Odiapua.com

ଦିନକରେ ଚିହ୍ନଟ ୧୬୧ କରୋନା ପଜିଟିଭ୍‌ – ୬୬୫୪କୁ ବୃଦ୍ଧି ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା

ବାଲେଶ୍ୱର, ୨୩-୯(ଓଡ଼ିଆ ପୁଅ/ଅଭୟ ଦାସ) : ବଢ଼ୁଥିବା କରୋନା ସଂକ୍ରମଣ ସମଗ୍ର ଦେଶ ପାଇଁ ଉଦ୍‌ବେଗର ବିଷୟ ହୋଇଛି। ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେ ପହଞ୍ଚିବା ପରେ କ୍ରମହ୍ରାସମାନ ଅବସ୍ଥାରେ ଏହା କମିବ ବୋଲି ଜଣାପଡ଼ିଛି। ତେବେ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନତା ସୃଷ୍ଟି ସାଙ୍ଗକୁ ସାମାଜିକ ଦୂରତା ରକ୍ଷା ପାଇଁ କୁହାଯାଉଥିଲେ ବି ସାଧାରଣ ଲୋକେ ଏହାକୁ ଗୁରୁତ୍ୱ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ହୋଇଛି। ଦେଶର ସଂକ୍ରମିତଙ୍କ ସଂଖ୍ୟା ୫୬ ଲକ୍ଷରେ ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ବି୯୦ ହଜାର ଛୁଇଁଛି। ସେହିଭଳି ଓଡ଼ିଶାରେ ଦୈନିକ ୪ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇ ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ଧିରେ ଧିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୪୨୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟର ଆଜି ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୨ହଜାର୫୪୮ରେ ପହଞ୍ଚିଛି। ଅନ୍ୟପକ୍ଷରେ ଆଜି ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଦ୍ୟାବଧି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୩୬ ଛୁଇଁଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ବାଲେଶ୍ୱରର ସ୍ଥିତି କ୍ରମଶଃ ବିଗିଡ଼ିବାରେ ଲାଗିଛି। ଆଜି ଗୋଟିଏ ଦିନରେ ୧୬୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅଦ୍ୟାବଧି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୬୬୫୪ରେ ପହଞ୍ଚିଛି। ଏବେ ସୁଦ୍ଧା ଜିଲ୍ଲାରେ ୫୧୭୯ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୧୪୫୦ ଜଣ ଆକ୍ରାନ୍ତ କୋଭିଡ୍ ହସ୍ପିଟାଲ, କୋଭିଡ୍ କେୟାର ସେଣ୍ଟର ସହ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥାଇ କରୋନା ପଜିଟିଭ୍ ଥିବା ୫୧ ବର୍ଷର ଜଣେ ପୁରୁଷ କରୋନା ରୋଗୀଙ୍କର ଆଜି ମତ୍ୟୁ ହୋଇଥିବା ଜଣାପଡ଼ିଛି। ଅଦ୍ୟାବଧି ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଛି। ତେବେ ବ୍ଲକ ତୁଳନାରେ ବାଲେଶ୍ୱର ପୌରାଞ୍ଚଳରେ ବଢ଼ୁଥିବା ସଂକ୍ରମିତଙ୍କ ସଂଖ୍ୟା ସମସ୍ତଙ୍କ ଚିନ୍ତା ବଢ଼ାଇଛି। ସେହିଭଳି ଜିଲ୍ଲାର ଗୋଟିଏ ଗୋଟିଏ ଅଞ୍ଚଳରେ ଏକକାଳୀନ ଅଧିକ ସଂଖ୍ୟକ ପଜିଟିଭ ଚିହ୍ନଟ ହେବା ସ୍ଥାନୀୟ ସଂକ୍ରମଣକୁ ସଙ୍ଗୀନ ସ୍ଥିତିରେ ପଞ୍ଚାଇବାର ଆଶଙ୍କା ସୃଷ୍ଟି କରିଛି।