Odiapua.com

ଦଲାଲ କବ୍‌ଜାରେ ଭଦ୍ରକ ମେଡିକାଲ ବୋର୍ଡ

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦଲାଲ କବ୍‌ଜାରେ ଭଦ୍ରକ ମେଡିକାଲ ବୋର୍ଡ । ଡାକ୍ତର, ମେଡିକାଲ କର୍ମଚାରୀ ଓ ଦଲାଲଙ୍କ ମଧୁଚନ୍ଦ୍ରିକାରେ ବନ୍ଧା ପଡିଛି ମେଡିକାଲ ବୋର୍ଡ । କାରବାର ଚାଲିଛି ଡୁପ୍ଲିକେଟ୍ ହେଣ୍ଡିକ୍ୟାପ୍ ସାର୍ଟିଫିକେଟ୍ । ସାତ ପ୍ରକାର ଭିନ୍ନକ୍ଷମ ଥିଲାବେଳେ ପ୍ରତ୍ୟେକ ମାସ ୧ ତାରିଖ ଓ ୨ ତାରିଖରେ ଭଦ୍ରକ ମେଡିକାଲ ତରଫରୁ ବାଇପାସ୍ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟରେ ବୋର୍ଡ ଅନୁଷ୍ଠିତ ହେଉଥିଲା । ଆରପିଡବ୍ଲ୍ୟୁଡି ଆକ୍ଟ ୨୦୧୬ ଆଇନ୍ ଆସିଲା ପରେ ଏକୋଇଶି ପ୍ରକାର ଦିବ୍ୟାଙ୍ଗର ଶ୍ରେଣୀ ବିଭାଗ କରାଗଲା । ବିଲେଇ କପାଳକୁ ଶିକା ଛିଡିଲା ପରି ଲୋକମାନେ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ପ୍ରାପ୍ତ ପାଇଁ ବୋର୍ଡର ପ୍ରବଳ ଭିଡ ହେଲା । ଲୋକସଂଖ୍ୟା ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସମୟ ସାରଣୀ ପରିବର୍ତନ କରାଯାଇ ବର୍ତମାନ ପ୍ରତ୍ୟେକ ସପ୍ତାହରେ ମଙ୍ଗଳ ଓ ଶୁକ୍ରବାର ମେଡିକାଲ ବୋର୍ଡ ଅନୁଷ୍ଠିତ ହେଉଛି । ଏହାର ସୁଯୋଗ ନେଇ ସାର୍ଟିଫିକେଟ୍ କରାଇଦେବା ନେଇ ଦଲାଲମାନେ ସକ୍ରିୟ ହୋଇଉଠିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଦିବ୍ୟାଙ୍ଗ ସାର୍ଟିଫିକେଟ୍ ପାଇଁ ଦିବ୍ୟାଙ୍ଗମାନେ ହିଁ ଦଲାଲି କରୁଛନ୍ତି । ପୁରୁଷ ଦିବ୍ୟାଙ୍ଗ ଠାରୁ ମହିଳା ଦିବ୍ୟାଙ୍ଗ ଦଲାଲିରେ ବେଶି ସକ୍ରିୟ ଅଛନ୍ତି । ମେଡିକାଲ କର୍ମଚାରୀ ଦିବ୍ୟାଙ୍ଗମାନଙ୍କୁ ହାତବାରିସ କରି କମ୍ ଶତକଡା ପାଉଥିବା ଦିବ୍ୟାଙ୍ଗକୁ ଅଧିକ ଶତକଡାର ସାର୍ଟିଫିକେଟ୍ ପ୍ରଦାନ କରାଯାଇ ଜଣକା ପିଛା ୧୦ ରୁ ୧୫ ହଜାର ଟଙ୍କା ଆଦାୟ କରାଯାଇ ଉଭୟ ମାଲାମାଲ ହେଉଥିବାର ଅଭିଯୋଗ ଆଣିଛନ୍ତି ଓଡ଼ିଶା ବିକଳାଙ୍ଗ ମଂଚର ଜିଲା ଉପସଭାପତି କରୁଣାକର ସାହୁ । ବିଶେଷକରି ରିଜର୍ଭେସନ କୋଟା, ସ୍କଲାରସିପ୍‌, ଚାକିରୀ ପାଇବା ପାଇଁ ଛାତ୍ରମାନେ ମୋଟା ଅଙ୍କର ଟଙ୍କା କାରବାର କରିଥାନ୍ତି । ଦିବ୍ୟାଙ୍ଗମାନଙ୍କ ନିମନ୍ତେ କାମ କରିବା ପାଇଁ ଏକ ଅଗ୍ରଣୀ ସାମାଜିକ ସଂଗଠନ ଓଡ଼ିଶା ବିକଳାଙ୍ଗ ମଂଚ ଗଢି ଉଠିଥିଲା ।

ଭଦ୍ରକ ଜିଲାରେ ଅକ୍ଷୟ କୁମାର ସାହୁଙ୍କ ନେତୃତ୍ୱରେ ଏହି ସଂଗଠନ ମାଧ୍ୟମରେ ଭଦ୍ରକର ଦିବ୍ୟାଙ୍ଗମାନେ ତୁଳନାତ୍ମକ ସୁବିଧା ପାଇଥିଲେ । ଏହି ସୁବିଧା କରାଇବା କ୍ଷେତ୍ରରେ ରୋଜଗାରର ଲୋଭ ପାଇଁ ଏହି ସଂଗଠନର କିଛି ଖଳ ପ୍ରକୃତିର କର୍ମୀ ଅସାଧୁ ଉପାୟ ଅବଲମ୍ବନ କଲେ । ଯାହାଫଳରେ ମନୋମାଳିନ୍ୟ ଯୋଗୁଁ ଓଡ଼ିଶା ବିକଳାଙ୍ଗ ମଂଚ ଦୁଇଫାଳ ହୋଇଗଲା । ଅନ୍ୟ ଏକ ଓଡ଼ିଶା ଭିନ୍ନକ୍ଷମ ମଂଚ ସଂଘ ଗଢି ଉଠିଲା । ସଂପ୍ରତି ଦିବ୍ୟାଙ୍ଗମାନଙ୍କ ନିମନ୍ତେ କାମ କରିବା ପାଇଁ ଆହୁରି କେତେକ ସଂଘ ମଧ୍ୟ ପଂଜିକରଣ କଲେଣି । ଜିଲାର ମେଡିକାଲ ବୋର୍ଡ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ କାର୍ଯ୍ୟାଳୟ ତଥା ଜିଲାପାଳଙ୍କ ପାଖରେ ଅନେକ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଏବଂ ସେମାନଙ୍କୁ ପ୍ରାଥମିକତା ଦେବା ଯୋଗୁଁ ଆଜିର ଏହି ଦୁର୍ଦ୍ଦଶା । ଅନେକ ଅଯୋଗ୍ୟ ହିତାଧିକାରୀ ସରକାରୀ ସୁବିଧା ସୁଯୋଗ ହାତେଇବା ଫଳରେ ବଳି ପଡୁଛନ୍ତି ଅନେକ ଯୋଗ୍ୟ ହିତାଧିକାରୀ । ଅନେକ ଅଯୋଗ୍ୟ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ହିତାଧିକାରୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇ ଚାକିରୀରୁ ଛଟେଇ ହୋଇଛନ୍ତି । ଅତୀତରେ ଏକ ମହିଳା ଦଲାଲିଙ୍କ ବିରୋଧରେ ଅଭିଯୋଗ ଆଣିଥିବାରୁ ଓଡ଼ିଶା ବିକଳାଙ୍ଗ ମଂଚର ସଂପାଦକଙ୍କ ନାମରେ ରେପ୍ କେଶ୍ କରାଯାଇଥିଲା ।

