Odiapua.com

ଦନ୍ତାହାତୀ ଆକ୍ରମଣରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଶରତ କପ୍ତିପଦା ରାସ୍ତା ଅବରୋଧ

ମୟୁରଭଞ୍ଜ,ତା ୧୯ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକର ଲାବଣ୍ଯଦେଇପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୬ନମ୍ଵର ୱାର୍ଡ଼ କାନକୁମୁରା ଗ୍ରାମର ପାଣୁ ସିଂ(୩୨) ନାମକ ଯୁବକ ନିକଟସ୍ଥ ଅସୁରଖାଲ ଜଙ୍ଗଲକୁ ଗୋରୁ ଚରାଇବାକୁ ଯାଇଥିଲେ । ସେଠାରେ ବଣୁଆ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିଲେ । ଖବର ଅନୁଯାୟୀ ଗତକାଲି ତା ୧୮-୧୦-୨୦୧୯ ରିଖ ଦିନ ପ୍ରାୟ ୨ଘଟିକା ସମୟରେ ପାଣୁଙ୍କୁ ଦନ୍ତାହାତୀ ଗୋଡାଇ ଗୋଡାଇ ନେଇଯାଇଥିବାର ଦୃଶ୍ୟ ସାଙ୍ଗରେ ଥିବା କୁନା ସିଂ,ସମ୍ଭୁ କୁଇ, କାଠି ମହାକୁଡ ଓ ଟୁନା ମହାକୁଡ ଦେଖି ଗ୍ରାମରେ ଆସି ଖବର ଦେଇଥିଲେ । ଗ୍ରାମବାସୀଙ୍କ ସହ ପରିବାର ଲୋକମାନେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ପାଣୁଙ୍କ କିଛି ଖବର ପାଇନଥିଲେ । ଆଜି ସକାଳୁ ଅନେକ ଖୋଜାଖୋଜି କରିବା ପରେ ଅପରାହ୍ନରେ ପାଣୁଙ୍କ ମୃତଦେହ ମିଳିଥିଲା । ପରିବାରରେ ପାଣୁ ସିଂ ଏକମାତ୍ର ରୋଜଗାରିଆ ହୋଇଥିବାରୁ ପରିବାରର ପ୍ରତିପୋଷଣ ଦାୟିତ୍ବ ତାଙ୍କ ଉପରେ ଥିଲା । ପାଣୁ ସିଂର ମୃତ୍ୟୁ ପରେ ସ୍ତ୍ରୀ ଓ ୫ଟି ପିଲା ବେସାହାରା ହୋଇଯାଇଥିବାରୁ ଅସହାୟ ପରିବାରର ରକ୍ଷଣା ବେକ୍ଷଣ ପାଇଁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଜନସାଧାରଣରେ ଦାବି ହୋଇଛି । ଏଥିସହ କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ କପ୍ତିପଦା-ଶରତ ମୁଖ୍ୟ ରାସ୍ତାର ପାତାସାହି ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଉଦଳା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ।