Odiapua.com

ଦଳିତ ଲୋକଙ୍କୁ ତହସିଲଦାରଙ୍କ ଉଚ୍ଛେଦ ନୋଟିସ୍‌, ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଭିଏଚ୍‌ପି ଓ ବଜରଙ୍ଗ ଦଳ ଜିଲାପାଳଙ୍କୁ ଭେଟିଲେ

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାୟୀ ବସବାସ କରୁଥିବା ଦିନ ମଜୁରିଆ ଶ୍ରେଣୀର ଲୋକଙ୍କୁ ସେମାନଙ୍କ ଗୃହରୁ ଉଚ୍ଛେଦ ପାଇଁ ଭଦ୍ରକ ତହସିଲଦାର ଜାରି କରିଥିବା ନୋଟିସ୍ ବିରୁଦ୍ଧରେ ଆଜି ବିଶ୍ୱ ହିନ୍ଦୁ ପରିଷଦର ସଭାପତି ବିଜୟ ସ୍ନିହ୍ନା ଏବଂ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ମାନସ ମହାନ୍ତିଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଜିଲାପାଳ ଡ. ଜ୍ଞାନ ଦାସଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ର ମୂଳେ ଭଦ୍ରକ ତହସିଲ ଅଧୀନସ୍ଥ ଇସଫପୁର ମୌଜାର ୪୭୫ ଖାତା ଅଧୀନ ୮୪୨ ଖସଡାରେ କେତେକ ହରିଜନ ଦଳିତ ସଂପ୍ରଦାୟର ଦିନ ମଜୁରିଆ ଲୋକ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ୱ ହେବ ସ୍ଥାୟୀ ବାସଗୃହ ନିର୍ମାଣ କରି ସପରିବାର ରହିଆସୁଛନ୍ତି । ଏହି ବାସଗୃହ ବ୍ୟତୀତ ସେମାନଙ୍କର ଅନ୍ୟ କୌଣସି ଜମି ନାହିଁ । ମାତ୍ର ଭଦ୍ରକ ତହସିଲଦାର ଆକ୍ରୋଶ ମୂଳକ ଭାବେ କୌଣସି କାରଣ ନଥାଇ ସେମାନଙ୍କୁ ସେହି ସ୍ଥାନରୁ ଉଚ୍ଛେଦ କରିବା ନିମନ୍ତେ ନୋଟିସ୍ ଜାରି କରିଛନ୍ତି ବୋଲି ବିଶ୍ୱି ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି । ଏହି ଦୁଇ ସଂଗଠନର ଅଭିଯୋଗ ମୂଳେ ଭଦ୍ରକ ଜିଲାରେ ହଜାର ହଜାର ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ବେଆଇନ୍ ଭାବେ ବିଭିନ୍ନ ସ୍ଥାନରେ ଜବରଦଖଲ କରି ରହିଆସୁଥିବାବେଳେ ଦଳିତ ହିନ୍ଦୁ ମାନଙ୍କୁ କିଛି ସ୍ୱାର୍ଥନ୍ୱେଷୀମାନଙ୍କ ଷଡଯନ୍ତ୍ରର ଶୀକାର ହେବାକୁ ପଡୁଛି । ଏଣୁ ଭଦ୍ରକ ଭଳି ସମ୍ବେଦନଶୀଳ ଜିଲାରେ ସରକାରଙ୍କର ଏତାଦୃଶ୍ୟ କାର୍ଯ୍ୟ ସାଧାରଣରେ ଉତ୍ତେଜନା ସୃଷ୍ଟି କରୁଛି । ଏଣୁ ବାସଚ୍ୟୁତ ହେଲେ ସପରିବାର ପିଲାଛୁଆଙ୍କ ସହ ବେଘର ହେବାକୁ ଥିବା ଲୋକଙ୍କୁ ତଦନ୍ତ ପୂର୍ବକ ଗୃହଗୁଡିକର ସପକ୍ଷରେ ଭୂମିହୀନ ପଟ୍ଟା ପ୍ରଦାନ କରିବାକୁ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ମାନସ କୁମାର ମହାନ୍ତି ଦାବି କରିଛନ୍ତି ।