Odiapua.com

ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ପୁରୁଣା ବଜାରସ୍ଥିତ ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସମନ୍ୱିତ ଯୁବ ବିକାଶ ସାଂସ୍କୃତିକ କାର୍ଯ୍ୟକ୍ରମ ବିଶିଷ୍ଟ କୃଷି ବିଜ୍ଞାନୀ ତଥା ଗୀତିକାର ଇଂ. ଅଭୟ ସୂତାରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇ ଯାଇଅଛି । ଶିକ୍ଷା କେବଳ ପୁସ୍ତକଗତ ନହୋଇ ଏହା ସାର୍ବଜନୀନ ମାନବତ୍ୱର ବିକାଶରେ ପରମ ସହାୟକ ହୋଇଥାଏ ବୋଲି ଉଦ୍‌ଘାଟକ ଇଂ. ସୂତାର ମତବ୍ୟକ୍ତ କରିଥିଲେ । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ନିତ୍ୟାନନ୍ଦ ମିଶ୍ର ପୌରହିତ୍ୟ କରି ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ସମସ୍ତ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନକରି ଭଦ୍ରକ ରୋଟାରୀ କ୍ଲବ୍ ସଭାପତି ସମାଜସେବୀ ଶ୍ରୀଯୁକ୍ତ ଅଭିଜିତ୍ ନାୟକ ଉକ୍ତ ଗାରିମାମୟ ଅନୁଷ୍ଠାନର ଭୂୟସୀ ପ୍ରଶଂସା କରିବା ସଂଗେ ସଂଗେ ଆଧୁନିକ ଛାତ୍ରଛାତ୍ରୀ ଏକ ହାତରେ ସଂସ୍କୃଭାଷା ଓ ଅନ୍ୟ ହାତରେ ବିଜ୍ଞାନକୁ ଧାରଣ କରିବା ଉଚିତ । ମୁଖ୍ୟବକ୍ତା ଡ. ପ୍ରମୋଦ କୁମାର ନାୟକ ଯୋଗଦେଇ ସଂସ୍କୃତ, ସଂସ୍କୃତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଭାରତୀୟ ଜୀବନଶୈଳୀରେ ପ୍ରତିଫଳିତ ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରି ପ୍ରଫେସର ସଂଗ୍ରାମ କେଶରୀ ମହାନ୍ତି ଉତ୍ତମ ମନୁଷ୍ୟ ହେବା ପାଇଁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଅଧ୍ୟାପକ ଶୁକଦେବ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରୁ ଅଧ୍ୟାପକ ଚିତ୍ତରଂଜନ ଦାସ, ପ୍ରଶାନ୍ତ କୁମାର ଦାସ, ଅଧ୍ୟାପିକା ଗାୟତ୍ରୀ ମହାନ୍ତି, ମଧୁସୂଦନ ତ୍ରିପାଠୀ, ମଞ୍ଜୁଲତା ମହାପାତ୍ର, ଗୌରାଙ୍ଗ ଦାସ, ରଘୁନାଥ ନାୟକ ଓ ସୁବାଷ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ । ପରିଶେଷରେ ଶ୍ରୀଯୁକ୍ତ ଅକ୍ଷୟ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।