କ ପହଂଚୁଛି କି ନାହିଁ ସେ ନେଇ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା ଏବଂ ସମୀକ୍ଷା କରିବେ। ଯେଉଁ ଯୋଜନା ତୃଣମୂଳ ସ୍ତରରେ ପହଂଚି ନାହିଁ ତାହାର ପ୍ରକୃତ ସ୍ଥିତି ବୁଝି କେନ୍ଦ୍ରକୁ ଅବଗତ କରାଇବେ। ଏଥି ସହ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପ ଯୋଜନା ଏବଂ ସାଙ୍ଗଠନିକ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିବେ।

ଶ୍ରୀ ଶାହା ପୂର୍ବାହ୍ନରେ ରାଜ୍ୟ କାର୍ଯ୍ୟାଳୟରେ ୫ଟି ସାଙ୍ଗଠନିକ ବୈଠକ କରିବା ସହ ଅପରାହ୍ନରେ ପ୍ରଦର୍ଶନୀ ପଡିଆରେ ରାଜ୍ୟର ୩ଟି ସଂସଦୀୟ କ୍ଷେତ୍ର (ଭୁବନେଶ୍ୱର, ପୁରୀ ଏବଂ କଟକ)ର ୨୧ଟି ବିଧାନସଭା ନିର୍ବାଚନ କ୍ଷେତ୍ର ଅନ୍ତର୍ଗତ ସମସ୍ତ ପଂଚାୟତରୁ ଆସିଥିବା୨ ଜଣ ଲେଖାଏଁ ପ୍ରମୁଖ ନେତାଙ୍କ ସହ ଶ୍ରୀ ଶାହା ଆଲୋଚନା କରିବେ।। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଶେଷ ହେବା ପରେ ଶ୍ରୀ ଶାହା ସୋମବାର ଦିନ ସକାଳେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।