Odiapua.com

ଦିନକରେ ୭୯ ସ୍ଥାନୀୟ ସଂକ୍ରମଣ ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୯୧ ଛୁଇଁଲା

ବାଲେଶ୍ୱର, ୩ା୮(ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ସବୁ ବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅଦ୍ୟାବଧି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ଟପି ଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୩୮ହଜାର ଅତିକ୍ରମ କରିଛି। ଅନୁରୂପ ଭାବେ ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୮୪ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬ହଜାର ୨୯୭ରେ ପହଞ୍ଚିଛି। ତେବେ ଅଦ୍ୟାବଧି ୨୧, ୯୫୫ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୧୪, ୦୯୪ଜଣ ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ଆଜି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ଅଦ୍ୟାବଧି କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୨୦୭ରେ ପହଞ୍ଚିଛି। ସେହିଭଳି ବାଲେଶ୍ୱରରେ ଗତ କିଛିଦିନ ଧରି କ୍ରମାଗତ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଛି। ବିଶେଷ କରି ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଯୋଗୁଁ ଜିଲ୍ଲାର ସ୍ଥିତି ସଙ୍ଗୀନ ଆଡ଼କୁ ଯାଉଥିବା ଲକ୍ଷ୍ୟ କରାଯାଇଛି। ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେବାକୁ ବସିଥିବା ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି। ତେବେ ଅନ୍ୟଦିନ ତୁଳନାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୯୧ରେ ପହଞ୍ଚିଛି। ଅଦ୍ୟାବଧି ୭୪୧ ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୩୪୪ଜଣ କରୋନା ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ରଖି ଚିକିିତ୍ସା କରାଯାଉଛି। ତେବେ ସବୁଠାରୁ ବଡ଼କଥା ହେଲା ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ସମସ୍ତ ପଜିଟିଭ୍ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ସମସ୍ତେ ପୂର୍ବ ପଜିଟିଭଙ୍କ ସଂସ୍ପର୍ଶ ଆସି ସଂକ୍ରମିତ ହୋଇଥିବା କୁହାଯାଉଥିବା ବେଳେ ଏବେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି। ଗତ କିଛିଦିନ ଧରି ଜିଲ୍ଲାରେ ବଡ଼ି ଚାଲିଥିବା କରୋନା ସଂକ୍ରମଣ ଚଳିତ ଅଗଷ୍ଟ ମାସରେ ସଂଗୀନ ସ୍ଥିତିରେ ପହଞ୍ଚାଇବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କଲେଣି। ଏଭଳି ସ୍ଥିତିରେ ଜନସାଧାରଣ ଅଧିକରୁ ଅଧିକ ସତର୍କତା ଅବଲମ୍ବନ ସହ କୋଭିଡ୍ ନିୟମ ପାଳନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।