Odiapua.com

ଦଶପଲ୍ଲା ମୁକୁଟ କାହା ମୁଣ୍ଡରେ:ଭାଗ୍ୟ ନିର୍ଦ୍ଧାରଣ ଆଜି

ନୟାଗଡ଼, ୧୮-୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ଦଶପଲ୍ଳା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଆସନ୍ତାକାଲି ହେବ। କିଏ ଉଡ଼ାଇବ ବିଜୟ ଧ୍ୱଜା ତାହାକୁ ନେଇ ଗୁରୁବାର ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ। ସେଥିପାଇଁ ପ୍ରାର୍ଥୀ ପ୍ରାର୍ଥୀଙ୍କ ମଧ୍ୟରେ ଓ କର୍ମୀ କର୍ମୀଙ୍କ ଭିତରେ ରାଜନୀତି ସରଗରମ ହେବାରେ ଲାଗିଥିବାବେଳେ ଭୋଟରମାନଙ୍କର ଉତ୍କଣ୍ଠା ବଢିଯାଇଛି। ଦଶପଲା ନିର୍ବାଚନ ମଣ୍ଡଳୀର ୩ଟି ବ୍ଳକ ଓ ଗୋଟିଏ ଏନଏସିର ଭୋଟରମାନେ ଭାଗ୍ୟ ନିର୍ଦ୍ଧାରଣ କରିବେ। ଦଶପଲା ବ୍ଳକର ୨୦ଟି ପଂଚାୟତ, ନୂଆଗାଁ ବ୍ଳକର ୨୨ ପଂଚାୟତ, ଗଣିଆ ବ୍ଳକର ୮ ପଂଚାୟତ ଓ ଦଶପଲ୍ଲା ଏନଏସିର ୧ଲକ୍ଷ ୮୯ହଜାର ୬୩୦ ଭୋଟର ଭୋଟ ଦେବେ। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୯୮ ହଜାର ୮୬୨ ଥିବାବେଳେ ମହିଳା ଭୋଟର ୯୦ ହଜାର ୭୫୩, ଦିବ୍ୟାଙ୍ଗ ଭୋଟର ୩୩୯୧, ଅନ୍ୟାନ୍ୟ ଭୋଟର ୧୫ ଓ ଭିଆଇପି ଭୋଟର ୩ ଥିବାବେଳେ ୨୩୪ ଭୋଟ କେନ୍ଦ୍ରରେ ଏହି ଭୋଟରମାନେ ମତଦାନ କରିବେ। ଏଠାରେ ବିଜେଡିରୁ ରମେଶ ଚନ୍ଦ୍ର ବେହେରା, ବିଜେପିରୁ ପୂର୍ଣ୍ଣଚନ୍ଦ୍ର ନାୟକ, କଂଗ୍ରେସରୁ ପ୍ରଶାନ୍ତ କୁମାର ନାୟକ, ଏନସିପିରୁ ବେଣୁଧର ନାୟକ, ସମତା କ୍ରାନ୍ତି ଦଳରୁ ତ୍ରିନାଥ ନାୟକ, ବିଏସ୍ ପିରୁ ଦେବରାଜ ନାୟକ ଓ ସ୍ୱାଧୀନରୁ ବିଷ୍ଣୁପ୍ରିୟା ଦାଶ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଦଶପଲ୍ଳା ରାଜନୀତି ପାଣିପାଗ ଯାହା ଏଠାରେ ମୁଖ୍ୟତଃ ବିଜେଡିର ରମେଶ ଚନ୍ଦ୍ର ବେହେରା ଓ ବିଜେପିର ପୂର୍ଣ୍ରଚନ୍ଦ୍ର ନାୟକଙ୍କ ମଧ୍ୟରେ କଡ଼ା ଟକ୍କର ଲାଗିଥିବାବେଳେ କଂଗ୍ରେସ ସେମାନଙ୍କ ପଛରେ ଲାଗିଥିବା ଦେଖିବାକୁ ମିଳିଛି। କଂଗ୍ରେସର ପ୍ରଶାନ୍ତ କୁମାର ନାୟକ ସେ ତାଙ୍କର ପାରମ୍ପରିକ ଭୋଟ ପାଇବାକୁ ଆଶା ରଖିଥିବାବେଳେ ବିଜେପିର ପୂର୍ଣ୍ଣଚନ୍ଦ୍ର ନାୟକ ବିଜେଡିରୁ ନପାଇ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କର ବହୁ ସଂଖ୍ୟାରେ ନିଜ ସମର୍ଥକ ଥିବା ସହ ନିଜ ଜାତିଭାଇଙ୍କ ପ୍ରାୟ ୩୦ ହଜାର ଭୋଟ ଥିବାନେଇ ସେ ଆଶା ବାନ୍ଧି ରହିଛନ୍ତି। ଗତଥର ଏଠାରେ ଭାଜପା ତୃତୀୟ ସ୍ଥାନରେ ଥିବାବେଳେ ଏଥର କିନ୍ତୁ ବିଜେପି ଓ ବିଜେଡି ମଧ୍ୟରେ ପୁରା ଟକ୍କର ଅବସ୍ଥାରେ ଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ ସରକାରୀ ବଡ଼ ଚାକିରୀ ଛାଡ଼ି ରାଜନୀତିରେ ପାଦ ରଖିଥିବା ଏବଂ ବିଜେଡିରୁ ପ୍ରାର୍ଥୀ ହୋଇଥିବା ରମେଶ ଚନ୍ଦ୍ର ବେହେରା ପୁରା ଦମ୍ ରେ ଲାଗିଥିବାବେଳେ ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଶପଲା ପ୍ରଚାରରେ ଆସି ବିଜେଡି ବାତାବରଣକୁ ପୁରା ସରଗରମ କରିଦେଇଥିବା କୁହାଯାଉଛି। ଯାହାକି ରମେଶ ବେହେରା ଜିତିବାର ଆଶା ସମ୍ପୁର୍ଣ୍ଣ ରଖିଛନ୍ତି। ତେବେ ଗଣିଆ ଓ ଦଶପଲ୍ଲା ବ୍ଳକରେ ବିଜେପି ଓ ବିଜେଡିର ସ୍ଥିତି ସମାନ ରହିଥିବା କୁହାଯାଉଥିବାବେଳେ ନୂଆଗାଁ ବ୍ଳକର ମାଳିସାହି, ଢେଙ୍କେଣା, ଖଣ୍ଡୁଗାଁ, ଚାହାଳୀ, ଦୁର୍ଦ୍ଦୁରା ପଂଚାୟତ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଆଲୋଚନା ହେଉଛି। ଗତ ୧୦ ବର୍ଷ ହେଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ଼ÿଭାବେ ପରିଗଣିତ ହୋଇ ଆସିଛି। ତେବେ ଏଥର ଯେଉଁପରିଭାବେ ବିଜେଡି ଓ ବିଜେପି ମଧ୍ୟରେ ଟକ୍କରା ଟକ୍କରି ଅବସ୍ଥାକୁ ଆସିଛି ଏଥିର ବିଜେଡି ଗଡ଼ ରକ୍ଷା କରିପାରିବ ନା ବିଜେପି ଅକ୍ତିଆରକୁ ଖସିଯିବ ତାହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବାବେଳେ ଗୁରୁ୍ ବାର ଦଶପଲ୍ଳା ମୁକୁଟ କାହା ଭାଗ୍ୟରେ ଜୁଟୁଛି ତାହା ଦେଖିବାକୁ ବାକି ରହିଛି।