Odiapua.com

ଦିନବେଳା ଭାରିଯାନ ଚଳାଚଳକୁ ବିରୋଧ, ଅଧିକାରୀଙ୍କୁ ଅବଗତ କଲେ ଆଗରପଡ଼ାବାସୀ

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ମୁଖ୍ୟ ବଜାର ଆଗରପଡ଼ା ଦେଇ ଆଜକୁ କିଛି ଦିନ ହେବ ଦିନ ବେଳା ବାଲି ବୋଝେଇ ଭାରି ଯାନ ଗୁଡ଼ିକ ଚଳାଚଳ କରୁଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ହାଟଡିହି ବ୍ଲକ ଛେନାପଦୀ ଅଂଚଳରୁ ଏହି ବାଲି ବୋଝେଇ ଟ୍ରକ୍ ଗୁଡ଼ିକ ବନ୍ତ ସଦର ମହକୁମା ହୋଇ ଭଦ୍ରକ ଯାତାୟତ କରିଥାଏ । ମାତ୍ର ଗତ ୮ ତାରିଖରେ ଶ୍ରୀବନ୍ତପୁର ଛକ ଠାରେ ଜଣେ ସ୍କୁଲ ଛାତ୍ର ବାଲି ବୋଝେଇ ଟ୍ରକ ଧକ୍କାରେ ଗୁରୁତର ହେବା ପରେ ବନ୍ତ ଠାରେ ଉତେଜନା ପ୍ରକାଶ ପାଇ ପୋଲିସ୍‌ର ଲାଠି ଚାର୍ଜ ପର୍ଯ୍ୟନ୍ତ କଥା ଯାଇଥିଲା । ସେବେ ଠାରୁ ଦିନ ବେଳା ବନ୍ତ ଦେଇ ବାଲି ବୋଝେଇ ଗାଡ଼ି ଗୁଡ଼ିକ ଚଳାଚଳ ବନ୍ଦ ରହିଥିବା ବେଳେ ଏବେ ଛେନାପଦୀରୁ ଆଗରପଡ଼ା ହୋଇ ଏହି ଭାରିଯାନ ଗୁଡ଼ିକ ଚଳାଚଳ ଯୋଗୁଁ ଟ୍ରାଫିକ୍ ସମସ୍ୟା ବୃଦ୍ଧି ପାଇ ଆଗକୁ ବଡ଼ ଦୁର୍ଘଟଣା ଘଟିପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ମଙ୍ଗଳବାର ଠାରୁ ମ୍ୟାଟ୍ରିକ ପରିକ୍ଷା ଆରମ୍ବ ହେଉଥିବା ବେଳେ ବଜାର ଅଂଚଳରେ ଥିବା କୃଷ୍ଣଚରଣ ବିଦ୍ୟା ମନ୍ଦିର ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପରିକ୍ଷା କେନ୍ଦ୍ର ରହିଛି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଦିନ ବେଳା ଭାରିଯାନ ଚଳାଚଳ ବନ୍ଦ ରଖିବା ନେଇ ଅଂଚଳବାସୀ ଦୃଢ ଦାବୀ ରଖିଛନ୍ତି । ଏନେଇ ଯୁବ ସମାଜସେବୀ ଅଶୋକ କୁମାର ପରିଡ଼ା, ଶୁଭ୍ରଜିତ ପଣ୍ଡା, ଶନାତନ ମହାନ୍ତି, ଗୋପାଳ ବାରିକ, ଚନ୍ଦନ ସାହୁ, ବିପିନ ଖଟୁଆ ପ୍ରମୁଖ ବନ୍ତ ତହସିଲଦାରଙ୍କୁ ଲିଖିତ ଅବଗତ କରିଥିବା ବେଳେ ଆଗରପଡ଼ା ଥାନାଧିକାରୀଙ୍କୁ ଜଣାଇଛନ୍ତି । ପ୍ରକାଶଯେ ଭାରିଯାନ ଚଳାଚଳ ଯୋଗୁଁ ବନ୍ତ ଅଂଚଳରେ ଏକାଧିକ ଦୁର୍ଘଟଣାମାନ ଘଟିଥିବା ବେଳେ ଗତ ୮ ମାସ ପୂର୍ବେ ଟିଲୋ ଗ୍ରାମର ଫଳ ବ୍ୟବସାୟୀ ମୃତ୍ୟୁ ବରଣ କରିଥିଲେ । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ଦିନ ବେଳା ଭାରିଯାନ ଚଳାଚଳକୁ ବନ୍ଦ ରଖିବା ନେଇ ଅଂଚଳବାସୀଙ୍କୁ ଲିଖିତ ପ୍ରତିସୃତି ଦେଇଥିଲେ । ଏବେ ଆଗରପଡ଼ା ଅଞ୍ଚଳ ଦେଇ ଭାରିଯାନ ଗୁଡ଼ିକ ଚଳପ୍ରଚଳ କରୁଥିଲେ ମଧ୍ୟ ତହସିଲ କିମ୍ବା ପୋଲିସ୍ ପ୍ରଶାସନ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ ।