ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ‘ମୋ କଲେଜ୍ ଅଭିଯାନ’ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟରୁ ଅଧ୍ୟୟନପରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଦୁଇଶହରୁ ଅଧିକ ପୁରାତନ ଛାତ୍ରଛାତ୍ରୀମାନେ ଉକ୍ତ ସଭାରେ ଯୋଗଦାନ କରି ଓଡ଼ିଶାର ପୁରାତନ ଶିକ୍ଷାନୁଷ୍ଠାନ ସେମାନଙ୍କର ମା’ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ଅକ୍ଷୟ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାର ପ୍ରାରମ୍ଭରେ ପଣ୍ଡିତ ମଧୁସୂଦନ ତ୍ରିପାଠୀ ବେଦପାଠ କରିଥିଲେ ଏବଂ ଦିବଂଗତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପୁରାତନ ଛାତ୍ର ସଂସଦର ସଂପାଦକ ପ୍ରଧାନଶିକ୍ଷକ ଦୈତ୍ୟାରୀ ତୀକ୍ଷିତ ସଭାର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ପୁରାତନ ଛାତ୍ରମାନଙ୍କ ମଧ୍ୟରୁ ଶ୍ରୀ ମନୋଜ କୁମାର ଆଚାର୍ଯ୍ୟ, ଗୌରୀଶ୍ୟାମ ପରିଡ଼ା, ଦେବେନ୍ଦ୍ର ଉଦ୍ଗାତା, ଶଙ୍କର୍ଷଣ ଦାଶ, ପ୍ରଦୀପ କୁମାର ନାୟକ, ରମାକାନ୍ତ ଦୀକ୍ଷିତ, ରମେଶ କୁମାର ନାୟକ, ଅନୁରାଧା ଲାହା, ବିବେକାନନ୍ଦ ପଣ୍ଡା, ଶିଲନ୍ ପଣ୍ଡା, କାବେରୀ ପାତ୍ର, ଲୀଜାରାଣୀ ରାଉତ, ସଂଗ୍ରାମ କେଶରୀ ମହାପାତ୍ର, ଗୌରାଙ୍ଗ ଚନ୍ଦ୍ର ଦାସ ଓ ସୁବାଷ ଚନ୍ଦ୍ର ମିଶ୍ର ପ୍ରଭୁତି ରାଜ୍ୟ ସରକାରଙ୍କର ଉକ୍ତ ଅଭିନବ କାର୍ଯ୍ୟକ୍ରମ ସେମାନଙ୍କୁ ଏକାଠି କରାଇଛି ବୋଲି ବର୍ଣ୍ଣନା କରିଥିଲେ । ଉକ୍ତ ସଭାକୁ ଆନୁଷ୍ଠାନିକ ଭାବେ ଡଃ ପ୍ରମୋଦ କୁମାର ନାୟକ ଉଦ୍ଘାଟନ କରିଥିଲେ । ଅଧ୍ୟକ୍ଷ ଡଃ ନିତ୍ୟାନନ୍ଦ ମିଶ୍ର ମୋ କଲେଜ ଅଭିଯାନର ଦିଗନ୍ତ ବିସ୍ତାରୀ ଲକ୍ଷ୍ୟ ପ୍ରସଂଗରେ ବର୍ଣ୍ଣନା କରିଥିଲେ । ଅଧ୍ୟାପକ ପ୍ରତିନିଧି ଭାବେ ଶୁକଦେବ ପଣ୍ଡା ଓ ଗାୟତ୍ରୀ ମହାନ୍ତି ସେମାନଙ୍କ ମତ ରଖିଥିଲେ । ପରିଶେଷରେ ଗୌରୀଶ୍ୟାମ ପରିଡ଼ାଙ୍କ ଧନ୍ୟବାଦ ଅର୍ପଣ ପରେ ସଭାସାଙ୍ଗ ହୋଇଥିଲା ।