Odiapua.com

ଦାଉସାଜୁଛି କରୋନା : ମୁଣ୍ଡରେ ହାତଦେଇ ବସିଛନ୍ତି ଭଦ୍ରକର ଫୁଲ ବ୍ୟବସାୟୀ

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏଲଖା ଗ୍ରାମର ଦ୍ୱାରିକା ମିଶ୍ର, ଦୀର୍ଘବର୍ଷ ହେଲା ଭଦ୍ରକ ସହରରେ ଏକ ଫୁଲ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । କଲିକତାରୁ ଫୁଲଆଣି ଭଦ୍ରକରେ ବ୍ୟବସାୟ କରୁଥିଲେ । ସେଥିରୁ ଯାହା ଲାଭ ବାହାରେ ୩ ପ୍ରାଣୀ କୁଟୁମ୍ବ ଚଳନ୍ତି । କିନ୍ତୁ ମହାମାରୀ କରୋନା ପାଇଁ ୪ ମାସ ହେଲା ତାଙ୍କର ଫୁଲ ବ୍ୟବସାୟ ବନ୍ଦ ରହିଛି । କାରଣ କଲିକତାରୁ ଆଉ ସଠିକ୍ ଭାବେ ଫୁଲ ଆଣିପାରୁନାହାଁନ୍ତି । ତେଣୁ ଏବେ ଫୁଲ ବ୍ୟବସାୟ ବନ୍ଦ ଅଛି । ପରିବାର ଚଳାଇବା ଏବେ ତାଙ୍କ ପାଇଁ କଷ୍ଟକର ହୋଇପଡିଛି । କଳ୍ପତରୁ ପୃଷ୍ଟି ଜଣେ ବହୁ ପୁରୁଣା ଫୁଲ ବ୍ୟବସାୟୀ । ହେଲେ ମହାମାରୀ କରୋନା ବଦଳାଇ ଦେଇଛି ଏଙ୍କ ବ୍ୟବସାୟ । ଫୁଲ ବଦଳରେ ବିକ୍ରି କରୁଛନ୍ତି ପୁଟୁଳି ବଣିଆ ସାମଗ୍ରୀ । କଳ୍ପତରୁ କୁହନ୍ତି ଦିନ ଥିଲା ଭଦ୍ରକ ଫୁଲ ବଜାରରେ ଲୋକଙ୍କ ଗହଳି ଲାଗୁଥିଲା । ବାହାଘର ସମୟରେ ବରଗାଡି ସଜ୍ଜାହେବା ପାଇଁ ଲମ୍ବାଲାଇନ୍ ଲାଗୁଥିଲା । କିନ୍ତୁ ଏବେ ତାହା ସ୍ୱପ୍ନ ପାଲଟିଛି । କରୋନା ପାଇଁ ଫୁଲ ବ୍ୟବସାୟରେ ଆଉ ଲାଭ ତ ଦୂରର କଥାହ ମୂଳ ଉଠାଇବା କଷ୍ଟସାଧ୍ୟ ହେଉଛି । ଗରାଖ ନଆସିବାରୁ ଫୁଲ ପଚିଯାଉଛି । ତେଣୁ ମୁଁ ଫୁଲ ବଦଳରେ ପୁଟୁଳିବଣିଆ ସାହମଗ୍ରୀ ବିକ୍ରି କରୁଛି । ଭଦ୍ରକର ଫୁଲ ମାର୍କେଟରେ ବହୁ ପୁରୁଣା ଫୁଲ ବ୍ୟବସାୟ ହେଉଛନ୍ତି ରବିନ୍ଦ୍ର ବେହେରା । ସେ କୁହନ୍ତି ଏହି ମହାମାରୀ କରୋନା ପାଇଁ ଭଦ୍ରକ କଲିକତାକୁ ଯାତାୟତରେ ଅସୁବିଧା ହେଉଛି । ସଠିକ୍ ଭାବେ ସେଠାରୁ ଫୁଲ ଆସିପାରୁନାହିଁ । ନନା ଫୁଲ ମିଳୁଛି ନା ଗରାଖ ଆସୁଛନ୍ତି । କରୋନାର ପ୍ରଭାବ ଫୁଲ ବ୍ୟବସାୟ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇଛି ବୋଲି କହିଛନ୍ତି । ମହାମାରୀ କରୋନା ପାଇଁ ଏବେ ଅନେକ ବ୍ୟବସାୟ ପ୍ରତିଷ୍ଠା ଉପରେ ପ୍ରଭାବ ପଡିଛି । ଏଥିରୁ ବାଦ୍ ପଡିନାହାଁନ୍ତି ଭଦ୍ରକର ଫୁଲ ବ୍ୟବସାୟୀ । ଅନେକ ଦୁର୍ଦ୍ଦିନରେ ଗତି କରୁଛନ୍ତି ଏମାନେ । ନା ସେମାନଙ୍କ ପାଖରେ ସଠିକ୍ ଭାବେ ଫୁଲ ପହଞ୍ôଚପାରୁଛି ନା ଆସୁଛନ୍ତି ଗ୍ରାହକ ।