କିନ୍ତୁ ପୁଲିସ୍ ତଦନ୍ତରେ ଏହା ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଜଣାପଡିଥିଲା । କେତେକ ବାହାର ଲୋକ ତଥା ଦିବ୍ୟାଙ୍ଗ ମେଡିକାଲ ବୋର୍ଡର ଡାକ୍ତରଙ୍କ ପାଖରେ ରହିବା, ଦ୍ୱାରପାଳ ଭାବେ ଛିଡା ହେବା, ନାମ ଧରି ଡାକିବା ଯୋଗୁଁ ଲୋକମାନେ ମେଡିକାଲ କର୍ମଚାରୀ ଭାବି ମୂଲଚାଲ କରିଥାନ୍ତି । ଏହି କାର୍ଯ୍ୟ ଦୀର୍ଘବର୍ଷ ହେଲା ଚାଲିଛି । ମେଡିକାଲ କର୍ମଚାରୀ ନିୟୋଜନ କରାନଯାଇ ବୋର୍ଡରେ ସେମାନଙ୍କୁ ଏହି ସୁଯୋଗ ଦେବାର କାରଣ କଣ ହୋଇପାରେ, ଏହା ନିଶ୍ଚିତ ଉଦ୍ଦେଶ୍ୟ ପ୍ରଣୋଦିତ । ଜାଣିଶୁଣି ଦୁର୍ନୀତିକୁ ପ୍ରଶୟ ଦେଉଛି ମେଡିକାଲ କର୍ତୃପକ୍ଷ । ପରବର୍ତୀ ପର୍ଯ୍ୟାୟରେ ମେଡିକାଲ କର୍ତୃପକ୍ଷ ଯଦି ଏହି ଦଲାଲିମାନଙ୍କୁ ବୋର୍ଡ ଭିତରେ ବସାଇବାର ସୁଯୋଗ ଦିଅନ୍ତି, ତେବେ ଭଦ୍ରକ ଜିଲାର ଓଡ଼ିଶା ବିକଳାଙ୍ଗ ମଂଚ ସହିତ ଅନେକ ସାମାଜିକ ସଂଗଠନ ରାଜରାସ୍ତାକୁ ଓହ୍ଲାଇବ, ଅନଶନରେ ବସିବ, ଧାରଣାରେ ବସିବ ବୋଲି ସଭାପତି ଅମୂଲ୍ୟ ମହାଳିକ, ସଂପାଦକ ମନୋରଂଜନ ତ୍ରିପାଠୀ, ଅକ୍ଷୟ କୁମାର ସାହୁ, ମଦନ ମୋହନ, କରୁଣାକର, ନିରଞ୍ଜନ, ଭାସ୍କର, ଚନ୍ଦ୍ରକାନ୍ତ, ଯଦୁମଣି ଚେତାବନୀ ଦେଇଛନ୍ତି । ପ୍ରତିକ୍ରିୟାରେ ସଡିଏମ୍‌ଓ ପ୍ରଭାତ କୁମାର ବେହେରା କହିଛନ୍ତି ଯେ ବିନା ଅନୁମତିରେ କେତେକ ଭିନ୍ନକ୍ଷମ ଲୋକ ବୋର୍ଡକୁ ସହଯୋଗ କରିବା ଆଳରେ ଦଲାଲି କରୁଛନ୍ତି । ଡାକ୍ତରଙ୍କ ନାଁରେ ଶତକଡା ବଢାଇ ଦିଆଯିବ କହି ଲୋକଙ୍କୁ ଲୁଟୁଥିବାର ଖବର ମିଳିଛି । ସେମାନଙ୍କ ନାମରେ କିଛି ଅଭିଯୋଗ ଆସିନଥିଲା, ଏବେ ଅଭିଯୋଗ ଆସିଲାଣି, ଆମେ ସେମାନଙ୍କୁ ବାହାର କରିଦେବୁ ବୋଲି କହିଥିଲେ ।