Odiapua.com

ଦହପାଣିଆ ଏନ୍‌ସିସି କ୍ୟାମ୍ପରେ ଜିଲ୍ଲାପାଳଙ୍କ ପ୍ରେରଣାଦାୟୀ ସମ୍ବୋଧନ

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲା ଦଣ୍ଡାଧିକାରୀ ଦିଲୀପ ରାଉତରାଏ ଦହପାଣିଆସ୍ଥିତ ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭ ଓଡ଼ିଶା ବାଟାଲିୟନ୍ ଏନ୍‌ସିସି ପକ୍ଷରୁ ଆୟୋଜିତ କମ୍ବାଇନ୍ଡ ଆନୁଆଲ୍ ଟ୍ରେନିଂ କ୍ୟାମ୍ପ (ସିଏଟିସି)ରେ ଯୋଗଦେଇ କ୍ୟାଡେଟମାନଙ୍କୁ ପ୍ରେରଣାଦାୟୀ ବାର୍ତା ପ୍ରଦାନ କରିଛନ୍ତି। ଜିଲ୍ଲାପାଳ କହିଥିଲେ ଯେ, ଏନ୍‌ସିସିର ମୂଳମନ୍ତ୍ର “ଐକ୍ୟ ଓ ଶୃଙ୍ଖଳା” କେବଳ ଏକ ସ୍ଲୋଗାନ୍ ନୁହେଁ, ବରଂ ସଫଳ ଜୀବନର ମୂଳ ଆଧାର। ଦେଶ ଓ ସମାଜର ଉନ୍ନତି ପାଇଁ ଯୁବପିଢ଼ିଙ୍କ ସକ୍ରିୟ ଅବଦାନ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ କ୍ୟାଡେଟମାନେ ନେତୃତ୍ୱ, ପ୍ରତିଯୋଗିତାମୂଳକ ପରୀକ୍ଷା, ସିଭିଲ୍ ସର୍ଭିସ ଓ ଜିଲ୍ଲା ବିକାଶରେ ଯୁବମାନଙ୍କ ଭୂମିକା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଉଠାଇଥିଲେ। ଜିଲ୍ଲାପାଳ ସେଗୁଡ଼ିକର ଉତର ଦେଇ କ୍ୟାଡେଟମାନଙ୍କୁ ଉଚ୍ଚ ଲକ୍ଷ୍ୟ ସ୍ଥିର କରି ନିରନ୍ତର ପରିଶ୍ରମ କରିବାକୁ ଆହ୍ୱାନ ଜଣାଇଥିଲେ। ସେ କ୍ୟାଡେଟମାନଙ୍କ ଉତ୍ସାହ, ଶୃଙ୍ଖଳା ଓ ଉଚ୍ଚ ମନୋବଳର ପ୍ରଶଂସା କରି କହିଥିଲେ ଯେ, ଏନ୍‌?ସିସି କ୍ୟାଡେଟମାନେ ହେଉଛନ୍ତି ଦେଶର ଭବିଷ୍ୟତ ନେତୃତ୍ୱ। ସିଭିଲ୍ ସର୍ଭିସ ଓ ସଶସ୍ତ୍ର ବାହିନୀରେ ଯୋଗଦାନ କରି ଦେଶସେବା କରିବା ପାଇଁ ସେ ସେମାନଙ୍କୁ ପ୍ରେରିତ କରିଥିଲେ। ଶେଷରେ କ୍ୟାମ୍ପ କମାଣ୍ଡାଂଟ କର୍ଣ୍ଣଲ ଏସ୍ ଏସ୍ ରଘୁବଂଶୀ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ତାଙ୍କର ପ୍ରେରଣାଦାୟୀ ଉପସ୍ଥିତି ଓ ବାର୍ତା କ୍ୟାଡେଟମାନଙ୍କ ମନୋବଳକୁ ଆହୁରି ସୁଦୃଢ଼ କରିଛି।