Odiapua.com

ଦାଦନ ସର୍ଦ୍ଦାର ବିନା ଲାଇସେନ୍ସରେ ଚାଲାଣ କରୁଛନ୍ତି ଶ୍ରମିକ

ବଲାଙ୍ଗୀର ୧୩ା୧୦(ଓଡ଼ିଆ ପୁଅ/ସନ୍ତୋଷ ନାୟକ): ବଲାଙ୍ଗୀର ଜିଲ୍ଲାରେ ଦାଦନ ଶ୍ରମିକ ସମସ୍ୟା ର ସମାଧାନ ପ୍ରତି ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନ ନେବା ଓ ଖୋଲା, ଖୋଲି ଦାଦନ ସର୍ଦ୍ଦାର ବିନା ଲାଇସେନ୍ସରେ ବାହ୍ୟ ରାଜ୍ୟ କୁ ଚାଲାଣ କରି ଚାଲିଛନ୍ତି। ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ଏଇ ଜିଲ୍ଲାରୁ ଦାଦନ ଶ୍ରମିକ ଭାବେ ବୁହା ହୁଅନ୍ତି। ପ୍ରତିବର୍ଷ ଅନେକ ଦାଦନ ଦୁଃଖ ସମ୍ବାଦପତ୍ରର ପୃଷ୍ଠା ମଣ୍ଡନ ବି କରେ। ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା, କିନ୍ତୁ ଏଭଳି ଏକ ଘୃଣ୍ୟ ପ୍ରଥାକୁ ଉଚ୍ଛେଦ କରିବା ଦିଗରେ ସରକାର କି ପ୍ରଶାସନ କେବେ କଠୋର ଆଇନ ବ୍ୟବସ୍ଥା ଜାରି କରିନାହାନ୍ତି। ଏପରି କି କେ ବି କେ, ଯଥା କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ ପାଇଁ ସରକାରୀ ଯୋଜନା କେବଳ କାଗଜ କଲମ ରେ ସୀମିତ। ଚଳିତ ବର୍ଷ କରୋନା ସଂକ୍ରମଣର ପ୍ରଥମାର୍ଦ୍ଧରେ ଦାଦନ ଶ୍ରମିକମାନେ ନିଜ ନିଜ ଭିଟାମାଟିକୁ ଅନେକ ଦୁଃଖ କଷ୍ଟରେ ଫେରିଥିଲେ।

କିଏ ହଜାର ହଜାର କିଲୋମିଟର ପିଲାଛୁଆଙ୍କୁ ସାଙ୍ଗରେ ନେଇ ଚାଲି ଚାଲି ଆସିଥିଲା ତ’ କିଏ ଧାର କରଜ କରି ନିଜ ବ୍ୟବସ୍ଥାରେ ଭିଟାମାଟିକୁ ଫେରିଥିଲା। ଅବଶ୍ୟ କିଛି ଶ୍ରମିକ ସରକାରଙ୍କ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥାରେ ଫେରିଥିଲେ ନିଜ ଜନ୍ମମାଟିକୁ। ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ କାମ ଯୋଗାଇ ଦେବା ପାଇଁ ଯୋଜନା ବି ପ୍ରଣୟନ ହେଲା। କିନ୍ତୁ କିଛି କାମରେ ଆସିଲା ନାହିଁ। ପୁଣି ଦାଦନ ଶ୍ରମିକ ଭାବେ ପେଟ ପୋଷିବାକୁ ବାହାରିଲେଣି ଗାଁ ଗାଁରେ ଶ୍ରମିକ। ଦାଦନ ସର୍ଦ୍ଦାରମାନେ ବେଶ୍‌ ଉତ୍ସାହିତ। ଅନ୍ୟ ବର୍ଷ ଭଳି ଚଳିତ ବର୍ଷ ଦାଦନ ସର୍ଦ୍ଦାରମାନେ ଲାଇସେନ୍ସ ବି କରିନାହାନ୍ତି। ସିଧା ଅନ୍ୟ ରାଜ୍ୟରୁ ଛୁଟି ଆସୁଛି ରଂଗୀନ ରଂଗୀନ ବସ୍‌ ଏବଂ ବୋହି ନେଉଛି ଏଠାକାର ଶ୍ରମିକମାନଙ୍କୁ। ଅନ୍ୟ ବର୍ଷଗୁଡ଼ିକରେ ଟ୍ରେନ୍‌ରେ ଦାଦନ ସର୍ଦ୍ଦାରମାନେ ପଠାଉଥିଲେ ଶ୍ରମିକ। ଏ ବର୍ଷ କିନ୍ତୁ ସେ ସମସ୍ୟା ନାହିଁ। ସିଧା ଗାଁରେ ବସ୍‌ ଲାଗୁଛି ଏବଂ ଶ୍ରମିକଙ୍କୁ ଉଠେଇ ନେଉଛି ବିନ୍‌ଦାସ୍‌। ତେବେ ଦାଦନ ଶ୍ରମିକମାନଙ୍କ ଉଚିତ କର୍ମସଂସ୍ଥାନ ବ୍ୟବସ୍ଥା କରିବା ଦିଗରେ ପ୍ରଶାସନର କୌଣସି ସ୍ପୃହା ଦେଖା ଯାଉନଥିବା ବେଳେ ଦାଦନ ସର୍ଦ୍ଦାରମାନଙ୍କ ବେଆଇନ ଶ୍ରମିକ ଚାଲାଣ ଜୋର୍‌ସୋର୍‌ ଆରମ୍ଭ ହୋଇ ଯାଇଥିବା ଚର୍ଚ୍ଚା ହେଉଛି। ଏ ସମସ୍ୟା ପ୍ରତି କେବେ ଚେତିବ ପ୍ରଶାସନ ବୋଲି ସାଧାରଣରେ ଠିଆ ହୋଇଛି ଏକ ବିରାଟ ପ୍ରଶ୍ନ । ଏ ଦିଗରେ ଜନସେବା ସଙ୍ଗଠନ ରାଜ୍ୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି କରିଛି।