Odiapua.com

ଦିନକରେ ଜିଲାରେ ୭୮ କରୋନା ସଂକ୍ରମିତ: ସପ୍ତାହାନ୍ତ ସଟ ଡାଉନ କାର୍ଯ୍ୟକାରୀ ପାଇଁ ପ୍ରସ୍ତୁତି

ବାଲେଶ୍ୱର, ୨୩ା୪(ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟରେ ବଢ଼ୁଥିବା ଦ୍ୱିତୀୟ ଲହର କରୋନା ସଂକ୍ରମଣ ଉଭୟ ସରକାର ଓ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ରାଜ୍ୟ ସୂଚନା ଓ ଲୋକସର୍ମ୍ପକ ବିଭାଗର ରିପୋର୍ଟ ଅନୁସାରେ ଗତ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବକାଳୀନ ଦୈନିକ ସର୍ବୋଚ୍ଚ ସଂକ୍ରମଣ ସଂଖ୍ୟା ଭାବେ ୬ ହଜାର ୨ ଶହ ୧୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏଥି ମଧ୍ୟରେ ବାଲେଶ୍ୱରର ୭୯ ଜଣ ଆକ୍ରାନ୍ତ ଅଛନ୍ତି। ଦ୍ୱିତୀୟ ଲହରରେ ବାଲେଶ୍ୱର ଜିଲାରେ ପ୍ରଥମ କରୋନା ରୋଗୀଙ୍କର ମୃତ୍ୟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଡାଇବେଟସ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ୩୮ ବର୍ଷିଆ ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଥିବାକୁହାଯାଇଛି। ତେବେ ବାଲେଶ୍ୱର ଜିଲାରେ ଚିହ୍ନଟ ହୋଇଥିବା ମୋଟ ୭୯ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ସହରର ମୋତିଗଞ୍ଜ ଅଞ୍ଚଳରୁ ୨ ଜଣ, ପଢୁଆଁପଦାରୁ ୨ ଜଣ, ବାଲୁବଜାର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଅଙ୍ଗାରଗଡ଼ିଆ, ସହଦେବଖୁଣ୍ଟା, ଷ୍ଟେସନ ଛକ, ସୁନହଟ ପ୍ରଭୃତି ଅଂଚଳରୁ ଜଣେ ଲେଖାଁଏ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ସଦର ବ୍ଲକର ସରସତିଆ, ରସାଳପୁର ଓ ଗବଗାଁ ଅଂଚଳରୁ ଜଣେ ଲେଖାଏଁ ଏବଂ ଅନ୍ୟାନ୍ୟ ଅଂଚଳରୁ ୪ ଜଣ ନୂଆ କରୋନା ସଂକ୍ରମିତ ହୋଇଛନ୍ତି। ରେମୁଣା ବ୍ଲକର ବାଲିଆରୁ ୩ ଜଣ, ନୂଆଗାଁରୁ ୨ ଜଣ, ଇମାମୀ ପେପର ମିଲ୍ସ, ଖାନନଗର ଓ ରେମୁଣାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଅନୁରୂପ ଭାବେ ସୋର ବ୍ଲକରୁ ୧୭ ଜଣ, ବାହାନଗା ବ୍ଲକରୁ ୯ ଜଣ, ଖଇରା ବ୍ଲକରୁ ୨୨ ଜଣ, ନୀଳଗିରି ବ୍ଲକରୁ ୩ ଜଣ ଓ ଜଳେଶ୍ୱର ବ୍ଲକରୁ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ତେବେ ସମସ୍ତ ଆକ୍ରାନ୍ତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ବାଲେଶ୍ୱର ଜିଲାରେ ସଂକ୍ରମଣ ଆଗାମୀ ଦିନରେ ଆହୁରି ବଢିବାର ଆଶଙ୍କା ଥିବାବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତାକାଲିଠାରୁ ସପ୍ତାହାନ୍ତ ସଟଡାଉନ କାର୍ଯ୍ୟକାରୀ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଶୁକ୍ରବାର ରାତି ୯ ଟାରୁ ନାଇଟ କଫ୍ୟୁ ଶନିବାର ସକାଳ ୫ ଟା ପର୍ଯ୍ୟନ୍ତ ବଳବତ୍ତର ରହିଛି। ମାତ୍ର ଗୋଟିଏ ଘଣ୍ଟା ଅନ୍ତର ପରେ ୬ଟାରୁ ସଟଡାଉନ ଲାଗୁ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବରିଷ୍ଠ ବ୍ୟକ୍ତିଙ୍କ ମର୍ଣ୍ଣିଂୱାକ ପାଇଁ ଶନିବାର ଓ ରବିବାର ସକାଳ ୫ ଟାରୁ ୬ଟା ପର୍ଯ୍ୟନ୍ତ କୋହଳ କରାଯାଇଥିବା କୁହାଯାଇଛି। ବାଲେଶ୍ୱର ସହର ଓ ଆଖପାଖ ଅଞ୍ଚଳ ସମେତ ନୀଳଗିରି, ସୋର ଓ ଜଳେଶ୍ୱର ପ୍ରଭୃତି ପୌରାଞ୍ଚଳରେ ଏହି ସଟଡାଉନ କାର୍ଯ୍ୟକାରୀ ହେବ ବୋଲି ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ସୂଚନା ଦେଇଛନ୍ତି। ଧାର୍ଯ୍ୟ ସହରାଞ୍ଚଳ ସୀମାରେ ପୁଲିସ ବ୍ୟବସ୍ଥା କଡ଼ାକଡ଼ି ହୋଇଥିବା ସେ କହିଛନ୍ତି।