Odiapua.com

ଦାରିଙ୍ଗବାଡି ଯୁବକ, ବିହାରରେ ଆଞ୍ଚଳିକ ଲେବର କମିଶନର

ବାଲିଗୁଡା, ୧/୩.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ଆଣିଦେଇଛି ସଫଳତା। ଭଲ ପଥ ପ୍ରଦର୍ଶକ ଓ ଅର୍ଥ ନ ଥାଇ ମଧ୍ୟ ଜଣେ ଯୁବକ ସଫଳତା ପାଇ ଦାରିଙ୍ଗବାଡି ପାଇଁ ଗୌରବ ଆଣିଛନ୍ତି। ସେ ହେଲେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିର କୁନିଦେବ ସାହୁ ଓ ସ୍ବର୍ଗତ ଜୟଦେବ ସାହୁଙ୍କ କନିଷ୍ଠ ପୁତ୍ର କାହ୍ନୁଚରଣ।

ବହୁ ବାଧାବିଘ୍ନ ଓ ଆର୍ଥିକ ଅନାଟନ ଭିତରେ ପାଠପଢି ସେ ଏବେ କେନ୍ଦ୍ର ସରକାରଙ୍କ ଶ୍ରମ ବିଭାଗରେ ଆଞ୍ଚଳିକ ଶ୍ରମ କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ବିହାର ରାଜ୍ୟର ପାଟନାରେ ଆଞ୍ଚଳିକ ଶ୍ରମ କମିଶନର ଭାବେ ସେ ଏବେ ଅବସ୍ଥାପିତ। ଅଞ୍ଚଳରେ ଶ୍ରମିକଙ୍କ ଉନ୍ନତି ପାଇଁ ନୂତନ ଚିନ୍ତାଧାରା ଓ ବିଭିନ୍ନ ପ୍ରକାର ପଦକ୍ଷେପ ତାଙ୍କୁ ଭିନ୍ନଏକ ପରିଚୟ ଦେଇଛି। ବିହାର ଦୂରଦର୍ଶନରେ ତାଙ୍କ ସାକ୍ଷାତକାର ଭିଡିଓ ଭାଇରାଲ ପରେ ଏବେ ଦାରିଙ୍ଗବାଡି ସମେତ ସାରା ରାଜ୍ୟରେ କାହ୍ନୁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଘରେ ବିଧବା ମା’ ଓ ୩ ଭଉଣୀଙ୍କ ସହ କାହ୍ନୁ ରହୁଥିଲେ।

ସରକାରୀ ବିଦ୍ୟାଳୟରେ ଦଶମ ପର୍ଯ୍ୟନ୍ତ ପଢିଥିଲେ। ପରିବାର ବୋଝ ଯୋଗୁ ପରିବା ବ୍ୟବସାୟ କରି ଘର ଚଳାଇବା ସହ ପାଠ ପଢୁଥିଲେ। ଦଶମ ପାସ୍‌ପରେ ଟ୍ୟୁଶନ କରିବା ସହ ସ୍ଥାନୀୟ ବ୍ଲକ୍‌ଗ୍ରାଣ୍ଟ ଜୁନିୟର ମହାବିଦ୍ୟାଳୟ ରେ ଯୁକ୍ତ ୨ ପଢ଼ିଲେ। ଟ୍ୟୁଶନ କରି ଜମା ରଖିଥିବା ୩ ହଜାର ଟଙ୍କା ଧରି ସେ ଉଚ୍ଚ ଶିକ୍ଷା ପାଇଁ ବ୍ରହ୍ମପୁର ଅଭିମୁଖେ ଯାଇଥିଲେ। କାହ୍ନୁ କୁହନ୍ତି ମୋତେ ସମସ୍ତେ ବ୍ୟବସାୟ କରିବାକୁ କହୁଥିଲେ, କିନ୍ତୁ ମୋର ଅଲଗା କିଛି ହେବାର ନିଶା ମୋତେ ଏହି ସଫଳତା ଆଣିଦେଇଛି l