Odiapua.com

ଦିନକରେ ୩୭ ଜଣ ନୂଆ ପଜିଟିଭ୍ ଚିହ୍ନଟ – ୧୧୨୮ରେ ପହଞ୍ଚିଲା ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା

ବାଲେଶ୍ୱର, ୪ା୮ (ଓଡ଼ିଆ ପୁଅ/ଅଭୟ ଦାସ)- : ଦିନକୁ ଦିନ ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ସବୁ ବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅଦ୍ୟାବଧି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୭୮ ହଜାର ୩୮୨ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୩୯ ହଜାର ୧୮୮ ଛୁଇଁଚିି। ଅନୁରୂପ ଭାବେ ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୮୪ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୭ହଜାର ୬୮୧ରେ ପହଞ୍ଚିଛି। ସେହିଭଳି ବାଲେଶ୍ୱରରେ ଗତ କିଛିଦିନ ଧରି କ୍ରମାଗତ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଛି। ବିଶେଷ କରି ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଯୋଗୁଁ ଜିଲ୍ଲାର ସ୍ଥିତି ସଙ୍ଗୀନ ଆଡ଼କୁ ଯାଉଥିବା ଲକ୍ଷ୍ୟ କରାଯାଇଛି। ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେବାକୁ ବସିଥିବା ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି। ତେବେ ଅନ୍ୟଦିନ ତୁଳନାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୨୮ରେ ପହଞ୍ଚିଛି। ଅଦ୍ୟାବଧି ୭୭୧ ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୩୫୧ଜଣ କରୋନା ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ରଖି ଚିକିିତ୍ସା କରାଯାଉଛି। ତେବେ ଗତ କିଛିଦିନ ଧରି ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ଅଗଷ୍ଟ ମାସରେ ସମ୍ଭାବ୍ୟ ସ୍ଥିତିକୁ ନେଇ ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥିତିରେ ଜନସାଧାରଣ ଅଧିକରୁ ଅଧିକ ସତର୍କତା ଅବଲମ୍ବନ ସହ କୋଭିଡ୍ ନିୟମ ପାଳନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।