Odiapua.com

ଦଳୀୟ କନ୍ଦଳ ପ୍ରଶମିତରେ ସଫଳ ବିଜେଡି ଜିଲ୍ଲା ସଭାପତି, ମହାମିଶ୍ରଣ ପର୍ବରେ ହେଭିୱେଟ୍ ରାଜ୍ୟନେତାଙ୍କ ଯୋଗଦାନ – ବରିଷ୍ଠ ରାଜନୀତିଜ୍ଞ ଅରୁଣ ଦେଙ୍କ ପୁଣିଥରେ ବିଜେଡିକୁ ଆଗମନ

ବାଲେଶ୍ୱର, ୭ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ଉପ-ନିର୍ବାଚନକୁ ନେଇ ଜିଲ୍ଲା ବିଜେଡି ସଭାପତିଙ୍କ ସଫଳ ଗୋଟି ଚାଳାନା କ୍ରମଶଃ ସଫଳତା ଅଭିମୁଖେ ଯାଉଥିବା ବେଳେ ଦଳର ରାଜ୍ୟସ୍ତରୀୟ ହେଭିୱେଟ୍ ନେତାଙ୍କ ଉପସ୍ଥିତିରେ ଏକ ମହାମିଶ୍ରଣ ପର୍ବ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲେଶ୍ୱର ରାଜନୀତି ପିତାମହ ଭୀଷ୍ମ କୁହାଯାଉଥିବା ପ୍ରବୀଣ ତଥା ବରିଷ୍ଠ ରାଜନୀତିଜ୍ଞ ଅରୁଣ ଦେ ଓ ତାଙ୍କ ସମର୍ଥକଙ୍କୁ ପୁଣିଥରେ ବିଜେଡିରେ ସାମିଲ କରାଯାଇଛି। ବାଲେଶ୍ୱର ରାଜନୀତିରେ ଦ୍ୱିତୀୟ ବିରୋଧୀ ଗୋଷ୍ଠୀ ସୃଷ୍ଟି ହେବାକୁ ନଦେବା ଉଦ୍ଦେଶ୍ୟରେ ବିଜେଡି ପକ୍ଷରୁ ଏହି ମହାମିଶ୍ର ପର୍ବ ଆୟୋଜିତ ହୋଇଥିବା କୁହାଯାଉଛି। ଶ୍ରୀ ଦେଙ୍କ ସମେତ କଂଗ୍ରେସର ଅନ୍ୟତମ ଛାମୁଆ ନେତା ବାବୁ ପାତ୍ର, ରଂଜନ ବାଗ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ବିଜେଡିର ଓତ୍ତରୀୟ ପିନ୍ଧାଇ ବିଜେଡି ରାଜ୍ୟସ୍ତରୀୟ ନେତାମାନେ ଦଳକୁ ସ୍ୱାଗତ କରିଥିଲେ। ଜିଲ୍ଲା ସଭାପତି ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏହି ମିଶ୍ରଣ ପର୍ବରେ ସଭାପତିତ୍ୱ କରିବା ସହିତ ଅଭିଜ୍ଞତା ସମ୍ପନ୍ନ ବିଶିଷ୍ଟ ରାଜନେତା ଅରୁଣ ଦେଙ୍କ ଆଗମନରେ କେବଳ ସଦର ନିର୍ବାଚନମଣ୍ଡଳୀ ନୁହେଁ ବରଂ ସମଗ୍ର ଜିଲ୍ଲାର ବିଜେଡି ସଂଗଠନ ଶକ୍ତିଶାଳୀ ହୋଇପାରିଛି ବୋଲି କହିଥିଲେ। ଏହି ମହାମିଶ୍ରଣ ଚଳିତ ସଦର ଉପ-ନିର୍ବାଚନର ବିଜେଡି ପ୍ରାର୍ଥୀଙ୍କ ବିଜୟକୁ ନିଶ୍ଚିତ କରିଛି ବୋଲି ସେ ମତ ପ୍ରକାଶ କରିଥିଲେ। ତେବେ ଦଳୀୟ କର୍ମକର୍ତ୍ତା ଓ ସଦସ୍ୟମାନେ ଏକମନ ହୋଇ ସାଗଠନିକ କାର୍ଯ୍ୟକୁ ଆଗେଇ ନେବା ପାଇଁ ସଭାପତି ଶ୍ରୀ ଜେନା ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଓଡ଼ିଶାର ଅନ୍ୟତମ କ୍ଷମତା କେନ୍ଦ୍ର ପ୍ରଣବ ପ୍ରକାଶ ଦାସ, ଆଇନ୍ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ ଓ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଦେଙ୍କ ଭଳି ପ୍ରବୀଣ ରାଜନୀତିଜ୍ଞଙ୍କ ବିଜେଡିରେ ଯୋଗଦାନ ଦଳ ପାଇଁ ଅତ୍ୟନ୍ତ ଖୁସୀର ବିଷୟ ବୋଲି କହିଥିଲେ। ରାଜନୀତିରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ଓ ଅନୁଭୁତି ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହ ବାଲେଶ୍ୱର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଦାଦାଙ୍କର ବିଜେଡିରେ ସାମିଲ ହେବା କେବଳ ବାଲେଶ୍ୱର ନୁହେଁ ଓଡ଼ିଶା ରାଜନୀତିକୁ ପ୍ରଭାବିତ କରିବ ବୋଲି ରାଜ୍ୟ ହେଭିୱେଟ୍ ନେତାମାନେ ଆଶା ପ୍ରକାଶ କରିଥିଲେ। ଦଳରେ ଯୋଗଦେବା ଅବସରରେ ଶ୍ରୀ ଦେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିକାଶର ଧାରାରେ ଅନୁପ୍ରାଣୀତ ହୋଇଥିବା କହିଥିଲେ। ବାଲେଶ୍ୱରର ବିକାଶ ପାଇଁ ରବୀନ୍ଦ୍ର ଜେନାଙ୍କ ଭଳି ନେତୃତ୍ୱ ପ୍ରତି ବିଶ୍ୱାସ ରଖି ସେ ଓ ତାଙ୍କର ସହଯୋଗୀମାନେ ଦଳରେ ଯୋଗଦେଇଥିବା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚଳିତ ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥିତ୍ୱକୁ ନେଇ ଅସନ୍ତୁଷ୍ଟ ଥିବା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ପୌରପାଳ ପ୍ରମୁଖ ଶୃଙ୍ଖଳିତ ଦଳୀୟ କର୍ମୀଙ୍କ ଭଳି ଏଥିରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ପୂର୍ବତନ ବ୍ରିଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ନୀଳଗିରି ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ଏହି ମିଶ୍ରଣ ପର୍ବରେ ଯଥା ସମ୍ଭବ ସାମାଜିକ ଦୂରତା ରକ୍ଷା ପାଇଁ ପ୍ରଚେଷ୍ଟା କରାଯାଇଥିଲା। ପ୍ରାର୍ଥୀ ଚୟନକୁ ନେଇ ବିଜେଡିରେ ଦେଖା ଦେଇଥିବା କନ୍ଦଳକୁ ପ୍ରଶମିତ କରିବା ଓ ଚଳିତ ଉପ-ନିର୍ବାଚନରେ ଭୋଟ ବିଭକ୍ତୀକରଣ ରୋକିବା ଦିଗରେ ବିଜେଡି ଜିଲ୍ଲା ସଭାପତିଙ୍କ ଗୋଟି ଚାଳନା ବେଶ୍ ସଫଳ ହୋଇଥିବା କୁୁହାଯାଉଛିି। ତେବେ ୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟ୍‌ରେ ସଦର ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ଶ୍ରୀ ଦେ ୨୮ ହଜାର ୬୫୦ ଖଣ୍ଡ ଭୋଟ ପାଇଥିଲେ। ତନ୍ମଧ୍ୟରୁ କଂଗ୍ରେସ ଓ ତାଙ୍କର ନିସ୍ୱ ଭୋଟ କେତେ ତାହା ସମସ୍ତେ ଜାଣନ୍ତି। ଇତିମଧ୍ୟରେ ୭ ବର୍ଷ ବିତିବାକୁ ବସିଥିବା ବେଳେ ସମ୍ପ୍ରତି ଶ୍ରୀ ଦେଙ୍କର ଲୋକପ୍ରିୟତା ଚଳିତ ନିର୍ବାଚନରେ ବିଜେଡିକୁ ଜିତାଇବାରେ କେତେ ସହାୟ ହେବ ତାହା ସମୟ କହିବ।