Odiapua.com

ଦିନକରେ ୪୦କରୋନା ପଜିଟିଭ୍ – ବାଲେଶ୍ୱର ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୩୭୪୦କୁ ବୃଦ୍ଧି

ବାଲେଶ୍ୱର, ୧ା୯(ଓଡ଼ିଆ ପୁଅ/ଅଭୟ ଦାସ): ବିଶେଷଜ୍ଞମାନଙ୍କ ପୂର୍ବାନୁମାନ ଅନୁସାରେ ସମ୍ପ୍ରତି ଦେଶରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆଜିସୁଦ୍ଧା ଭାରତର କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭ ଲକ୍ଷରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ୬୫ ହଜାର ଅତିକ୍ରମ କରିଛି। ଅନୁରୂପ ଭାବେ ଓଡ଼ିଶାରେ କ୍ରମବର୍ଦ୍ଧିଷ୍ଣୁ ହାରରେ ବଢ଼ୁଥିବା କରୋନା ସଂକ୍ରମଣ ସମସ୍ତଙ୍କ ପାଇଁ ଉଦ୍ବେଗର ବିଷୟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୦୨୫ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥବା ବେଳେ ରାଜ୍ୟର ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୬ ହଜାର ୫୬୧ରେ ପହଞ୍ଚିଛି। ଆଜି ଗୋଟିଏ ଦିନରେ ୧୧ ଜଣଙ୍କ ମୃତ୍ୟୁ ସହ ରାଜ୍ୟର କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୩ ଛୁଇଁଛି। ସେହିଭଳି ଦିନକୁ ଦିନ ବାଲେଶ୍ୱରର ସ୍ଥିତି ବିଗିଡ଼ିବାରେ ଲାଗିଛି। ଗତ ୨ ସପ୍ତାହ ଧରି ଦୈନିକ ସଂକ୍ରମଣ ହାର ୧୦୦ ଉପରେ ରହୁଥିବା ବାଲେଶ୍ୱର ଜିଲ୍ଲାରେ ଆଜି ମାତ୍ର ୪୦ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ଜିଲ୍ଲାବାସୀଙ୍କ ପାଇଁ ଆଶ୍ୱସ୍ତିକର ବିଷୟ ହୋଇଛି। ଅଦ୍ୟାବଧି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୭୪୦ରେ ପହଞ୍ଚିଥିବା ବେଳେ ଗତ ୩ ଦିନ ଧରି ମୃତ୍ୟୁ ସଂଖ୍ୟା ୧୧ରେ ସ୍ଥିର ରହିଛି। ଅନ୍ୟପକ୍ଷରେ ଆଜିସୁଦ୍ଧା ଜିଲ୍ଲାରେ ୨, ୮୨୦ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୯୦୪ ଜଣ କରୋନା ଆକ୍ରାନ୍ତ ଏବେ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ବ୍ଲକ ଅଞ୍ଚଳ ତୁଳନାରେ ବାଲେଶ୍ୱର ପୌରାଞ୍ଚଳରେ ବଢ଼ୁଥିବା ସଂକ୍ରମଣ ସମସ୍ତଙ୍କ ପାଇଁ ଉଦବେଗର କାରଣ ହୋଇଛି। ଆଜି ଜିଲ୍ଲାରେ ଚିହ୍ନଟ ହୋଇଥିବା ୪୦ଜଣ ପଜିଟିଭ୍ଙ୍କ ମଧ୍ୟରୁ ବାଲେଶ୍ୱର ପୌରାଞ୍ଚଳରେ ୧୬ ଜଣ ଥିବା ଜଣାପଡ଼ିଛି। ସହରର ଅଙ୍ଗାରଗଡ଼ିଆରେ ଜଣେ ପୁରୁଷ, ବିସିସେନ୍ ରୋଡ଼୍ରେ ଜଣେ ପୁରୁଷ, ବାରବାଟୀରେ ଜଣେ ପୁରୁଷ, ସେଣ୍ଟ୍ରାଲ ସ୍କୁଲ ଛକରେ ଜଣେ ପୁରୁଷ, ଚୂନଭାଟୀ ଅଞ୍ଚଳରେ ଜଣେ ମହିଳା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ ପୁରୁଷ କର୍ମଚାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ପୁରୁଷ କର୍ମଚାରୀ, ମାନସିଂବଜାରରେ ୨ ଜଣ ପୁରୁଷ ଓ ଜଣେ ମହିଳା, ମୋତିଗଞ୍ଜରେ ଜଣେ ପୁରୁଷ, ଏନଡିଆରଏଫ ଟିମ୍ରେ ଜଣେ ପୁରୁଷ, ସହଦେବଖୁଣ୍ଟାରେ ୨ ଜଣ ପୁରୁଷ, ଶୋଭାରାମପୁର ଅଞ୍ଚଳରେ ଜଣେ ମହିଳା, ସହର ଉପକଣ୍ଠ ସୁନ୍ଦରି ଅଞ୍ଚଳର ଜଣେ ପୁରୁଷ ଏବଂ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଥିବା ଭଦ୍ରକ ଜିଲ୍ଲା ଆରଡ଼ି ଅଞ୍ଚଳର ଜଣେ ପୁରୁଷଙ୍କଠାରେ କରୋନା ପଜିଟିଭ୍ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ସେହିଭଳି ବାହାନଗା ବ୍ଲକର ଜଣେ ପୁରୁଷ ଓ ୨ଜଣ ମହିଳା, ବାଲିଆପାଳ ବ୍ଲକର ଜଣେ ପୁରୁଷ, ବସ୍ତା ବ୍ଲକର ଜଣେ ପୁରୁଷ, ବଜଳେଶ୍ୱର ବ୍ଲକର ୨ ଜଣ ପୁରୁଷ, ନୀଳଗିରି ବ୍ଲକରେ ଜଣେ ପୁରୁଷ, ରେମୁଣା ବ୍ଲକରେ ୩ ଜଣ ପୁରୁଷ, ସଦର ବ୍ଲକରେ ୭ ଜଣ ପୁରୁଷ ଓ ୩ ଜଣ ମହିଳା ଏବଂ ସେ।।ର ବ୍ଲକରେ ୨ ଜଣ ପୁରୁଷ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି। ସେପ୍ଟେମ୍ବର ମାସର ପ୍ର୍ରଥମ ଦିନରେ ଜିଲ୍ଲାର କରୋନା ପଜିଟିଭ୍ ଚିହ୍ନଟ ସଂଖ୍ୟା ହ୍ରାସ ପାଇଥିବା ବେଳେ ଏହି ମାସରେ ସଂକ୍ରମଣ ହାର କେମିତି ରହିବ ତାହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ହୋଇଛି। ତେବେ କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ରକ୍ଷା ସାଙ୍ଗକୁ ମାସ୍କ ଓ ସାନିଟାଇଜର ବ୍ୟବହାର ପାଇଁ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।