Odiapua.com

ଦିନକରେ ବାଲେଶ୍ୱରରେ ୫୭ ପଜିଟିଭ୍ ଚିହ୍ନଟ, ଜିଲ୍ଲାର କରୋନା ସଂକ୍ରମିତ ସଂଖ୍ୟା ୯୧୬୪ କୁ ବୃଦ୍ଧି

ବାଲେଶ୍ୱର, ୧୬ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ବିପଦମୟ ସ୍ଥିତି ସୃଷ୍ଟି କରିଛି। ଭାରତ ଭଳି ଜନବହୁଳ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ଲକ୍ଷ ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ବି ୧ଲକ୍ଷ ୧୨ ହଜାର ଟପିଛି। ସେହିଭଳି ଓଡ଼ିଶାରେ ଆଜି ଗୋଟିଏ ଦିନରେ ୨୧୩୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅଦ୍ୟାବଧି ରାଜ୍ୟର କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୬୪ହଜାର ୧୪୯ ଛୁଇଁଛି। ଅନ୍ୟପକ୍ଷରେ ଆଜି ୧୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଦ୍ୟାବଧି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୦୪ରେ ପହଞ୍ଚିଛି। ତେବେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ବାଲେଶ୍ୱରର କରୋନା ସଂକ୍ରମଣ ଉଦ୍‌ବେଗ ଜନକ ସ୍ଥିତିକୁ ଯାଉଥିବା ଲକ୍ଷ୍ୟ କରାଯାଇଛି। ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟ ୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅଦ୍ୟାବଧି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୯୧୬୪ରେ ପହଞ୍ଚିଛି। ଏବେ ସୁଦ୍ଧା ଜିଲ୍ଲାରେ ୮୨୦୯ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ହୋଇଥିବା ବେଳେ ଏକ୍ଟିଭ୍ ଥିବା ୮୮୯ ଜଣ କରୋନା ଆକ୍ରାନ୍ତ କୋଭିଡ୍ ହସ୍ପିଟାଲ, କୋଭିଡ୍ କେୟାର ସେଣ୍ଟର ସହ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଗତକାଲି ଭଳି ଆଜି ବାଲେଶ୍ୱର ଜିଲ୍ଲାର ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି କୌଣସି କରୋନା ରୋଗୀର ମୃତ୍ୟୁ ହୋଇନଥିବା ବେଳେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୧ରେ ସ୍ଥିର ରହିଛି। ତେବେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସତର୍କତା ଅବଲମ୍ବନ ପାଇଁ ଜିଲ୍ଲାବାସୀଙ୍କୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।