Odiapua.com

ଦିନକରେ ୮୮କରୋନା ପଜିଟିଭ୍ ଚିହ୍ନଟ – ବାଲେଶ୍ୱର ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୨୯୪୮କୁ ବୃଦ୍ଧି

ବାଲେଶ୍ୱର, ୨୪ା୮(ଓଡ଼ିଆ ପୁଅ/ଅଭୟ ଦାସ): ଅଦ୍ୟାବଧି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୫୭ ହଜାର ଟପିଛିି। ଅନୁରୂପ ଭାବେ ଓଡ଼ିଶାରେ ଅଦ୍ୟାବଧି ସଂକ୍ରମିତଙ୍କ ସଂଖ୍ୟା ୮୧ହଜାର ଅତିକ୍ରମ କରିଥିବା ବେଳେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଏବେ ୪୧୯ରେ ପହଞ୍ଚିଛି। ତେବେ ବାଲେଶ୍ୱରରେ ଗତ ଏକ ସପ୍ତାହ ଧରି ଦୈନିକ ଦେଢ଼ଶହ ଉପରେ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଆଜି ୮୮ ଜଣ ସଂକ୍ରମିତ ଚିହ୍ନଟ ଜିଲ୍ଲାବାସୀଙ୍କ ସମେତ ପ୍ରଶାସନ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି। ଅଦ୍ୟାବଧି ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪୮ରେ ପହଞ୍ଚିଛି। ତନ୍ମଧ୍ୟରୁ ୧୭୮୭ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୧୧୪୮ଜଣ କରୋନା ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ରଖି ଚିକିିତ୍ସା କରାଯାଉଛି। ଅନ୍ୟପକ୍ଷରେ ଅଦ୍ୟାବଧି ଜିଲ୍ଲାରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୮ରେ ସ୍ଥିର ରହିଛିି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ଚିହ୍ନଟ ହୋଇଥିବା ୮୮ଜଣ ପଜିଟିଭ୍‌ଙ୍କ ମଧ୍ୟରୁ ସମସ୍ତେ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ନୂଆଭାବେ ଚିହ୍ନଟ ହୋଇଥିବା ସମସ୍ତ ସ୍ଥାନୀୟ ସଂକ୍ରମିତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ କରୋନା ପିଜିଟିଭ୍ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗତ କିଛିଦିନ ଧରି ଜିଲ୍ଲାରେ କ୍ରମାଗତ ଭାବେ ସ୍ଥାନୀୟ ସଂକ୍ରମଣ ବଢ଼ିଚାଲିଥିବା ବେଳେ ଏଭଳି ସ୍ଥିତିରେ ଜନସାଧାରଣ ଅଧିକରୁ ଅଧିକ ସତର୍କତା ଅବଲମ୍ବନ ସହ କୋଭିଡ୍ ନିୟମ ପାଳନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।