ବ୍ୟବସାୟ ଠିକ୍ ସେ ନହେଉଥିବାରୁ ସେମାନଙ୍କ ପରିବାର ଚଳାଇବା ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । କରୋନା ପାଇଁ ଏବେ ବ୍ରତଘର, ବାହାଘର, ସଭା ସମିତି ସମେତ ସମସ୍ତ ଯାନିଯାତ୍ରା ମଧ୍ୟ ବନ୍ଦ ରହିଛି । ତେଣୁ ଏହାର ସିଦ୍ଧାସଳଖ ପ୍ରଭାବ ଫୁଲ ବ୍ୟବସାୟଙ୍କ ଉପରେ ପଡିଛି । ତେବେ କହିବାକୁ ଗଲେ ଭଦ୍ରକର ଫୁଲ ବ୍ୟବସାୟୀ କଲିକତା ଉପରେ ନିର୍ଭରଶୀଳ । ପାଖାପାଖି ୯୦ ଭାଗ ଫୁଲ କଲିକତା ବଜାରରୁ ହିଁ ଆସିଥାଏ । କଲିକତାର କୋଲାଘାଟ ବଜାରରୁ ଭଦ୍ରକ ସହରର ୪୦ ରୁ ଉର୍ଦ୍ଧ୍ୱ ଫୁଲ ବ୍ୟବସାୟୀ ବର୍ଷ ସାରା ଗୋଲାପ, ରଜନିଗନ୍ଧା, ଗେଣ୍ଡୁ ପରି ଅନେକ ଫୁଲ ଆଣି ବିକ୍ରି କରିଥାନ୍ତି । ଫୁଲ ସାଙ୍ଗକୁ ବିଭିନ୍ନ କିସମର ସାଜସଜ୍ଜା ପାଇଁ ପତ୍ର ମଧ୍ୟ ଆଣିଥାନ୍ତି । ବିଶେଷକରି ଏହି ପତ୍ର ଫୁଲ ତୋଡା ସହ ସମସ୍ତ ସାଜସଜ୍ଜାରେ ଲାଗିଥାଏ । ଏହିସବୁ ପତ୍ରର ନାମ ଭଦ୍ରକ ବାସୀଙ୍କୁ ସଠିକ୍ ଭାବେ ଜଣାନଥିଲେ ମଧ୍ୟ ଏଠାରେ ବେଶ୍ ଚାହିଦା ଦେଖିବାକୁ ମିଳେ । ଏରିଗା, ଘୋଡା, ବଟର, ପାରାଗାଷ୍ଠ ପରି ପତ୍ର କଲିକତା ବଜାରରୁ ଏଠାକୁ ଆସିଥାଏ । କିନ୍ତୁଃ ଦୁଃଖର କଥା ଏହି କରୋନା ମହାମାରୀ ପାଇଁ କଲିକତା ସହ ଭଦ୍ରକର ଫୁଲ ବ୍ୟବସାୟ ମାନଙ୍କର ଯୋଗାଯୋଗ ରହିପାରୁନାହିଁ । ତେଣୁ ଫୁଲ ଆଉ ଆଗପରି ଆସିପାରୁନାହିଁ । ଯାହାବି ଆସୁଛି ଦାମ୍ ଅଧିକ ରହୁଛି । ଏପଟେ ଗ୍ରାହକ ମଧ୍ୟ ଆଗପରି କିଣୁନାହାଁନ୍ତି । ଫୁଲ ଅଧିକ ଦିନ ରହି ପଚିଯାଉଥିବାରୁ ବ୍ୟବସାୟୀମାନଙ୍କ ବହୁ କ୍ଷତି ସହିବାକୁ ପଡୁଛି । ସେଥିପାଇଁ କିଛି ଫୁଲ ବ୍ୟବସାୟୀମାନେ ଆଳୁପିଆଜ ବିକୁଥିବା ମଧ୍ୟ ଦେଖିବାକୁ ମିଳୁଛି । ସେଥିରୁ ଯାହା ମିଳୁଛି ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି । କହିବାକୁ ଗଲେ ଭଦ୍ରକର ଫୁଲ ବ୍ୟବସାୟୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।