Odiapua.com

ଦିନକରେ ୯୬ ପଜିଟିଭ୍ ଚିହ୍ନଟ – ଜିଲ୍ଲାର କରୋନା ସଂକ୍ରମିତ ସଂଖ୍ୟା ୭୬୯୪କୁ ବୃଦ୍ଧି

ବାଲେଶ୍ୱର, ୧ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ବିପଦମୟ ସ୍ଥିତି ସୃଷ୍ଟି କରିଛି। ଭାରତ ଭଳି ଜନବହୁଳ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ବି୯୬, ୩୫୧ରେ ପହଞ୍ଚିଛି। ସେହିଭଳି ଓଡ଼ିଶାରେ ଆଜି ଗୋଟିଏ ଦିନରେ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ସୁଦ୍ଧା ରାଜ୍ୟର କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୨୨ ହଜାର ଟପିଛି। ଅନ୍ୟପକ୍ଷରେ ଆଜି ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଦ୍ୟାବଧି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୫୯ ଛୁଇଁଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ବାଲେଶ୍ୱରର କରୋନା ସ୍ଥିତି କ୍ରମଶଃ ବିଗିଡ଼ିବାରେ ଲାଗିଛି। ଅନ୍ୟ ଦିନ ତୁଳନାରେ ଆଜି ଶହେରୁ କମ୍ ଅର୍ଥାତ ୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅଦ୍ୟାବଧି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୭୬୯୪ରେ ପହଞ୍ଚିଛି। ଏବେ ସୁଦ୍ଧା ଜିଲ୍ଲାରେ ୬୩୧୧ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ହୋଇଥିବା ବେଳେ ଏକ୍ଟିଭ୍ ଥିବା ୧୩୫୦ ଜଣ କରୋନା ଆକ୍ରାନ୍ତ କୋଭିଡ୍ ହସ୍ପିଟାଲ, କୋଭିଡ୍ କେୟାର ସେଣ୍ଟର ସହ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ବାଲେଶ୍ୱର ଜିଲ୍ଲାର କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮ରେ ସ୍ଥିର ରହିଛି। ତେବେ ଦିନକୁ ଦିନ ଜିଲ୍ଲାରେ ବଢ଼ୁଥିବା କୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ରକ୍ଷା ସାଙ୍ଗକୁ ମାସ୍କ ଓ ସାନିଟାଇଜର ବ୍ୟବହାର ପାଇଁ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।